ବାଣୀବିହାରର ୮ ପାଠ୍ୟକ୍ରମରେ ତାଲା, ସେଲ୍ଫ ଫାଇନା‌ନ୍ସିଂ ପାଠ୍ୟକ୍ରମରେ ଲାଗିଲା କଟକଣା

ରେଭେନ୍ସା କର୍ତ୍ତୃପକ୍ଷ ବି ବନ୍ଦ କଲେ କିଛି ବିଭାଗ
ଗୋଟିଏ ବର୍ଷ ସମୟ ମାଗିଲେ ଏମ୍‌ଏସ୍‌ସିବି କର୍ତ୍ତୃପକ୍ଷ

ଭୁବନେଶ୍ବର : ‌ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଲା କଟକଣା। ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ସିଟ୍‌ର ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରହିବ। ରାଜଭବନ ପକ୍ଷରୁ ଏପ୍ରିଲ ୧୨ରେ ଜାରି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦ‌କ୍ଷେପ ନେଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉତ୍କଳ ସମେତ ରେଭେନ୍ସା ଓ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିଡି) ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି ୮ଟି ପାଠ୍ୟକ୍ରମରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ପିଜି, ୟୁଜି ଓ ସାର୍ଟିଫିକେଟ୍‌ କୋର୍ସ ରହିଛି। କିଛି ସେଲ୍ଫି ଫାଇନାନ୍ସିଂ ବିଭାଗର ସିଟ୍‌ ସଂଖ୍ୟାକୁ ହ୍ରାସ କରିବାକୁ ବି ନିଷ୍ପତ୍ତି ନିଆଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ମଧ୍ୟ ଅନୁରୂପ ଭାବେ ସମୁଦାୟ ସିଟ୍‌ର ୨୦% ତର୍ଜମା କରି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସିଟ୍‌ ହ୍ରାସ କରିବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି। ମାତ୍ର ଏମ୍‌ଏସ୍‌ସିଡି କର୍ତ୍ତୃପକ୍ଷ ଏହି କଟକଣା ଲାଗୁ କରିବା ଲାଗି ଅଧିକ ଗୋଟିଏ ବର୍ଷ ସମୟ ମାଗିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ ସମେତ ଚଣ୍ଡିଖୋଲସ୍ଥିତ ରୁରାଲ କ୍ୟାମ୍ପସରେ ଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ହେବ। ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଯୋଗ, ବିଏସ୍‌ସି ନର୍ସିଂ, ରୁରାଲ ଡେଭଲ୍‌ପମେଣ୍ଟ, ମାଷ୍ଟର ଇନ୍‌ ସୋସିଆଲ୍‌ ସାଇନ୍ସ, ଜିଓ ଇନ୍‌ଫରମେଟିଭ୍‌, ଏମ୍‌ଟେକ୍‌ କମ୍ପ୍ୟୁଟର ସାଇନ୍ସ, ରିମୋଟ ସେନ୍ସିଂ ପାଠ୍ୟକ୍ରମ ସହ ସଂସ୍କୃତ ସାର୍ଟିଫିକେଟ୍‌ ପାଠ୍ୟକ୍ରମକୁ ବନ୍ଦ କରାଯିବ। ୨୦୨୧-୨୨ ଶିକ୍ଷାବର୍ଷରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଯେତିକି ସିଟ୍‌ରେ ନାମଲେଖା ହୋଇଥିଲା ୨୦୨୨-୨୩ରେ ତାହାକୁ ୫୦% ହ୍ରାସ କରାଯାଇଛି। ଗତବର୍ଷ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ୯୫୦ ସିଟ୍‌ ଥିବାବେଳେ ଏବର୍ଷ ତାହାକୁ ୫୦୦କୁ କମାଯାଇଛି। ଯେଉଁ କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ସିଟ୍‌ ପୂରଣ ହେଉଛି ଏବଂ ଭଲ ଭିତ୍ତିଭୂମି ରହିଛି ତାହାକୁ ଚଳାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତିନି ଦିନ ହେଲା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ବିଭାଗ ବୁଲି ଭିତ୍ତିଭୂମି ଯାଞ୍ଚ କରିବା ସହ ପଦକ୍ଷେପ ନେଇଛନ୍ତି।

ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସିଟ୍‌ ଖାଲିପଡ଼ୁଥିବା କିଛି ବିଭାଗକୁ ୨୦୨୨-୨୩ ଶିକ୍ଷାବର୍ଷରେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ଥିର କରିଛନ୍ତି। ଯେଉଁ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଜାରି ରହିବ ତାହାର ସିଟ୍‌ ସଂଖ୍ୟା ସୀମିତ ରଖାଯିବ। ବିଶ୍ବବିଦ୍ୟାଳୟର ମୋଟ ସିଟ୍‌ ମଧ୍ୟରୁ ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ନାମଲେଖା ହେବାକୁ ଥିବାରୁ ସିଟ୍‌ ସଂଖ୍ୟା କମାଇ ଦିଆଯାଇଛି। ଏମ୍‌ଏସ୍‌ସିବି ବିଶ୍ବବିଦ୍ୟାଳୟରେ ଏବର୍ଷ ସିଟ୍‌ କମାଇବେ ନାହିଁ। କାରଣ ଏଠାରେ ବହୁ ବିଭାଗ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ଚାଲୁଥିବାରୁ ସଙ୍ଗେ ସାଙ୍ଗେ ହ୍ରାସ କରିବା ଦ୍ବାରା କ୍ୟାମ୍ପସରେ ପାଠପଢ଼ା ପ୍ରଭାବିତ ହେବ। ପ୍ରତିବର୍ଷ କିଛି ସେଲ୍ଫ ଫାଇନାନ୍ସିଂ ବିଭାଗକୁ ରେଗୁଲାର ହେଉଛି। ଆଗକୁ ନାକ୍‌ ଟିମ୍‌ ମଧ୍ୟ ଏଠାକୁ ଆସିବାକୁ ସ୍ଥିର ହୋଇଛି। ତେଣୁ ସିଟ୍‌ ସଂଖ୍ୟା ହ୍ରାସ କିମ୍ବା ପାଠ୍ୟକ୍ରମ ବନ୍ଦ ହେବା ଦ୍ବାରା ବିଶ୍ବବିଦ୍ୟାଳୟ ଉପରେ ବଡ଼ ପ୍ରଭାବ ପଡ଼ିବ ଏବଂ ନାକ୍‌ ଗ୍ରେଡ୍‌ ହ୍ରାସ ପାଇବାର ଆଶଙ୍କା ରହିଛି। ତେଣୁ ଅଙ୍କୁଶ ଲଗାଇବା ଲାଗି ଆଉ ଗୋଟିଏ ବର୍ଷ ସମୟ ଦେବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ଦିନ ତଳେ ରାଜଭବନକୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଗତ ମାସରେ ଲେଖିଥିବା ଚିଠିରେ କହିଥିଲେ ‌ଯେ ବିଶ୍ବବିଦ୍ୟାଳୟର ମୋଟ ସିଟ୍‌ ମଧ୍ୟରୁ ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ରଖ। ଯଦି ୨୦୨୧-୨୨ ଶିକ୍ଷାବର୍ଷରେ କୌଣସି ବିଶ୍ବବିଦ୍ୟାଳୟରେ ମୋଟ ରେଗୁଲାର ସିଟ୍‌ ମଧ୍ୟରୁ ୨୦%ରୁ ଅଧିକ ପିଲା ସେଲ୍ଫ ଫାଇନାନ୍ସିଂରେ ନାମ‌ ଲେଖାଇଛନ୍ତି ତାହା ହେଲେ ୨୦୨୨-୨୩ ଶିକ୍ଷାବର୍ଷରେ ଉକ୍ତ ସିଟ୍‌ ସଂଖ୍ୟା ହ୍ରାସ କରାଯିବ। ଯେଉଁଠି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ହେବ ସେଠାରେ ୨୦୨୨-୨୩ ଶିକ୍ଷାବର୍ଷରେ ନୂତନ ନାମଲେଖା ହେବ ନାହିଁ। ଉକ୍ତ କୋର୍ସରେ ପୂର୍ବରୁ ଛାତ୍ରଛାତ୍ରୀ ନାମ ଲେଖାଇଥିବାରୁ ତାହା ଆଉ ଗୋଟିଏ କିମ୍ବା ଦୁଇଟି ବର୍ଷ ଜାରି ରହିବ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଭବିଷ୍ୟତରେ ସେଲ୍ଫ ଫାଇନା‌ନ୍ସିଂ କୋର୍ସ ଖୋଲିପାରିବେ। ମାତ୍ର ତାହାକୁ ଡାଇରେକ୍ଟ ମୋଡ୍‌ରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସିଧାସଳଖ ଚଳାଇବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର