ଉମରକୋଟ : ଆଜି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ନବରଂଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ କଂଗ୍ରେସ କର୍ମୀଙ୍କ ରୋଷର ଶିକାର ହେବାକୁ ପଡିଛି। ନବରଂଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୁଣ୍ଡାଗୁଡା ଓ ନେଉରା ଗ୍ରାମ ମଝିରେ ମନ୍ତ୍ରୀ ଓ ସାଂସଦଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀ ଅଣ୍ଡା ଓ ଢେଲା ମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ପୁଲିସ ୩ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Advertisment

ଆଜି ସକାଳେ ମନ୍ତ୍ରୀ ଓ ସାଂସଦ ଉମରକୋଟ ବ୍ଲକର ନେଉରା ପଞ୍ଚାୟତ ଗସ୍ତ କରିଥିଲେ। ପ୍ରଥମେ ଗଟେଗାଁ ଗୁଡାରେ ଭୂମି ପୂଜା କରି ପଦଯାତ୍ରାରେ ଫେରୁଥିବା ବେଳେ ମୁଣ୍ଡାଗୁଡା ଠାରେ ପୂର୍ବରୁ ଛକି ରହିଥିବା ୬ରୁ ୭ଜଣ କଂଗ୍ରେସ କର୍ମୀ ମନ୍ତ୍ରୀ ଓ ସାଂସଦଙ୍କ ଗାଡି ଉପରକୁ ଅଣ୍ଡା ଓ ଢେଲା ମାଡ କରିବା ସହ କଳା ପତାକା ପ୍ରଦର୍ଶନ କରିଥିଲେ। ଏହାପରେ ମନ୍ତ୍ରୀ ଓ ସାଂସଦ ନେଉରା ଗାଁରେ ପହଞ୍ଚି ଭୂମି ପୂଜା ପାଇଁ ଗାଡିରୁ ଓହ୍ଲାଇ ଚାଲିଚାଲି ସଭାସ୍ଥଳକୁ ଯିବା ସମୟରେ ପୁଣିଥରେ କଂଗ୍ରେସ କର୍ମୀ ମାନେ କଳା ପତାକା ପ୍ରଦର୍ଶନ କରିଥିଲେ। ଉପସ୍ଥିତ ବିଜେଡି କର୍ମୀ ମାନେ ତୀବ୍ର ବିରୋଧ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ଜଣ କଂଗ୍ରେସ କର୍ମୀଙ୍କୁ କାବୁ କରି ଥାନାକୁ ନେଇଥିଲା। ଘଟଣା ପରେ ମନ୍ତ୍ରୀ ଓ ସାଂସଦ ନେଉରା ପଞ୍ଚାୟତର ୧୦ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।