ଝରିଗାଁ: ସାଂସଦଙ୍କ ବାଇକ ରାଲି ବେଳେ ନିଜ ନିର୍ବାଚନମଣ୍ଡଳୀରେ ଅଣ୍ଡାମାଡର ଶିକାର

ନବରଙ୍ଗପୁର/ଝରିଗାଁ : ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ବାଇକ ରାଲି ବେଳେ ନିଜ ନିର୍ବାଚନମଣ୍ଡଳୀରେ ଅଣ୍ଡାମାଡର ଶିକାର ହେବାକୁ ପଡିଛି। ସାଂସଦ ରମେଶ ଚନ୍ଦ୍ର ମାଝୀ ଗୁରୁବାର ଦିନ ଝରିଗାଁ ବ୍ଲକ ଗ୍ରସ୍ତ କରି ଜୋନ୍ ନଂ ୩ର ପ୍ରାର୍ଥିନୀ ତ୍ରିମିଳା ପୂଜାରୀଙ୍କ ପାଇଁ ପ୍ରଚାର କରିବା ପାଇଁ ଯାଇଥିଲେ। ସେ ଇଛାପୁର ପଞ୍ଚାୟତର ଢ଼େପଗୁଡା ଠାରେ ଏକ ନିର୍ବାଚନ ବୈଠକରେ ଯୋଗଦେଇ ବାଇକ ରାଲିରେ ଦୁମାମ ଗ୍ରାମ ଦେଇ କେବିଡି ଗ୍ରାମକୁ ଯିବାର ଥିଲା। ସେହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଦୁମାମ ଗ୍ରାମବାସୀ ବାଇକ୍‌ ରାଲି ଦୁମାମ ଗ୍ରାମକୁ ଆସିବା କ୍ଷଣି ସାଂସଦ ଓ ନେତାଙ୍କୁ ବିରୋଧ କରି ଅଣ୍ଡାମାଡ କରିଥିବା ଦେଖିବାକୁ ମିଳିଥିଲା।

ବିଜେଡି  ସମର୍ଥକଙ୍କୁ ଲୋକେ ଗୋଡାଉଥିବା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି।  ଏବେ ବାଇକ ରାଲି ଓ ଗାଡି ଉପରକୁ ଅଣ୍ଡାମାଡ କରିଥିବା ଏବଂ ଗାଳିଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ସମୟ ପାଇଁ ଗ୍ରାମବାସୀ ଓ ସାଂସଦଙ୍କ ସମର୍ଥକ  ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଉତ୍ତେଜନା ଲାଗିରହିଥିବାରୁ ସାଂସଦଙ୍କ ସମର୍ଥକମାନେ ସେଠାରୁ ଚାଲିଯାଇଥିଲେ। ତେବେ ଗ୍ରାମବାସୀଙ୍କ ରୋଷର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ ସେହି ପଞ୍ଚାୟତର ନୂତନ ଗୃହ ଉଦଘାଟନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସାଂସଦ ଆସିନଥିଲେ। ଏହା ପୂର୍ବରୁ ସାଂସଦ ରମେଶ ମାଝୀଙ୍କ ଉପରେ ଗ୍ରାମବସୀଙ୍କ ଅଭିମାନ ଓ ରୋଷ ରହିଥିଲା। ଏବେ ଭୋଟ ଭିକ୍ଷା ପାଇଁ ଆସିବାରୁ ରୋଷର ଶିକାର ହୋଇଥିଲେ ସାଂସଦ। ତ‌େବେ ଏ ନେଇ ଝରିଗାଁ ଥାନାରେ କୌଣସି ଏତଲା ରୁଜୁ ହୋଇନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର