ବ୍ରହ୍ମପୁର : ମାସକୁ ମାସ ଶିଶୁ, ଗର୍ଭବତୀ, ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଖସଡ଼ା ସିନା କାଗଜକଲମରେ ଠିକ୍ ଚାଲିଛି ବୋଲି ଦର୍ଶା ଯାଉଛି, ଅଣ୍ଡା ଦର ଏବେ ଏହାକୁ ଆହୁରି ବିଗାଡ଼ି ଦେଇଛି। କରୋନା ମହାମାରୀ ଓ ଲକ୍ଡାଉନ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି ବନ୍ଦ ରହିଛି। ରାଜ୍ୟ ସରକାର ପରିପୂରକ ପୁଷ୍ଟିକର ଯୋଜନାରେ ସମସ୍ତ ହିତାଧିକାରଙ୍କ ଘରେ ରାସନ୍ ଯୋଗାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଣ୍ଡା ମଧ୍ୟ ଘରେ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଜଣେ ହିତାଧିକାରୀ ପିଛା ୭ଟଙ୍କା ୭୦ ପଇସାରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯାଉଛି। ସେଥିରେ ଅଙ୍ଗନବାଡ଼ି କର୍ମୀଙ୍କୁ ଅଣ୍ଡା, ତେଲ, ଲୁଣ, ଜଳଖିଆ, ଆଦି ରାସନ୍ ସାମଗ୍ରୀ ସବୁ କିଛି ବାଣ୍ଟିବାକୁ ତାଲିକାରେ ସାମଲ୍ ରହିଛି।
ଏବେ ଅଣ୍ଡା ଫାର୍ମ ଦର ଓ ପରିବହନ ଖର୍ଚ୍ଚ ମିଶାଇ ଗୋଟା ପିଛା ପ୍ରାୟ ୬ଟଙ୍କା ପଡ଼ିଯାଉଛି। ହିତାଧିକାରୀଙ୍କୁ ଉପଯୁକ୍ତ ଭାବେ ଅଣ୍ଡା ଯୋଗାଣ ହେଉ ନ ଥିବା ଅଭିଯୋଗ ଆସୁଛି। ହେଲେ ଅଣ୍ଡା ଗୋଟାକୁ ଯଦି ୬ଟଙ୍କା ଚାଲିଯାଏ, ଆଉ ୧ ଟଙ୍କା ୭୦ ପଇସାରେ କେମିତି ତେଲ, ଲୁଣ, ରାସନ୍ ଯୋଗାଇ ଦିଆ ଯାଉଥିବା ତାହା କେହି ଭାବୁନାହାନ୍ତି। ବର୍ତ୍ତମାନ ସମୟରେ ହିତାଧିକାରୀମାନେ ପ୍ରକୃତରେ ଅଣ୍ଡା ପାଉଛନ୍ତି କି ନାହିଁ, ଅଙ୍ଗନବାଡ଼ି କର୍ମୀ ପ୍ରକୃତରେ ଅଣ୍ଡା ଦେଉଛନ୍ତି କି ନାହିଁ ପ୍ରଶାସନ ନିକଟରେ ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଜିଲ୍ଲା ସମାଜ ମଙ୍ଗଳବିଭାଗ ଏକ ରକମ ପଙ୍ଗୁ ପାଲଟିଯାଇଛି। ବିଭାଗ ପକ୍ଷରୁ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ।
/sambad/media/post_attachments/wp-content/uploads/2020/10/Eggs1-1-300x180.jpg)
ଗତ କିଛି ମାସ ଅଣ୍ଡାଦର କ୍ରମାଗତ ବଢ଼ି ଚାଲିବା ସହ ଏବେ ଆକାଶ ଛୁଆଁ। ଅଣ୍ଡା ଗୋଟା ଫାର୍ମ ଦର ୫ଟଙ୍କା ୧୫ ପଇସା ରହିଛି। ବଜାରକୁ ଅଣ୍ଡା ଆସିବା ବେଳେ ପରିବହନ ଖର୍ଚ୍ଚ ମିିଶି ପ୍ରାୟ ୬ଟଙ୍କା ପଡୁଛି। ସରକାରଙ୍କ ପକ୍ଷରୁ ପୁଷ୍ଟିକର ଯୋଜନାରେ ଗର୍ଭବତୀ, ପ୍ରସୂତି, ୬ମାସ ରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଅଣ୍ଡା ଦିଆଯାଉଛି। ଅଣ୍ଡା ଦର ଉଚ୍ଚ ରହିଥିବାରୁ ହିତାଧିକାରୀ ଅଣ୍ଡା ଠିକ୍ ଭାବେ ପାଉ ନ ଥିବା ବାରମ୍ବାର ଅଭିଯୋଗ ଆସୁଛି। ହେଲେ ଏଥିପ୍ରତି ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ। ବାରମ୍ବାର ଅଭିଯୋଗ ପରେ ଅଣ୍ଡା ଠିକ୍ ଭାବେ ବଣ୍ଟନ ହେଉଛି