ଇଗ୍ନୋ ନାମଲେଖା ୧୦ ଯାଏ ବୃଦ୍ଧି

ଭୁବନେଶ୍ବର : ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଥିବା ୮୨ ଶିକ୍ଷା କେନ୍ଦ୍ର(ଷ୍ଟଡି ସେଣ୍ଟର) ଓ ୬ କାରାଗାର ପାଇଁ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ୨ଶହରୁ ଊର୍ଦ୍ଧ୍ବ ସ୍ନାତକ(ୟୁଜି), ସ୍ନାତକୋତ୍ତର(ପିଜି), ପିଜି ଡିପ୍ଲୋମା ଓ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ନାମଲେଖା ଚାଲିଛି। ଗତ ଜାନୁଆରି ୩୧ରେ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଧାର୍ଯ୍ୟ ହୋଇଥିଲା। ମାତ୍ର ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖ ଯାଏ ଏହି ଅବଧିକୁ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଇଗ୍ନୋର ୱେବସାଇଟ୍‌ www.ignou.ac.in ଲଗ୍‌ଇନ୍‌ କରି ସବିଶେଷ ତଥ୍ୟ ପାଇପାରିବେ ବୋଲି ବରିଷ୍ଠ ଆଞ୍ଚଳିକ ନିର୍ଦେଶକ ଡ.ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ କଟକର ଚୌଦ୍ବାର, ଭୁବନେଶ୍ବରର ଝାରପଡ଼ା, ବାଲେଶ୍ବର, ବ୍ରହ୍ମପୁର,ବାରିପଦା ଓ ଅନୁଗୁଳ କାରାଗାରରେ ନାମଲେଖା ଅନୁଷ୍ଠିତ ହେବ। କଏଦୀ ବିଭିନ୍ନ ପାଠ୍ୟକ୍ରମ ପାଇଁ ନାମ ଲେଖାଇପାରିବେ। ସେମାନଙ୍କ ପାଠପଢ଼ା ଓ ନାମଲେଖା ସମ୍ପୂର୍ଣ୍ଣ ଭାବେ ଦେୟମୁକ୍ତ ରହିଛି। ସେହିପରି ୟୁଜି, ପିଜି ଡିପ୍ଲୋମ ଓ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ ଛାଡ଼ କରାଯାଇଛି। ଏହି ବର୍ଗର ବିଦ୍ୟାର୍ଥୀ ମାଗଣାରେ ପାଠ ପଢ଼ିପାରିବେ। ପୂର୍ବରୁ ମାଗଣାରେ ଏହି ବର୍ଗର ପ୍ରାର୍ଥୀ ପାଠ ପଢ଼ିଥିଲେ ସେମାନେ ପୁନର୍ବାର ଏହି ସୁଯୋଗ ପାଇବେନି।

ସମ୍ବନ୍ଧିତ ଖବର