ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣାରେ ଥାନାରେ ମାମଲା ରୁଜୁ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଘଟରାରେ ବାଲିଅନ୍ତା ଥାନାରେ ମାମଲା ରୁଜୁ ହୋଇଛି । ଧନେଶ୍ବର ବାରିକ୍‌ ନାଁରେ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରଛି। ଅଭିଯୋଗରେ ଶ୍ରୀ ବାରିକ୍‌ ଦର୍ଶାଇଛନ୍ତି ଯେ, ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ବାଲିପାଟଣାରେ ସାଂସଦଙ୍କ ଗାଡି ଉପରକୁ ଅଣ୍ଡାମାଡ କରି ପ୍ରତିବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ବିଜେପି କର୍ମୀ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କୁ ଅଣ୍ଡାମାଡ କରୁଥିବାବେଳେ କଂଗ୍ରେସ କର୍ମୀ ମାନେ ସାଂସଦ ଅପରାଜିତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି। ଦେଶରେ ଦରଦାମ ବୃଦ୍ଧି ପାଉଥିବାବେଳେ ସାଂସଦ କାହିଁକି ଚୁପ୍ ଅଛନ୍ତି ? ଏହାର ପ୍ରତିବାଦରେ ଛାତ୍ରକଂଗ୍ରେସ କର୍ମୀମାନେ ଅଣ୍ଡାମାଡ କରିଥିବା ଜଣାପଡିଛି । ଗତ କିଛି ଦିନ ହେବ ପ୍ରତିବାଦର ଏକ ନୂଆ ଷ୍ଟାଇଲ ପାଲଟିଛି ଅଣ୍ଡାମାଡ । ବିଶେଷ କରି ମମିତା ମେହେର ହତ୍ୟାକାଣ୍ଡ ପରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଅଣ୍ଡାମାଡ କରି ପ୍ରତିବାଦ କରିବା ବୃଦ୍ଧି ପାଇଛି ।

ବିଭିନ୍ନ ସମୟରେ ରାଜ୍ୟ କ୍ୟାବିନେଟର ଏକାଧିକ ମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ କର୍ମୀ । ତେବେ କଂଗ୍ରେସ କର୍ମୀମାନେ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ଜଗତସିଂହପୁରରେ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡି ଉପରକୁ ମଧ୍ୟ ଅଣ୍ଡାମାଡ କରିଥିଲେ । ସେହିପରି ନିକଟରେ କେନ୍ଦ୍ରାପଡା ଗସ୍ତରେ ଯାଇଥିବାବେଳେ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ ବିଜେଡି କର୍ମୀ । ଏହାଛଡା ବିଜେଡି ମନ୍ତ୍ରୀଙ୍କୁ ମଧ୍ୟ ବିଜେପି କର୍ମୀ ମାନେ ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରତିବାଦ ସ୍ୱରୂପ ଅଣ୍ଡାମାଡ କରୁଥିବାର ଦେଖିବାକୁ ମିଳୁଛି । ତେବେ ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ଏହି ଅଣ୍ଡାମାଡ ପ୍ରତିବାଦ ଆହୁରି ରୋଚକ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର