ବଲାଙ୍ଗୀର: ବିଜେପି ଓ ବିଜେଡି କର୍ମୀ ମଙ୍ଗଳବାର ମୁହାଁମୁହିଁ ହୋଇଛନ୍ତି। ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି। ଶ୍ରେୟ ରାଜନୀତିକୁ ନେଇ ଗଣ୍ଡୋଗୋଳ ହୋଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଭାଲେର ଛକରେ। ଆଜି ଭାଲେର-କୁରୁଲ ବ୍ରିଜ ନିର୍ମାଣ ପାଇଁ ମୃତ୍ତିକା ଟେଷ୍ଟ କରି ଯାଉଥିବା ସମୟରେ ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ସ୍ଥାନୀୟ ବିଜେଡି କର୍ମୀମାନେ ବିରୋଧ କରିଥିଲେ। ଶାସକ ବିଜେଡି ଦଳର ସ୍ଥାନୀୟ ନେତା ଓ କର୍ମୀ ବିଧାୟକଙ୍କୁ କଳାପତାକା ଦେଖାଇଥିଲେ।
ଉଭୟ ବିଜେଡି ଓ ବିଜେପି କର୍ମୀ ଠେଲାପେଲା ହେବା ସହିତ ମାଡପିଟ ହୋଇଥିଲେ। ପୁଇଁନ୍ତଲା ପୁଲିସ ଘଟଣାସ୍ଥଳରେ ପହଚିଂ ଉଭୟ ଦଳର କର୍ମୀଙ୍କୁ ବୁଝାସୁଝା କରିଥିଲା। ବ୍ରିଜ ନିର୍ମାଣ ପାଇଁ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଉଦ୍ୟମ କରିଥିଲେ। କିନ୍ତୁ ବିଜେପି ବିଧାୟକ କ’ଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଆସିଛନ୍ତି ବୋଲି ବିଜେଡି କର୍ମୀମାନେ କହିଥିଲେ। ଅନ୍ୟପଟେ ଶାସକ ଦଳ ଗୁଣ୍ଡାଗିରୀ କରୁଥିବା କହିଛନ୍ତି ବିଧାୟକ ମହାଲିଙ୍ଗ । ପୁଇନ୍ତଳା ଥାନା ଅଧିକାରୀଙ୍କ ସହିତ କଥା ହୋଇ ତଦନ୍ତ କରି ଗିରଫ କରିବାକୁ ଦାବି କରଛନ୍ତି।