ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଗାଏବ୍‌, ଏପ୍ରିଲ ୨ରୁ ଛାତ୍ରଛାତ୍ରୀଙ୍କୁ ମିଳୁନି ଅଣ୍ଡା

ଅକଳରେ ପଡ଼ିଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ

କଟକ : ଦେଢ ମାସ ହେଲା କଟକ-ଭୁବନେଶ୍ବର ମହାନଗର ଏବଂ ଏହି ଦୁଇ ମହାନଗରର ଉପକଣ୍ଠରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆଉ ଅଣ୍ଡା ମିଳୁନି। କୋଭିଡ୍ ପରିସ୍ଥିତି ଯୋଗୁଁ ପାଖାପାଖି ଦୁଇ ବର୍ଷ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ରହିବା ପରେ ପୁଣିଥରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବା ପରଠାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ୨୦୨୧, ସେପ୍ଟେମ୍ବର ୨୫ ତାରିଖରେ ସରକାର ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ କରି ପ୍ରଥମେ ୮ମ ଶ୍ରେଣୀ ଖୋଲିଲେ। ପରେ ୬ଷ୍ଠ/୭ମ ଓ ପ୍ରଥମରୁ ପଂଚମ ଶ୍ରେଣୀ ଶିକ୍ଷାଦାନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଆରମ୍ଭ ହେଲା। କିନ୍ତୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଆରମ୍ଭ ହେଲା ୨୦୨୨, ଏପ୍ରିଲ ୨ ତାରିଖରୁ। ସେହି ଦିନ ଠାରୁ କଟକ-ଭୁବନେଶ୍ବର ପିଲାଙ୍କୁ କିନ୍ତୁ ମଧ୍ୟାହ୍ନ ଭୋଜନରେ ଆଉ ଅଣ୍ଡା ମିଳୁ ନାହିଁ। ଯଦିଓ ଗ୍ରାମାଞ୍ଚଳରେ ପ୍ରଧାନ ଶିକ୍ଷକ/ ପ୍ରଧାନ ଶିକ୍ଷୟିତ୍ରୀମାନେ ଯେଉଁଠୁ ଯେମିତି ଯୋଗାଡ଼ କରି ପିଲାଙ୍କୁ ଅଣ୍ଡା ‌ଖାଇବାକୁ ଦେଉଛନ୍ତି, ସହରୀ ପିଲା କିନ୍ତୁ ଅଣ୍ଡା ଖାଇବାରୁ ଦେଢ ମାସ ହେଲା ବଂଚିତ ହେଲେଣି।

ତଥ୍ୟ ଅନୁଯାୟୀ କଟକ, ଭୁବନେଶ୍ବର ମହାନଗର ଓ ଏହାର ଉପକଣ୍ଠରେ ଥିବା ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ବ ନେଇଛି ଅକ୍ଷୟ ପାତ୍ର ଫାଉଣ୍ଡେସନ୍। ଫାଉଣ୍ଡେସନ ପକ୍ଷରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ସ୍କୁଲରେ ଯୋଗାଇ ଦିଆଯାଏ। ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ ବାରରେ ଭାତ-ଡାଲମା, ଭାତ-ସୋୟାବିନ୍ ତରକାରୀ, ଭାତ-ଚଣା ତରକାରୀ, ଭାତ-ମିକ୍ସ ଡାଲି, ଖଟା ଇତ୍ୟାଦି ପ୍ରସ୍ତୁତ କରି ସ୍କୁଲକୁ ପିଲା ସଂଖ୍ୟା ଅନୁଯାୟୀ ଯୋଗାଇ ଦିଆଯାଏ। କୋଭିଡ୍ ପୂର୍ବରୁ ପିଲା ସଂଖ୍ୟା ଅନୁଯାୟୀ ସ୍କୁଲକୁ ଅଣ୍ଡା ଗୋଟା ୫ ଟଙ୍କା ହିସାବରେ ସରକାର ଟଙ୍କା ଯୋଗାଇ ଦେଉଥିଲେ। ଏବଂ ଶିକ୍ଷକମାନେ ସେହି ଟଙ୍କାରେ ଅଣ୍ଡା କିଣି ତାହାକୁ ସିଝାଇ ସପ୍ତାହକୁ ଦୁଇ ଥର ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଦେଇ ଆସୁଥିଲେ। କିନ୍ତୁ କୋଭିଡ୍ ପରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ପରଠାରୁ ସରକାର ଆଉ ଟଙ୍କା ଦେଉ ନାହାନ୍ତି କି ସହରୀ ପିଲା ଅଣ୍ଡା ଖାଇ ପାରୁ ନାହାନ୍ତି।