କି ନାହିଁ ତାହାର ଯାଞ୍ଚ୍ କରିବାକୁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସହ ୩ ଉପଖଣ୍ଡର ଉପ ଜିଲ୍ଲାପାଳମାନେ ସେମାନଙ୍କ ଅଧୀନ ତହସିଲଦାରଙ୍କୁ ଚିଠି ଲେଖିଥିଲେ ସୁଦ୍ଧା କୌଣସି ତହସିଲଦାର ଏହାର ଯାଞ୍ଚ୍ କରୁ ନାହାନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଚିଠିରେ ସୀମିତ ରହିଛି।
ଅନ୍ୟପକ୍ଷରେ ପ୍ରତି ଅଙ୍ଗନବାଡ଼ିରେ ଜାଲ୍ ହିତାଧିକାରୀ ରହିଥିବା ବାରମ୍ବାର ଅଭିଯୋଗ ଆସୁଛି। ଗତ ମେ ୨୬ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ତହସିଲଦାରଙ୍କୁ ଚିଠି ଲେଖି ଅଙ୍ଗନବାଡ଼ି କେନ୍ଦ୍ରର ହିତାଧିକାରୀ ତାଲିକା ଯାଞ୍ଚ୍ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଅତିରିକ୍ତ ତହସିଲଦାର ଓ ରାଜସ୍ବ ପରିଦର୍ଶକଙ୍କୁ ଏହି କାର୍ଯ୍ୟରେ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫ଶହ ଅଙ୍ଗନବାଡ଼ି କେନ୍ଦ୍ରର ତାଲିକା ମଧ୍ୟ ପ୍ରସ୍ତୁତ କରି ଯାଞ୍ଚ୍ ଲାଗି ଦିଆ ଯାଇଥିଲା। ଉଦ୍ବେଗର ବିଷୟ, ଏ ଯାବତ୍ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରର ତାଲିକା ମଧ୍ୟ ଯାଞ୍ଚ ହୋଇନାହିଁ। ପ୍ରଶାସନର ନିର୍ଦ୍ଦେଶନାମ କିଭିଳି କାର୍ଯ୍ୟକାରୀ ହେଉଛି ଏଥିରୁ ଜଳଜଳ ଜଣାପଡ଼ୁଛି।
/sambad/media/post_attachments/wp-content/uploads/2020/10/eggs-300x200.jpeg)
ମିଳିଥିବା ସୂଚନା ଅନୁଯାୟୀ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଜରିଆରେ ପରିପୂରକ ପୁଷ୍ଟିକର ଯୋଜନା(ଏସ୍ଏନ୍ପି) କାର୍ଯ୍ୟକାରୀ ହେଉଛି। ଏଥିରେ ଗର୍ଭବତୀ ମହିଳା, ପ୍ରସୂତି ମହିଳା, ୬ମାସରୁ ୬ବର୍ଷ ଶିଶୁଙ୍କୁ ସୁଷମ ଖାଦ୍ୟ ବାବଦ ରାସନ୍ ସେମାନଙ୍କ ଘରକୁ ଯୋଗାଇ ଦିଆଯାଉଛି। ପ୍ରାକ୍ ବିଦ୍ୟାଳୟ ଶିଶୁ (ଅଙ୍ଗନବାଡ଼ି) ଶିଶୁଙ୍କୁ ଗରମ ରନ୍ଧା ଖାଦ୍ୟରେ ଭାତ, ଡାଲମା ସାଙ୍ଗକୁ ବିଭିନ୍ନ ଖାଦ୍ୟ ଦେବା ବ୍ୟବସ୍ଥା ରହିଛି। ଉଭୟ ସୁଷମ ଖାଦ୍ୟରେ 'ଅଣ୍ଡା' କୁ ପ୍ରାଧାନ୍ୟ ଦିଆଯାଇଛି। ଗରମ ରନ୍ଧା ଖାଦ୍ୟରେ ପ୍ରିତ ପିଲାଙ୍କୁ ମାସିକ ୨୦ଟି ଅଣ୍ଡା ଦେବା ବ୍ୟବସ୍ଥା ରହିଛି। ଘରକୁ ନେବା ରାସନ ସାମଗ୍ରୀରେ ହିତାଧିକାରୀଙ୍କୁ ମାସକୁ ୧୨ଟି ଯୋଗାଇବା ବ୍ୟବସ୍ଥା ରହିଛି। ପରିପୂରକ ପୁଷ୍ଟିକର ଯୋଜନାରେ ଜିଲ୍ଲାକୁ ମାସକୁ ସମୁଦାୟ ୬୬ଲକ୍ଷ ୫୩ହଜାର ୮୯୬ଟି ଅଣ୍ଡା ଦରକାର ହେଉଛି। ହେଲେ ଗଞ୍ଜାମ ଜିଲ୍ଲାରେ ଏମିତି ଅବସ୍ଥା, ଅଣ୍ଡା ଦେଲେ ରାସନ୍, ରନ୍ଧାଖାଦ୍ୟ ବନ୍ଦ ହୋଇଯିବ। ଏଣୁ ଜାଣିଶୁଣି ପ୍ରଶାସନ ଉପର ଠାଉରିଆ ନିର୍ଦ୍ଦେଶ ଦେଉଛି ଓ ତହସିଲ୍ଦାର ଯାଞ୍ଚ୍ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି।