ଭୁବନେଶ୍ବର : ଘରେ ବସି ଟଙ୍କା ରୋଜଗାର କରିବାର ଲୋଭ ଦେଖାଉଥିଲେ। ବିନା ପରିଶ୍ରମରେ କେବଳ ସ୍ମାର୍ଟଫୋନ୍‌ରେ ଭିଡିଓକୁ ଲାଇକ୍, ସେୟାର କଲେ ଟଙ୍କା ମିଳିବ ବୋଲି କହୁଥିଲେ। ଖାଲି ସେତିକି ନୁହେଁ ଏହି କାରବାରର ଟଙ୍କା ଲଗାଇଲେ ଦୁଇ ଗୁଣା ମିଳିବ ବୋଲି ପ୍ରଲୋଭନ ଦେଖାଉଥିଲେ ସାଇବର ଠକ। ଏମିତି ଉପାୟରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟୁଥିଲେ। ଆଉ ଶେଷରେ ଭୁବନେଶ୍ବର ସାଇବର ଥାନା ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ମୋବାଇଲ ଫୋନ୍, ସିମ୍ କାର୍ଡ, ଏଟିଏମ୍ କାର୍ଡ ଓ ୬ ଲକ୍ଷ ୩୨ ହଜାର ୮ ଶହ ଟଙ୍କା ଥିବା ଏକ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଜିଲ୍ଲା ସଦର ଥାନା ତେନ୍ତୁଳିମୁଣ୍ଡା ଅଞ୍ଚଳର ଅନିଲ ହେମ୍ବ୍ରମ୍(୩୫), ଭଦ୍ରକ ଆଖୁଆପଦା ଆଶ୍ରମ ସ୍କୁଲ ଅଞ୍ଚଳର ବିବେକାନନ୍ଦ ମଲ୍ଲିକ(୩୧), ବାଲେଶ୍ବର ସିଙ୍ଗଳା ଥାନା ହଳଦୀପଡ଼ା ଅଞ୍ଚଳର ସପନ କୁମାର ଦଳେଇ(୪୦), ବାଲେଶ୍ବର ରାଇବଣିଆ ଅଞ୍ଚଳର ସୁନୀଲ କୁମାର ଦାସ(୩୦), ସହଦେବଖୁଣ୍ଟା ତାରିଣୀ ମନ୍ଦିର ନିକଟରେ ରହୁଥିବା ବାଲେଶ୍ବର ସଦର ଥାନା ଭୀମପୁର ଅଞ୍ଚଳର ବିଜନ କୁମାର ପଣ୍ଡା(୩୬), ସୁନ୍ଦରଗଡ଼ ବଣାଇ ଥାନା ଜାମ୍ଭିରପୋଷ ଅଞ୍ଚଳର ରାଜେଶ କୁମାର ବେହେରା(୩୫), ସମ୍ବଲପୁର ଲାରାବାଘ ଅଞ୍ଚଳର ଦୀପକ କୁମାର ପଟେଲ(୩୮) ଓ ସମ୍ବଲପୁର ମହୁଲପାଲି ଥାନା ଲାଇଗୁରା ଅଞ୍ଚଳର କମଳେଶ ପଟେଲ(୩୪)।

Advertisment

publive-image

ସାଇବର ଥାନା ପୁଲିସ ସୂଚନା ଅନୁସାରେ, ପ୍ରମୋଦ କୁମାର ସାହୁ ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତମାନେ ହ୍ୱାଟ୍‌ସଆପ ଏବଂ ଟେଲିଗ୍ରାମ ମାଧ୍ୟମରେ ଏକ ଲିଙ୍କ୍‌ ପଠାଇ ‘ଵାର୍କ ଫ୍ରମ୍ ହୋମ୍’ ଜରିଆରେ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇଥିଲେ। ଲିଙ୍କ୍‌ରେ ଆସିଥିବା ଭିଡିଓ ଗୁଡ଼ିକୁ ଲାଇକ୍ ଏବଂ ସେୟାର କଲେ, ପ୍ରତି ଭିଡିଓ ପିଛା ୫୦ ଟଙ୍କା ଦିଆଯିବାର ଲୋଭ ଦେଖାଇଥିଲେ। ପ୍ରମୋଦଙ୍କର ବିଶ୍ବାସ ଭାଜନ ହେବା ସହିତ ତଦନୁଯାୟୀ ଟଙ୍କା ମଧ୍ୟ ପଠାଉଥିଲେ। ପ୍ରଥମେ ଯେତେବେଳେ ଲୋକମାନେ ଅଳ୍ପ ପଇସା ଲଗାଉଥିଲେ, ସେତେବେଳେ ଅପରାଧୀମାନେ ସେମାନଙ୍କୁ ମୂଳ ପଇସା ସହିତ କିଛି କମିସନ୍ ମିଶାଇ ଅକାଉଣ୍ଟକୁ ପଠାଉଥିଲେ। ଏହିପରି ଭାବରେ ବିଶ୍ବାସ ଜନ୍ମାଇଲା ପରେ ଅଧିକ ଟଙ୍କା ବିନିଯୋଗ କରିବାକୁ ପ୍ରବର୍ତ୍ତାଉଥିଲେ। କିନ୍ତୁ ଲୋକମାନେ ଟଙ୍କା ଦେଇସାରିଲା ପରେ ଯେତେବେଳେ ପ୍ରତ୍ୟାହାର କରିବାକୁ ଚାହୁଥିଲେ ସେମାନେ ପୁନର୍ବାର ଅଧିକ ଟଙ୍କା ବିନିଯୋଗ କଲା ପରେ ମିଳିବ ବୋଲି ଆଶ୍ୱାସନା ଦେଉଥିଲେ। କିନ୍ତୁ ବାସ୍ତବରେ ସେ ଟଙ୍କା ପ୍ରତ୍ୟାହାର ହୋଇପାରୁ ନଥିଲା। ଏହିପରି ଭାବରେ ସେମାନେ କମିସନ୍, ଜିଏସଟି ଆଦି ବିଭିନ୍ନ ପ୍ରକାରର ବାହାନା ଦେଖାଇ ଲୋକଙ୍କ ଠାରୁ ମୋଟ୍ ୧୪ ଲକ୍ଷ ୫୩ ହଜାର ଟଙ୍କା ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଠକି ନେଇଥିଲେ।

ଘଟଣାର ଅଭିଯୋଗ ପରେ, ସାଇବର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଫ୍ରିଜ୍ କରିବା ସହ ଏହି ଅପରାଧ ଲାଗି ବ୍ୟବହାର କରିଥିବା ସିମ୍‌ଗୁଡ଼ିକୁ ମଧ୍ୟ ଜବତ କରାଯାଇଛି। ଏହି କ୍ରମରେ ଠକମାନଙ୍କ ଆକାଉଣ୍ଟରେ ଥିବା ମୋଟ ୬ ଲକ୍ଷ ୩୨ ହଜାର ୮ଶହ ଟଙ୍କାକୁ ମଧ୍ୟ ଅଚଳ କରାଯାଇଛି।