The Hans India

ଏଭଳି ବ୍ୟବସ୍ଥାରେ କଟକ ସଦର ବ୍ଲକ ଅଧୀନରେ ଥିବା ୧୩୨ଟି ସ୍କୁଲର ୧୦ ହଜାର ୫୫୦ ଛାତ୍ରଛାତ୍ରୀ, କଟକ ମହାନଗର ଅଞ୍ଚଳରେ ଥିବା ୧୫୩ଟି ସ୍କୁଲର ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଅଣ୍ଡାରୁ ବଂଚିତ ହୋଇଛନ୍ତି। ଭୁବନେଶ୍ବର ଅଞ୍ଚଳରେ ଏହି ସଂଖ୍ୟା ୪୦ ହଜାରରୁ ଅଧିକ ହେବ ବୋଲି କୁହାଯାଉଛି। ସରକାର କାହିଁକି ଆଉ ସହରୀ ପିଲାଙ୍କୁ ଅଣ୍ଡା ଦେଉ ନାହାନ୍ତି, ସେ ଉତ୍ତର ଅବଶ୍ୟ ଶିକ୍ଷା ଅଧିକାରୀ ମାନଙ୍କ ନିକଟରେ ନାହିଁ। ସରକାରୀ ନିର୍ଦ୍ଦେଶ ନ ଆସିବା ଯାଏ ସେମାନେ ନାଚାର ବୋଲି କହୁଛନ୍ତି। ଅଣ୍ଡା ଯୋଗାଇବା ଦାୟିତ୍ବ ବି ଅକ୍ଷୟ ପାତ୍ର ଫାଉଣ୍ଡେସନର ନୁହେଁ। କିନ୍ତୁ ଏହି ଦେଢ ମାସ ହେଲା କଟକ-ଭୁବନେଶ୍ବର ପିଲାଙ୍କୁ ଅଣ୍ଡା ନ ଦେଇ ସରକାର ଅବଶ୍ୟ ୪୮ ଲକ୍ଷ ଟଙ୍କା ସଂଚୟ କରି ପାରିଛନ୍ତି।

କିନ୍ତୁ ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ନେଇ ଏଭଳି ଅବସ୍ଥା ଏବେ ଅଭିଭାବକ ମହଲରେ ଅସନ୍ତୋଷର କାରଣ ‌ହୋଇଛି। ସେପଟେ ମୁଣ୍ଡପିଛା ହାରାହାରି ୫ ଟଙ୍କା ୪୨ ପଇସାରେ ପ୍ରାଥମିକ ଛାତ୍ରଛାତ୍ରୀ ଓ ୮ ଟଙ୍କା ୧୦ ପଇସାରେ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଭାତ-ଡାଲମା, ଭାତ-ସୋୟାବିନ ଆଉ ଭାତ-ଅଣ୍ଡା ପ୍ରସ୍ତୁତ କରି ମଧ୍ୟାହ୍ନ ଭୋଜନରେ ଦେବାକୁ ଗ୍ରାମାଞ୍ଚଳର ଶିକ୍ଷକ/ଶିକ୍ଷୟିତ୍ରୀ ନା‌କେଦମ୍ ହେଉଥିବା ବେଳେ ଏପଟେ ସହରରେ ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଗାଏବ ଘଟଣା ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଅକଳରେ ପକାଇଛି। ଅଭିଭାବକଙ୍କୁ ସନ୍ତୋଷଜନକ ଉତ୍ତର ଦେଇ ନ ପାରି ସେମାନେ ଏବେ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର