ରାଜରାସ୍ତାରେ ଅଣ୍ଡା ଚାଷୀ: ଏନ୍‍ଇସିସି ଏକଛତ୍ର ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲେ

ଗୋଟିଏ ଦେଶ- ଗୋଟିଏ ଦର’ ଦାବି କଲା ଓଲ୍‍ଫା

ଖୋର୍ଦ୍ଧା: ଅଣ୍ଡା ମୂଲ୍ୟ ନିର୍ଦ୍ଧାରଣରେ ଏନ୍‍ଇସିସିର ଏକଛତ୍ର ନୀତିରେ ଅତିଷ୍ଠ ହୋଇ କୁକୁଡ଼ା ଅଣ୍ଡା ଚାଷୀମାନେ ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି। ଅଣ୍ଡାର ମୂଲ୍ୟ ବୃଦ୍ଧି କ୍ଷେତ୍ରରେ ସଂପୃକ୍ତ ସଂସ୍ଥା ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ କୋଟିକୋଟି ଟଙ୍କା ଋଣ କରି କୁକୁଡ଼ା ଅଣ୍ଡା ଉତ୍ପାଦନ ଆରମ୍ଭ କରିଥିବା ଚାଷୀମାନେ ଦୈନିକ ବିପୁଳ କ୍ଷତି ସହୁଛନ୍ତି। ଏହାର ପ୍ରତିବାଦ କରି ଅଲ୍‍ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ (ଓଲ୍‍ଫା) ରାସ୍ତାରେ ଧାରଣା ଦେବା ସହ ତୁରନ୍ତ ଅଣ୍ଡା ମୂଲ୍ୟ ବୃଦ୍ଧି ଦାବି କରିଛି। ସେହିଭଳି ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଓଲ୍‍ଫା ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ ଦାବି ଜଣାଇଛନ୍ତି। ସେ କହିଛନ୍ତି, ଏନ୍‍ଇସିସି ଓଡ଼ିଶାର ଅଣ୍ଡାଚାଷୀଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଉନାହିଁ। ବିଗତ ଦିନରେ ବାରମ୍ବାର ଏଭଳି ଅଭିଯୋଗ ହୋଇଥିଲେ ମଧ୍ୟ ଏନ୍‍ଇସିସି ନିଦାବିଷ୍ଣୁ ସାଜିଛି। ‌ଶେଷରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ରାଜ୍ୟରେ ପ୍ରାୟ ୨୦୦ ବଡ଼ବଡ଼ ଲେୟର ଫାର୍ମ ରହିଛି। ଏହି ଫାର୍ମଗୁଡ଼ିକ ଯୋଗଦାନ ଫଳରେ ରାଜ୍ୟରେ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଛି। ମାତ୍ର ଅଣ୍ଡାର ଦର ନିର୍ଦ୍ଧାରଣ କରୁଥିବା ଏନ୍‍ଇସିସି ଦେଶର କିଛି ବଡ଼ବଡ଼ ସଂସ୍ଥା ସହ ସଲାସୁତୁରା କରି ଅଣ୍ଡା ମୂଲ୍ୟ କମ୍‍ ରଖୁଛି। ଏଣୁ ଓଡ଼ିଶାର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଗୋଟିଏ ଅଣ୍ଡା ଉତ୍ପାଦନ ଲାଗି ୪ ଟଙ୍କା ୭୦ ପଇସା ଖର୍ଚ୍ଚ ହେଉଛି। ହେଲେ ଚାଷୀ ଅଣ୍ଡାର ଦର ଗୋଟା ପ୍ରତି ୩ଟଙ୍କା ୭୫ରୁ ୩ ଟଙ୍କା ୮୦ ପଇସାରେ ବିକ୍ରି କରୁଛନ୍ତି। ସେପଟେ ଅଣ୍ଡା ଦରବୃଦ୍ଧି ପାଉନି, ଓଲଟା କୁକୁଡ଼ା ଖାଦ୍ୟ, ଚିଆଁ ମୂଲ୍ୟ ବଢ଼଼ିବଢ଼଼ି ଚାଲିଛି। ଅନେକ ଚାଷୀ ଋଣ ଶୁଝି ନ ପାରି ଦେବାଳିଆ ହେଲେଣି। ପ୍ରାୟ ୩୦ଟି ଫାର୍ମ ବନ୍ଦ ହୋଇ ଯାଇଛି ଓ ଆହୁରି ୧୫ଟି ଫାର୍ମ ବନ୍ଦ ହେବା ଅବସ୍ଥାରେ। ରାଜ୍ୟରେ ପ୍ରାୟ ୫୦ ହଜାର ପ୍ରତ୍ୟକ୍ଷ ଓ ୨ ଲକ୍ଷ ପରୋକ୍ଷ ନିଯୁକ୍ତି ଦେଇଥିବା ଏହି କୁକୁଡ଼ା ଫାର୍ମଗୁଡ଼ିକ ଦୁର୍ଦଶା ଭିତରେ ଅଛନ୍ତି।
ଏହା ବିରୋଧରେ ୧୬ନଂ ଜାତୀୟ ରାଜପଥର ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍‌ ନିକଟରେ ସୋମବାରଠାରୁ ପ୍ରତିବାଦ ଆରମ୍ଭ ହୋଇଛି। ୬ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେବା ସହ ଆନ୍ଦୋଳନକାରୀମାନେ ଏନ୍‍ଇସିସିର ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଆନ୍ଦୋଳନରେ ଅଧ୍ୟକ୍ଷ ଶ୍ରୀ ମଙ୍ଗରାଜଙ୍କ ସହ ଆସୋସିଏସନର ଉପସଭାପତି ଦେବଦତ୍ତ ବିଶ୍ୱାଳ, ସାଧାରଣ ସମ୍ପାଦକ ଏଲ୍‍.ସରୋଜ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ବନ୍ଦନ ମହାନ୍ତି, ସନ୍ତୋଷ କୁମାର ପାତ୍ର, ପ୍ରସନ୍ନ କୁମାର ବସ୍ତିଆ, ମଦନ ମୋହନ ରାଉତ, ଦୀନେଶ ମେହେର, ଶୁଭେନ୍ଦୁ ସାହୁ, ଦୀପକ ସ୍ୱାଇଁ ଓ ଓଲ୍‍ଫାର ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ।
ଅନ୍ୟପକ୍ଷରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ କୃଷିମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚି ଜି. ରଘୁ, ଓଲ୍‍ଫାର ଅଧ୍ୟକ୍ଷ ଶ୍ରୀ ମଙ୍ଗରାଜ, ଏନ୍‍ଇସିସିର ସିଓଓ ଏସ୍‍. କୁମାର ଓ ଓଲ୍‍ଫାର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକରେ ଏନ୍‍ଇସିସି କର୍ତ୍ତୃପକ୍ଷ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ନେଇଛନ୍ତି। ଓଲ୍‍ଫା ମଧ୍ୟ ଆନ୍ଦୋଳନ ଅବ୍ୟାହତ ରଖିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର