ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଉପରକୁ ବିଜେପି କର୍ମୀଙ୍କ ଅଣ୍ଡାମାଡ଼

ଭବାନୀପାଟଣା/ରୁପ୍ରା: ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଗାଡ଼ି ଉପରକୁ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଅଣ୍ଡା ମାଡ଼ ହୋଇଥିବା ଜଣାଯାଇଛି।  ଭବାନୀପାଟଣା ଠାରୁ ଫେରିବା ବେଳେ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିଜେପି ତରଫରୁ ବଜାର ପାଖରେ ଓ କଂଗ୍ରେସ ଦଳ ତରଫରୁ ନର୍ଲା ଷ୍ଟେଟ୍ ବ୍ୟାଙ୍କ୍ ସାମନାରେ ମନ୍ତ୍ରୀ ଟୁକୁନୀଙ୍କ ଗାଡିକୁ  ଜୋରଦାର୍ ଅଣ୍ଡାମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା ଓ ‘ମନ୍ତ୍ରୀ ଟୁକୁନୀ ସାହୁ ଗୋ ବ୍ୟାକ୍ ଗୋ ବ୍ୟାକ୍’ ନାରାବାଜି କରାଯାଇଥିଲା । ତେବେ କଳାପତାକା ପ୍ରଦର୍ଶନ କରିଥିବାରୁ ଦୁଇଜଣଙ୍କୁ ନର୍ଲା ଥାନାରେ ଅଟକ ରଖି କିଛି ସମୟପରେ ଛାଡି ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ନର୍ଲା ରାଜନୀତି ସରଗରମ ହୋଇଯାଇଛି । ମନ୍ତ୍ରୀ ନର୍ଲାରେ ଏକ ଘଣ୍ଟା ଅତିବାହିତ କରିବା ପରେ ସେଠାରୁ ମଦନପୁର ରାମପୁର ଅଭିମୁଖେ ବାହାରିଥିଲେ।

ଭବାନୀପାଟଣା ଠାରେ ମୁଖ୍ୟମନ୍ତ୍ରୀ ନବୀନ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ ବଣ୍ଟନର ଶୁଭାରମ୍ଭ କରିଥିବା ବେଳେ ନର୍ଲା ବ୍ଲକ ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ହୋଇଥିଲା। ଅତିଥି ଭାବରେ ଶିଶୁ ବିକାଶ ବିଭାଗର ମୂଖ୍ୟ ସଚେତକ ବୀନୟ ଟପୋ ଯୋଗଦାନ କରି ଏହି କାର୍ଡର ଉପକାରିତା ବାବଦରେ ବୁଝାଇଥିଲେ । ନର୍ଲା ତହସିଲଦାର ତଥା ବିଡିଓ ମାନସ ରଞ୍ଜନ ତ୍ରିପାଠୀ ଓ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ପ୍ରମୁଖ ମଞ୍ଚାସୀନ ରହି ଉପସ୍ଥିତ ଥିବା ମା’ ମାନଙ୍କୁ ସ୍ୱାସ୍ଥ୍ୟକାର୍ଡ୍ ବାବଦରେ ବୁଝାଇଥିଲେ ।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାକୁ ଗସ୍ତ କରିଥିଲେ। ଏହି ଗସ୍ତରେ ନବୀନ କଳାହାଣ୍ଡିବାସୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୪ ଲକ୍ଷ ଲୋକଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଥିଲେ। ଏଥି ସହିତ କଳାହାଣ୍ଡି ଜିଲ୍ଲା ପାଇଁ ୮୬୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫ଟି-ସଚିବ ଭିକେ ପାଣ୍ଡିଆନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର