ଦିନକରେ ୨ ଥର ଅଣ୍ଡା ମାଡ଼: ନର୍ଲାରେ ଟୁକୁନୀ ସାହୁ, କଲମପୁରରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ିକୁ ଟାର୍ଗେଟ

ଭବାନୀପାଟଣା/କଲମପୁର: କଳାହାଣ୍ଡିରେ ପୁଣି ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଗୋଟିଏ ଦିନରେ ୨ ଜଣ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଆଜି ଅପରାହ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା । ସେହିପରି ପ୍ରାୟ ସମାନ ସମୟରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ମଧ୍ୟ ଅଣ୍ଡାମାଡ଼ ହୋଇଛି। ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକ୍ରମକୁ ଯାଉଥିଲା ବେଳେ ଏହି ଅଣ୍ଡା ମାଡ଼ ହୋଇଥିବା ଜଣାଯାଇଛି। ବିଜେପିର କର୍ମୀମାନେ ଅଣ୍ଡା ମାଡ଼ ସହ କଳାପତାକା ଦେଖାଇଛନ୍ତି।

ବହୁଚର୍ଚ୍ଚିତ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା କାଣ୍ଡ ପାଇଁ ସମ୍ପୃକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି ଏବଂ ଉଚିତ ତଦନ୍ତ ପାଇଁ ଦିନକୁ ଦିନ ବିରୋଧ ଅଧିକ ଯୋର ଧରିଥିବା ବେଳେ ପ୍ରତିବାଦରେ କଲମପୁର ସ୍ମାର୍ଟ କାର୍ଡ ବଣ୍ଟନ ପାଇଁ ଆସିଥିବା ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଉତ୍ତେଜିତ ବିରୋଧୀଙ୍କ ବିରୋଧ ସାମ୍ନା କରିବାକୁ ପଡିଥିଲା। ମନ୍ତ୍ରୀଙ୍କ ଆସିବା ପୂର୍ବରୁ ଏବଂ ତାଙ୍କ ଫେରସ୍ତ ଯାଏଁ ବିରୋଧୀ ତାଙ୍କ ପିଛା ଛାଡ଼ିନଥିଲେ। କଂଗ୍ରସ ଏବଂ ବିଜେପି ଦଳ ପକ୍ଷରୁ କଲମପୁର ଠାରେ ମନ୍ତ୍ରୀଙ୍କ ଗାଡ଼ିରେ ଅଣ୍ଡା ମାଡ ଏବଂ କଲା ପତାକା ପ୍ରଦର୍ଶନ କରି ବିରୋଧ କରାଯାଇଥିଲା। ଦିନତମାମ ପୁଲିସକୁ ଆଜି ନାକେଦମ ହେବାକୁ ପଡିଥିଲା। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପୁଲିସ ସୁରକ୍ଷା ବଳରେ ଏହି କାର୍ଯ୍ୟକ୍ରମ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କଲମପୁରବାସୀ ଦେଖିଥିଲେ। ପରେ ବିଡ଼ିଓ ପ୍ରସନ୍ନ କୁମାର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ମଞ୍ଜୁଳା ସାହୁ, ତହସିଲଦାର କରିସ୍ମା ବେଶ୍ରା, ଚିକିତ୍ସାଧିକାରୀ ଡା. ଶିବାଶିଷ ସ୍ୱାଇଁ, କଲମପୁର ସରପଞ୍ଚ ମିନା କୁମାରୀ ମାଝୀ ପ୍ରମୁଖ ମଞ୍ଚାସିନ ରହିଥିଲେ।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସ୍ମାର୍ଟ କାର୍ଡ ବାବଦରେ ସମସ୍ତକୁ ବିସ୍ତୃତ ଭାବେ ବୁଝାଇଥିଲେ ଏବଂ କଲମପୁରର ୨୦ ଜଣ ହିତାଧିକାରୀକୁ ନିଜେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି, ଆଶା କର୍ମୀ, ମିଶନଶକ୍ତି ମହିଳା ଏସଏଚଜି ସଭ୍ୟା ପ୍ରାୟ ୫ ଶହରୁ ଅଧିକ ଲୋକ ଯୋଗଦେଇଥିଲେ। ଆଉ ମଧ୍ୟ ପଣ୍ଡିଗାଁ ପଞ୍ଚାୟତରେ ସରପଞ୍ଚ ବନଯା ବାସିନୀ ମହାପାତ୍ର ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଯୋଗଦେଇ ୨୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଅନୁରୂପ ଭାବେ ଦେପୁର ପଞ୍ଚାୟତରେ ସରପଞ୍ଚ ଭୁକୁଲୁ ବାଗଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ।
ମମିତାଙ୍କୁ ନ୍ୟାୟ ଦାବିରେ ସେହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ଏବଂ ଉପଯୁକ୍ତ ତଦନ୍ତ ପାଇଁ ମମିତରଙ୍କ ପରିବାର, ବିଭିନ୍ନ ସାମାଜିକ ସଂଗଠନ ଏବଂ ବିରୋଧୀ ଗୋଷ୍ଠୀ ଅନେକ ଦିନରୁ ଦାବି କରି ଆସୁଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଗାଡ଼ି ଉପରକୁ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଅଣ୍ଡା ମାଡ଼ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଓ ଲୋକାର୍ପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭବାନୀପାଟଣା ଠାରୁ ଫେରିବା ବେଳେ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିଜେପି ତରଫରୁ ବଜାର ପାଖରେ ଓ କଂଗ୍ରେସ ଦଳ ତରଫରୁ ନର୍ଲା ଷ୍ଟେଟ୍ ବ୍ୟାଙ୍କ୍ ସାମନାରେ ମନ୍ତ୍ରୀ ଟୁକୁନୀଙ୍କ ଗାଡିକୁ  ଜୋରଦାର୍ ଅଣ୍ଡାମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା ଓ ‘ମନ୍ତ୍ରୀ ଟୁକୁନୀ ସାହୁ ଗୋ ବ୍ୟାକ୍ ଗୋ ବ୍ୟାକ୍’ ନାରାବାଜି କରାଯାଇଥିଲା । ତେବେ କଳାପତାକା ପ୍ରଦର୍ଶନ କରିଥିବାରୁ ଦୁଇଜଣଙ୍କୁ ନର୍ଲା ଥାନାରେ ଅଟକ ରଖି କିଛି ସମୟପରେ ଛାଡି ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ନର୍ଲା ରାଜନୀତି ସରଗରମ ହୋଇଯାଇଛି । ମନ୍ତ୍ରୀ ନର୍ଲାରେ ଏକ ଘଣ୍ଟା ଅତିବାହିତ କରିବା ପରେ ସେଠାରୁ ମଦନପୁର ରାମପୁର ଅଭିମୁଖେ ବାହାରିଥିଲେ।

 

ସମ୍ବନ୍ଧିତ ଖବର