ଅନୁଗୁଳରୁ ୬ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ

ଅନୁଗୁଳ/ଝାରସୁଗୁଡ଼ା: ଅନୁଗୁଳ ଜିଲ୍ଲାରୁ ଆଜି ୬ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଝାରସୁଗୁଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ କଣଲୋଇ ସଙ୍ଗରୋଧ କେନ୍ଦ୍ରରେ ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ୨୦ ବର୍ଷ, ୨୧ ବର୍ଷ, ୨୩ ବର୍ଷ, ୨୫ ବର୍ଷ ୩୬ ବର୍ଷ ଓ ୪୪ ବର୍ଷ ବୟସର ବୋଲି ଜଣା ପଡ଼ିଥିବା ବେଳେ ସେମାନେ ସମସ୍ତେ ଚଳିତ ମାସ ୭ ର୍ତାରିଖରୁ ତାମିଲନାଡ଼ୁରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଯାଇଛି। ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ସୂଚନା ଅନୁଯାୟୀ, ଏହି ସଙ୍ଗରୋଧ କେନ୍ଦ୍ରରେ ଗତ ୬ ତାରିଖରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୧ ଜଣ ବ୍ୟକ୍ତି ଥିଲେ। ତାଙ୍କ ମଧ୍ୟରୁ ଆଜି ୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ୬ ଜଣ ତାମିଲନାଡ଼ୁରୁ ଫେରିଥିଲେ। ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଏହି ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ତାଙ୍କ ପାଖକୁ ସଂପର୍କୀୟମାନେ ଯା’ଆସ କରୁଥିଲେ। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସଂପର୍କୀୟମାନେ ଏବେ ଭୟଭୀତ ହୋଇପଡ଼ିଛନ୍ତି। ପୂର୍ବରୁ ଛେଣ୍ଡିପଦା ବ୍ଲକ୍‌ରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ।

ଝାରସୁଗୁଡ଼ା ଜିଲ୍ଲାରେ ଆଉ ଦୁଇ କରୋନା ପୋଜିଟିଭ ଆଜି ଜଣାପଡିଛି। ଚିହ୍ନଟ ହୋଇଥିବା ଦୁଇ ଜଣ ଆକ୍ରାନ୍ତ ଗତ ୫ ତାରିଖ ଦିନ ମୁମ୍ବାଇରୁ ଆସିଥିବା ନେଇ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ସ୍ପଷ୍ଟ କରିଛନ୍ତି। ଆକ୍ରାନ୍ତ ମାନେ ହେଲେ ଜଣେ ୫୦ ବର୍ଷ ବୟସ ପୁରୁଷ ଓ ୪୦ ବର୍ଷୀୟ ମହିଳା। ଏମାନେ ୫ ତାରିଖ ଦିନ ହାୱାଡା ମୁମ୍ବାଇ ଟ୍ରେନରେ ବ୍ରଜରାଜନଗର ରେ ଓଲ୍ଲାହିବା ପରେ ବ୍ରଜରାଜନଗର ସ୍ଥିତ ମହାନଦୀ କୋଇଲା ଖଣି କଲ୍ୟାଣ ମଣ୍ଡପଠାରେ ଥିବା ଇଷ୍ଟିଚ୍ୟୁସନାଲ କ୍ୱାରାଣ୍ଟାଇନରେ ଥିଲେ। ଗତ ୭ ତାରିଖ ଦିନ ଉଭୟଙ୍କ ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ଏହା ପଜିଟିଭ୍‌ ଥିବା ଜଣାପଡ଼ିଛ। ଏମାନଙ୍କୁ ରାଉରକେଲା କୋଭିଡ୍‌ ହସପିଟାଲ ପଠାଯିବା ନେଇ ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ଆଜି ଜିଲ୍ଲାର ନବମ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଗତ ୯ ତାରିଖ ଦିନ ଚିହ୍ନଟ ହୋଇଥିବା ୩୫ ବର୍ଷିୟ ପୁରୁଷ ସୁରଟରୁ ଗତ ୨୬.୫.୨୦ରେ ଫେରିଥିଲେ। ସେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଠାରେ ଓହ୍ଳାଇଥିବା ବେଳେ ତାଙ୍କୁ ପ୍ରଶାସନ ପକ୍ଷରୁ ଏଠାକୁ ଅଣାଯାଇ ଏକାତାଲି ହାଇସ୍କୁଲ ଠାରେ ଥିବା ଇଷ୍ଟୁଚ୍ୟୁସନାଲ କ୍ୱାରାଣ୍ଟିନ୍ରେ ରଖାଯାଇଥିଲା। ଗତ ୯ ତାରିଖରେ ତାଙ୍କୁ କୋଭିଡ ହସପିଟାଲ ନିଆଯାଇଥିବା ବେଳେ ଆଜି ସେ ସୁସ୍ଥ ହୋଇଥିବା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର