ସୁଧୁରିଲା କରୋନା ସ୍ଥିତି, ସୁଧୁରିଲେନି ଅମାନିଆ : ସପ୍ତାହକରେ ୫.୪୧ ଲକ୍ଷ ଜରିମାନା ଆଦାୟ, ୮ ଗିରଫ

ଆଜି ଜିଲ୍ଲାରୁ ୧୦ କରୋନା ପଜିଟିଭ୍ ଚିହ୍ନଟ

ରାୟଗଡ଼ା : ରାୟଗଡ଼ାରେ ସୁଧୁରୁଛି କରୋନା ସ୍ଥିତି, ହେଲେ ସୁଧୁରି ନାହାନ୍ତି ଅମାନିଆ। ଜିଲ୍ଲା ପୁଲିସ୍, ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିୟମ ଉଲ୍ଲଂଘନ ଅଭିଯୋଗରେ ପୁଲିସ୍ ଗତ ୭ ଦିନରେ ରେକର୍ଡ ୫.୪୧ ଲକ୍ଷ ଜରିମାନା ଆଦାୟ ସହ ୮ ଜଣଙ୍କୁ ଗିରଫ କରିଛି। ଗିରଫ ସମସ୍ତଙ୍କୁ ପୁଲିସ୍ ନୋଟିସ୍ ଦେଇ ଛାଡ଼ିବା ସହ ନିୟମିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଗାଡ଼ି ଚାଳନା ସମୟରେ ହେଲମେଟ୍ ପରିଧାନ ପାଇଁ ପରାମର୍ଶ ଦେଇଛି।

ଜୁଲାଇ, ଅଗଷ୍ଟ୍, ସେପ୍ଟେମ୍ବର ୩ ମାସ ଧରି ଜିଲ୍ଲାରେ କରୋନା ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ସଂକ୍ରମଣ ହାର ବୃଦ୍ଧି ଯୋଗୁ ଜୁଲାଇ, ଅଗଷ୍ଟରେ ସଂପୂର୍ଣ୍ଣ ଲକଡାଉନ୍ ବଳବତ୍ତର ରହିଥିଲା। ଦୈନିକ ସଂକ୍ରମଣ ହାରାହାରି ୫୦ରୁ ୭୦ ମଧ୍ୟରେ ରହୁଥିବା ବେଳେ ମୃତ୍ୟୁ ହାର ମଧ୍ୟ ଉଦବେଗଜନକ ଥିଲା। ସେପ୍ଟେମ୍ବର ପହିଲାରୁ ଲକଡାଉନ୍ ଉଠାଇ ଦେବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଆନ୍ତଃ ଜିଲ୍ଲା, ପଡୋଶୀ ରାଜ୍ୟକୁ ଯାତାୟାତ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର କୌଣସି ପ୍ରତିବନ୍ଧକ ନ ଲଗାଇବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ। କେବଳ କଣ୍ଟେନମେଣ୍ଟ୍ ଜୋନରେ କଟକଣା ଜାରି ରଖିବାକୁ ନିର୍ଦେଶ ପରେ ଦୋକାନ, ବଜାର ଖୋଲିବା ସହ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଅକ୍ଟୋବର ପହିଲାରୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସଂକ୍ରମଣ ହାର ୧୦ରୁ ୩୦ ମଧ୍ୟରେ ସୀମିତ ରହିବା ପରେ କୋଭିଡ଼୍ ମୁକାବିଲାରେ ନିୟୋଜିତ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଆଶ୍ବସ୍ତ ହୋଇଛି। ଆଜି ଜିଲ୍ଲାରୁ ମାତ୍ର ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୭ ପୁରୁଷ, ୩ ମହିଳା ରହିଛନ୍ତି। କାଶୀପୁର ବ୍ଲକରୁ ୩, ମୁନିଗୁଡାରୁ ୨, ରାୟଗଡ଼ା ଗ୍ରାମାଞ୍ଚଳରୁ ୨, ଚନ୍ଦ୍ରପୁର, କଲ୍ୟାଣସିଂହପୁର ଓ ଗୁଣପୁର ସହରାଞ୍ଚଳରୁ ଜଣେ ଲେଖାଁଏ ଆକ୍ରାନ୍ତ ରହିଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ୭୭୬୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୫୪୫ ସୁସ୍ଥ ହୋଇଛନ୍ତି। ୧୮୩ ଚିକିତ୍ସାଧୀନ ଅଛନ୍ତି। ୩୯ ଜଣଙ୍କ ମୃତ୍ୟୁ ହୋଇଛି।

