ପୂର୍ବତନ ସମିତି ସଭ୍ୟ ସମେତ ୨ ଜଣଙ୍କୁ ପ୍ରାଣାନ୍ତଙ୍କ ଆକ୍ରମଣ ଓ ଲୁଟ୍‌ ଘଟଣାରେ ୮ ଜଣଙ୍କୁ ଗିରଫ କଲା ପୁଲିସ

ସମ୍ବଲପୁର : ଶାସନ ଥାନା ଅଧୀନ ନୂଆଁତିହୁରା ବ୍ରିଜ ନିକଟରେ ଜମନକିରା ବ୍ଲକ୍ ମୁଣ୍ଢେନପାଲିର ପୂର୍ବତନ ସମିତି ସଭ୍ୟ ମନୋଜ ନାଏକ ଓ ତାଙ୍କ ବନ୍ଧୁ ଚରଣ କିଷାନଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଏହି ମାମଲାରେ ଶାସନ ଥାନା ପୁଲିସ ୮ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶାସନ ଥାନା ଅଧୀନ ମୁରା ନୂଆବସ୍ତିର ଅଜିତ୍ ହାତୀ (୨୮), ଡୁମ୍ବେରପାଲି(ଟିକ୍ରାପାଲି)ର ନୀଳାମ୍ବର ବେସନ(୧୯), ହୀରାକୁଦ ଥାନା ଲରପଙ୍କର ଅନିଲ ଓରାମ(୧୯), ଆକାଶ ମୁଣ୍ଡା(୨୨), ତୁଷାର ଆଇନ୍ଦ ଓରଫ୍‌ କାହ୍ନୁ(୧୮) ଓ ହିମାଂଶୁ ଶେଖର ଚୌବେ(୩୦)। ଏହି ୬ ଅଭିଯୁକ୍ତଙ୍କୁ ଶାସନ ଥାନା ପୁଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିୁଯୁକ୍ତଙ୍କ ମଧ୍ୟରେ ଆଉ ଦୁଇ ଜଣ ନାବାଳକ ଅଛନ୍ତି। ୨ ନାବଳକଙ୍କୁ ମଧ୍ୟ ମଙ୍ଗଳବାର କିଶୋର ନ୍ୟାୟ ବୋର୍ଡକୁ ପଠାଯାଇଛି। ସେମାନଙ୍କ ପାଖରୁ ପୁଲିସ ୩ଟି ଏଟିଏମ୍‌ କାର୍ଡ, ୨ଟି ଭୁଜାଲି, ୨ଟି ଲୁହା ରଡ୍‌, ଗୋଟିଏ ଛୁରି ଗୋଟିଏ ଚୋରି ହୋଇଥିବା ମୋବାଇଲ୍‌ ଫୋନ୍‌ ସହ ଅଭିଯୁକ୍ତଙ୍କ ପାଖରୁ ୮ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଛି।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୬ ତାରିଖ ରାତି ୯ଟା ୩୦ରୁ ୧୦ଟା ମଧ୍ୟରେ ପଧାନପାଲି ଗାଁରୁ ମନୋଜ ଓ ଚରଣ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ନୂଆତିହୁରା ପାଖ ଲକ୍ଷ୍ମୀ ମନ୍ଦିର ସମ୍ମୁଖ ବ୍ରିଜ ନିକଟରେ ୮ରୁ ୯ ଜଣ ଜଣ ଯୁବକ ହଠାତ୍‌ ମନୋଜ ଓ ଚରଣଙ୍କୁ ଉପରେ ଖଣ୍ଡା, ଫାର୍ସା, ଭୁଜାଲି ଓ ଠେଙ୍ଗାରେ ଆକ୍ରମଣ କରି ସେମାନଙ୍କ ପାଖରୁ ଗୋଟିଏ ମୋବାଇଲ୍‌ ଫୋନ୍‌, ୩ଟି ଏଟିଏମ୍‌ କାର୍ଡ ଏବଂ ନଗଦ ୮୬୦୦ ଟଙ୍କା ଛଡ଼ାଇ ନେଇଥିଲେ। ଏ ବିଷୟରେ ସୂଚନା ମିଳିବା ପରେ ପାଖ ଗାଁ ଲୋକେ ସଂଘବଦ୍ଧ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକଙ୍କ ଭୟରେ ଦୁର୍ବୃତ୍ତମାନେ ମନୋଜ ଓ ଚରଣଙ୍କୁ ଛାଡ଼ି ଫେରାର ହୋଇଥିଲେ। ଘଟଣାସ୍ଥଳରେ ଦୁର୍ବୃତ୍ତମାନେ ସେମାନଙ୍କର ବାଇକ୍‌ ମଧ୍ୟ ଛାଡ଼ି ଚାଲି ଯାଇଥିଲେ। ସୂଚନା ପାଇ ଶାସନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩ ବାଇକ୍‌କୁ ଜବତ କରିଥିଲା। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଧରିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଏଯାଏଁ ଧରା ପଡି ନ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର