କେସିଙ୍ଗା : କିଛିଦିନର ନିରବତା ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ହଟହଟା ହେବାକୁ ପଡ଼ିଛି। ବୁଧବାର ଦିନ କେସିଙ୍ଗା ଏନ୍‌ଏସି ଅଞ୍ଚଳର ବିଭିନ୍ନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ ସହିତ ତାଙ୍କୁ କଳାପତାକା ପ୍ରଦର୍ଶନ କରିଛନ୍ତି।

Advertisment

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସନ୍‌ସାଇନ୍‌ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ କେନ୍ଦ୍ରକରି ମନ୍ତ୍ରୀ ଶ୍ରୀ ମିଶ୍ର ବିରୋଧର ସମ୍ମୁଖୀନ ହୋଇଆସୁଛନ୍ତି। କିଛିଦିନ ଧରି ବିରୋଧ ସମ୍ପର୍କିତ ଖବର ଶୁଣିବାକୁ ମିଳୁନଥିଲାବେଳେ ଆଜି ହଠାତ୍‌ ତାହାର ପୁନରାବୃତ୍ତି ଘଟିଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଆଜି କେସିଙ୍ଗା ଏନ୍‌ଏସି ଅଞ୍ଚଳରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ରହିଥିଲା। ସେ ମୁକ୍ତା ଯୋଜନାରେ ପଲକାପଡ଼ାରେ ହୋଇଥିବା ଶିଶୁ ଉଦ୍ୟାନକୁ ଉଦ୍‌ଘାଟନ କରି ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା କର୍ମୀମାନେ ତାଙ୍କ ଗାଡ଼ି ସମ୍ମୁଖକୁ ଚାଲିଆସି ଅଣ୍ଡା ମାଡ଼ ଓ କଳାପତାକା ପ୍ରଦର୍ଶନ କରିଥିଲେ। ପୂର୍ବତନ କାଉନ୍‌ସିଲର ବିଜୟ ଦୀପଙ୍କ ନେତୃତ୍ୱରେ ପରମେ ଦୀପ ଓ ଅନ୍ୟ କର୍ମୀମାନେ ଏହି ବିରୋଧରେ ସାମିଲ ହୋଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ସାଂସଦ ବସନ୍ତ ପଣ୍ଡା ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର, ମନ୍ତ୍ରୀ ଶ୍ରୀ ମିଶ୍ର ଅତିଥି ହୋଇଥିବାରୁ ସେ ସେ କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସ୍ଥାନୀୟ ବିଜେପି କର୍ମୀମାନେ ମଧ୍ୟ କାର୍ଯ୍ୟକ୍ରମକୁ ବିରୋଧ କରିଥିବା ଜଣାପଡ଼ିଛି।