Oman Observer

ସଂକ୍ରମଣକାରୀଙ୍କ ସଂଖ୍ୟା କମିବା ସହ ଗତ ୫ ଦିନ ହେଲା ଜିଲ୍ଲାରୁ ଜଣେ ବି କୋଭିଡ଼୍ ଯୋଦ୍ଧା କରୋନାର ଶିକାର ହୋଇ ନାହାନ୍ତି। ପୂର୍ବ ୩ ମାସରେ ୭୯୯ କୋଭିଡ଼୍ ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ଗତ ୧୨ ଦିନରେ ମାତ୍ର ୪ ଜଣ ସଂକ୍ରମିତ ହୋଇଛନ୍ତି। ମୋଟ ୮୦୪ ଯୋଦ୍ଧାଙ୍କ ମଧ୍ୟରୁ ୭୦୧ ସୁସ୍ଥ ହୋଇଛନ୍ତି। ୯୯ ଚିକିତ୍ସାଧୀନ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଅକ୍ଟୋବର ପହିଲାରୁ କଟକଣା ସଂପୂର୍ଣ୍ଣ ହଟିଯିବା ପରେ କୋଭିଡ଼୍ ଆଇନକୁ ଅଣଦେଖା କରି ଲୋକେ ବାହାରେ ବୁଲୁଥିବାରୁ ପୁଲିସ୍ ଯାଞ୍ଚକୁ ଜୋରଦାର କରିଛି। ଜରିମାନା, ତାଗିଦ୍ ସତ୍ତ୍ବେ ଲୋକେ ସଚେତନ ହେଉନଥିବାରୁ ପ୍ରତିଦିନ ଜରିମାନାଦେୟକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଅକ୍ଟୋବର ୪ ତାରିଖରେ ପୁଲିସ୍ ମାସ୍କ ପିନ୍ଧିନଥିବା ଅଭିଯୋଗରେ ୭୯ ଜଣଙ୍କଠୁ ୨୭ ହଜାର ୮୦୦, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୪୪ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଥିଲା। ସେହିପରି ୫ ତାରିଖରେ ୧୧୭ ଉଲ୍ଲଂଘନକାରୀଙ୍କଠୁ ୬୩ ହଜାର ୭୦୦, ୬ ତାରିଖରେ ୧୫୬ ଜଣଙ୍କଠୁ ୯୫ ହଜାର, ୭ ଓ ୮ ତାରିଖରେ ୨୭୫ ଜଣଙ୍କଠୁ ୧ ଲକ୍ଷ ୪୯ ହଜାର ୬୦୦, ୯ ତାରିଖରେ ୧୬୦ ଜଣଙ୍କଠୁ ୮୪ ହଜାର ୪୦୦, ୧୦ ତାରିଖରେ ୧୪୧ ଜଣଙ୍କଠୁ ୭୨ ହଜାର ୩୦୦ ଟଙ୍କା ଜରିମାନା ଆଦାୟ ହୋଇଛି।

କୋଭିଡ଼୍ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇ ଆସୁଛନ୍ତି। ପୁଲିସକୁ ଦେଖିଲେ ଜରିମାନା ଭୟରେ ଲୋକେ ମାସ୍କ ପିନ୍ଧୁଥିବା ବେଳେ କିଛି ଦୂର ଗଲା ପରେ ମୁହଁରୁ ତଳକୁ ଖସାଇ ଦେଉଛନ୍ତି। ସେହିପରି ଯାଞ୍ଚ ହେଉଥିବା ସ୍ଥାନକୁ ଛାଡ଼ିଲେ ବାଇକ୍ ଆରୋହୀ ହେଲମଟ୍ ପିନ୍ଧୁ ନାହାନ୍ତି।

ସମ୍ବନ୍ଧିତ ଖବର