ଲଇକେରା : ଲଇକେରା ବ୍ଲକ ସାହାସପୁର ପଞ୍ଚାୟତ କେନ୍ଡ଼ିହି ଅଙ୍ଗନବାଡି କେନ୍ଦ୍ରରେ ତିନିମାସ ହେବ ଗର୍ଭବତୀ ଓ ଶିଶୁମାନଙ୍କୁ ଅଣ୍ଡା ଦିଆଯାଉ ନଥିବା ଅଭିଯୋଗ ହେଉଛି।
ଅଭିଯୋଗ ଅନୁସାରେ ଜାନୁଆରିରୁ ମାର୍ଚ୍ଚ ତିନି ମାସ ଧରି ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କୁ ଅଣ୍ଡା ଦିଆଯାଇ ନାହିଁ। ମାସକୁ ୧୨ଟି ହିସାବରେ ୩୬ଟି ଅଣ୍ଡା ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରରେ ୫ ଜଣ ଶିଶୁ ଥିବା ବେଳେ ଅଙ୍ଗନବାଡ଼ି କର୍ମୀ ସୀତା କଂସରାଳି ପିଲାଙ୍କୁ ପାଠ ନ ପଢ଼ାଇ ଅଧିକ ସମୟରେ ମୋବାଇଲରେ ଗପୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ବାବଦରେ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ କଂସରାଳିଙ୍କୁ ପଚାରିବାରୁ ସେ କହିଛନ୍ତି, ମୋର ବ୍ୟକ୍ତିଗତ ଅସୁବିଧା ଥିବାରୁ ମୁଁ ଅଣ୍ଡାର ଟଙ୍କା ଖର୍ଚ୍ଚ କରି ଦେଇଥିଲି। ଆଜି ଗୋଟିଏ କାର୍ଟୁନ ଅଣ୍ଡା ଆଣିଛି ଓ ପରେ ପୁଣି ଆଉ ଅଣ୍ଡା ଆଣି ଦେଇ ଦେବି।
ଏ ବିଷୟରେ ସିଡିପିଓଙ୍କୁ ପଚାରିବାରୁ ସେ କହିଛନ୍ତି ‘କାଲି ତଦନ୍ତ ପାଇଁ ସୁପରଭାଇଜରଙ୍କୁ ପଠାଉଛି ଓ ମୁଁ ମଧ୍ୟ ସୋମବାର ଯିବି’ ବୋଲି କହିଛନ୍ତି। ଏହା ଉପରେ ସାହାସପୁର ପଞ୍ଚାୟତ ସରପଞ୍ଚ ସୁକାନ୍ତି ଜୟପୁରିଆ କହିଛନ୍ତି ଏହିଭଳି ଅଭିଯୋଗ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପୂର୍ବରୁ ରହିଛି। ଏହାର ଉପରେ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବା ସହିତ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ସେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/eggs.jpeg)