ଯାଜପୁର/ସଦର/ଦଶରଥପୁର : ବିଂଝାରପୁର ନିର୍ବାଚନମଣ୍ଡଳୀ ଅଧୀନ ବିଂଝାରପୁର ଓ ଦଶରଥପୁର ବ୍ଲକ୍ ଅଞ୍ଚଳରେ ଶାସକ ଦଳ ମୁଖ୍ୟ ସଚେତକ ସ୍ଥାନୀୟ ବିଧାୟିକା ପ୍ରମିଳା ମଲିକଙ୍କ ବିରୋଧରେ ଥିବା ଜନଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେଉଛି। ଶନିବାର ଦିନ ଦଶରଥପୁର ବ୍ଲକ୍ ରାହାସୋଇ ପଞ୍ଚାୟତକୁ ନିର୍ବାଚନ ପ୍ରଚାରରେ ଯାଇଥିବା ବିଧାୟିକାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିବା ବେଳେ କଳାପତାକା ପ୍ରଦର୍ଶନ କରାଯାଇଛି। ଗତକାଲି ବିଂଝାରପୁର ବ୍ଲକ୍ର ପ୍ରୀତିପୁର ପଞ୍ଚାୟତରେ ଅନୁରୂପ ଭାବେ କଳାପତାକା ପ୍ରଦର୍ଶନ କରାଯିବା ସହିତ ବିରୋଧ କରାଯିବାରୁ ବିଧାୟିକା ଶ୍ରୀମତୀ ମଲିକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିନପାରି ଫେରିଯାଇଥିଲେ। ଶ୍ରୀମତୀ ମଲିକଙ୍କ ପାଇଁ ଶାସକ ଦଳ ପ୍ରାର୍ଥୀମାନେ ଅଡୁଆରେ ପଡ଼ିଛନ୍ତି। ଆସନ୍ତା ୧୮ତାରିଖରେ ଦଶରଥପୁର ଓ ୨୦ତାରିଖରେ ବିଂଝାରପୁର ବ୍ଲକ୍ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ଜନଅସନ୍ତୋଷକୁ ପ୍ରଶମିତ କରିବା ଶାସକ ଦଳ ନେତାଙ୍କ ପାଇଁ କାଠିକାର ପାଠ ହୋଇପଡିଛି।
ପ୍ରକାଶ ଥାଉକି ଶନିିବାର ଦିନ ବିଧାୟିକା ଶ୍ରୀମତୀ ମଲିକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଂଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଦଶରଥପୁର ବ୍ଲକ୍ ରାହାସୋଇ ପଞ୍ଚାୟତ ବୃନ୍ଦାବନପୁର ଦଣ୍ଡାସାହିକୁ ଯାଇଥିଲେ। ଏଠାରେ ସ୍ଥାନୀୟ ଲୋକେ ତାଙ୍କୁ ତୀବ୍ର ବିରୋଧ କରିଥିଲେ। ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ଯୋଜନାରୁ ବାଦ୍ ଦିଆଯାଇ ପ୍ରଭାବଶାଳୀ ଅଯୋଗ୍ୟ ହିତାଧିକାରୀଙ୍କ ଜରିଆରେ ଯୋଜନା ହଡ଼ପ କରାଯାଇଛି । ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ ଶାସକ ଦଳର କୁଜି ନେତା ଧମକ ଦେବାକୁ ପଛାଉନାହାନ୍ତି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ବିଧାୟିକାଙ୍କ ସହିତ ଯାଇଥିବା ୪ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ପାର୍ଥସାରଥୀ ମହାପାତ୍ର ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ ଘଟଣାରେ ହସ୍ତକ୍ଷେପ କରି ବିରୋଧ କରୁଥିବା କେତେକ ଯୁବକଙ୍କୁ ବୁଝାସୁଝା କରିଥିଲେ।
ସୂଚନାଯୋଗ୍ୟ ଯେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ମଧ୍ୟ ଶ୍ରୀମତୀ ମଲିକଙ୍କ ବିରୋଧରେ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ନେଇ ନୋଟିସ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/pramila-mallick.jpg)