୭ଟଙ୍କା ଛୁଇଁଲା ଅଣ୍ଡା

ଭୁବନେଶ୍ୱର : ରାଜ୍ୟରେ ଅଣ୍ଡା ଦର ୫ଟଙ୍କାରୁ ସିଧା ଲମ୍ଫ ମାରିଛି ୭ଟଙ୍କାକୁ। ଗୋଟିଏ ସପ୍ତାହରେ ଅଣ୍ଡା ଦରରେ ୨ଟଙ୍କା ବୃଦ୍ଧି ଘଟିଲାଣି। ରାଜ୍ୟ ସରକାରଙ୍କ ନିକଟରେ ଅଣ୍ଡା ଦର ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ରାଜ୍ୟରେ ମନଇଚ୍ଛା ଅଣ୍ଡା ଦର ବୃଦ୍ଧି ପାଉଛି। ଅଣ୍ଡା ପାଇଁ ଓଡ଼ିଶାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଦର ମଧ୍ୟ ସେମାନେ ନିୟନ୍ତ୍ରଣ କରୁଛନ୍ତି। ଆସନ୍ତା କିଛିଦିନ ପାଇଁ ଅଣ୍ଡା ଦର କମିବ ନାହିଁ ବୋଲି ଓପୋଲଫେଡ୍‌ କର୍ତୃପକ୍ଷ ଆଶଙ୍କା କରୁଛନ୍ତି।

ରାଜ୍ୟରେ ଦିନକୁ ୭୦ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଛି। ଏଥିରୁ ରାଜ୍ୟରେ ପ୍ରାୟ ୪୦ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବାବେଳେ ଅବଶିଷ୍ଟ ୩୦/୩୫ଲକ୍ଷ ଅଣ୍ଡା ରାଜ୍ୟ ବାହାରୁ ଆସୁଛି। ବିଶେଷ କରି ଆନ୍ଧ୍ର, ତାମିଲନାଡ଼ୁ ଓ ରାୟପୁରରୁ ଅଣ୍ଡା ଓଡ଼ିଶାକୁ ଆସୁଛି। ଅଣ୍ଡା ଦର ନିୟନ୍ତ୍ରଣ ପାଇଁ ଦେଶରେ ଜାତୀୟ ଅଣ୍ଡା ସମନ୍ଵୟ ସମିତି ବା ଏନ୍‌ଇସିସି ସଂସ୍ଥା ରହିଛି। ଦେଶରେ ୧୭ଟି ସ୍ଥାନରେ ଏନ୍‌ଇସିସିର ଶାଖା କାର୍ଯ୍ୟାଳୟ ରହିଥିଲେ ହେଁ ଓଡ଼ିଶାର ଏହାର କୌଣସି ଶାଖା ନାହିଁ। ଫଳରେ ବିଜୟଓ୍ଵାଡାସ୍ଥିତ ଏନ୍‌ଇସିସି ଉପରେ ଓଡ଼ିଶାର ଅଣ୍ଡାର ଦର ନିର୍ଭର କରୁଛି। ଏନ୍‌ଇସିସି ଅଣ୍ଡାର ମୂଲ୍ୟ ଧାର୍ଯ୍ୟ କରିବା ପରେ ଓପୋଲଫେଡ୍‌ ପକ୍ଷରୁ ଧାର୍ଯ୍ୟ ଦର ସହିତ ୨୭ ପଇସା ଅଧିକରେ ଅଣ୍ଡା କିଣିଥାଏ। ତେବେ ଗତ କିଛିଦିନ ହେବ ଏନ୍‌ଇସିସି ପକ୍ଷରୁ ଅଣ୍ଡା ଦରରେ ବାରମ୍ବାର ମୃଲ୍ୟ ବୃଦ୍ଧି କରାଯାଇଛି। ଏନ୍‌ଇସିସି ପକ୍ଷରୁ ୧ ସପ୍ତାହରେ ପ୍ରାୟ ଅଣ୍ଡା ଦରରେ ୪୦ ପଇସା ବୃଦ୍ଧି ହୋଇଛି। ଯାହାଫଳରେ ରାଜ୍ୟରେ ଅଣ୍ଡା ଦର ୭ଟଙ୍କାରେ ପହଞ୍ଚିଛି।

ଓପୋଲଫେଡର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଅଣ୍ଡା ଦର ସବୁବେଳେ ସ୍ଥିର ନ ଥାଏ। ଅଣ୍ଡାର ଦର ଧାର୍ଯ୍ୟ କରିବା ପାଇଁ ଏନ୍‌ଇସିସି ରହିଛି। ଏନ୍‌ଇସିସି ପକ୍ଷରୁ ଧାର୍ଯ୍ୟ ଦର କରାଯିବା ପରେ ଏନ୍‌ଇସିସି ଦର ସହିତ ୨୭ ପଇସା ଅଧିକରେ ରାଜ୍ୟ ବାହାରୁ ଅଣ୍ଡା କିଣାଯାଇଥାଏ। ଓପୋଲଫେଡ୍‌ ପକ୍ଷରୁ ଅଣ୍ଡା କିଣାଯିବା ପରେ ଏଜେଣ୍ଟକୁ ୪୦ ପଇସା ଅଧିକ ଦରର ବିକ୍ରି କରାଯାଇଥାଏ। ଏଜେଣ୍ଟରୁ ଖୁଚୁରା ବ୍ୟବସାୟୀ ନିକଟରେ ପହଞ୍ଚିବା ବେଳକୁ ଅଣ୍ଡା ଦରରେ ଯଥେଷ୍ଟ ବୃଦ୍ଧି ଘଟୁଛି। ପ୍ରତ୍ୟେକ ଦିନ ରାଜ୍ୟକୁ ୩୦/୩୫ଲକ୍ଷ ଅଣ୍ଡା ରାଜ୍ୟ ବାହାରୁ ଆମଦାନି କରାଯାଉଛି। ପଶ୍ଚିମ ଓଡ଼ିଶାକୁ ଅଣ୍ଡା ପାଇଁ ରାୟପୁର ଉପରେ ନିର୍ଭର କରିବାକୁ ପଡ଼ୁଛି। ଏନ୍‌ଇସିସି ବିଜୟଓ୍ଵାଡା ଉପରେ ଓଡ଼ିଶା ନିର୍ଭର କରୁଥିବାରୁ ସେଠାରେ ଧାର୍ଯ୍ୟ ଦରରେ ବୃଦ୍ଧି ହେଲେ ଓଡ଼ିଶାରେ ଅଣ୍ଡା ଦରରେ ଏହାର ପ୍ରଭାବ ପଡ଼ୁଛି। ୩ ଦିନ ତଳେ ଅଣ୍ଡା ଦରରେ ଏକାଥରରେ ୨୩ ପଇସା ବୃଦ୍ଧି ହୋଇଛି।

ଆନ୍ଧ୍ରରେ ଅଣ୍ଡା ଉତ୍ପାଦନ କମିଥିବାରୁ ଏହି ଦରବୃଦ୍ଧ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିର୍ଦ୍ଦିଷ୍ଟ କେଉଁ କାରଣ ପାଇଁ ଅଣ୍ଡା ଦରରେ ବୃଦ୍ଧି ହୋଇଛି ତାହା ଏନ୍‌ଇସିସି ପକ୍ଷରୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ। ଯେହେତୁ ଓଡ଼ିଶାରେ ଏନ୍‌ଇସିସିର କାର୍ଯ୍ୟାଳୟ ନାହିଁ ତେଣୁ ରାଜ୍ୟର ଲୋକମାନଙ୍କୁ ଅଣ୍ଡା ଦର ବୃଦ୍ଧି କିମ୍ବା କମ୍‌ର ହିସାବ ରାଜ୍ୟବାସୀଙ୍କୁ ଜଣାଇବା ସମ୍ଭବ ହେଉନାହିଁ। ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ଅଣ୍ଡା ଦର ନିୟନ୍ତ୍ରଣ କରିବା ପାଇଁ କୌଣସି ନୀତି ମଧ୍ୟ ନାହିଁ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଓପୋଲଫେଡ୍‌ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ଯଦି ରାଜ୍ୟ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନିଅନ୍ତି ତେବେ ଓପୋଲଫେଡ୍‌କୁ ଅଣ୍ଡା ଦର ନିୟନ୍ତ୍ରଣ ପାଇଁ ସୁଯୋଗ ମିଳିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର