ପୁଅ ମୃତ୍ୟୁର ୮ ଦିନ ପରେ ବାପାଙ୍କ ମୃତ୍ୟୁ

ଚଣ୍ଡିଖୋଲ : ସାନପୁଅର ମୃତ୍ୟୁକୁ ଆଠ ଦିନ ପୁରିନି। ଝୁରିଝୁରି ହୃଦ୍‌ଘାତରେ ଚାଲିଗଲା ବାପାଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ନଳିପୁର ଗ୍ରାମରେ ଶୋକର ଛାୟା ଖେଳାଇଦେଇଛି।

ପ୍ରକାଶ ଯୋଗ୍ୟ ଯେ, ଏହି ଗ୍ରାମର ନିତ୍ୟାନନ୍ଦ ବଳ(୭୩)ଙ୍କ ସାନପୁଅ ସାମ୍ବାଦିକ ରତିକାନ୍ତ ବଳଙ୍କର ଗତ ୧୫ ତାରିଖରେ କରୋନାରେ ମୃତ୍ୟୁ ହୋଇଥିଲା। ପୁଅର ଅକାଳ ବିୟୋଗରେ ବୃଦ୍ଧପିତା ନିତ୍ୟାନନ୍ଦ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ। ପୁଅକୁ ଝୁରିଝୁରି ଶଯ୍ୟାଶାୟୀ ହୋଇପଡ଼ିଥିଲେ। ତେବେ ଶନିବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବାପରେ ନଳିପୁର ସମେତ ବାଲିଚନ୍ଦ୍ରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ବଳଙ୍କ ପତ୍ନୀ ସାହିତ୍ୟିକା ପ୍ରମୋଦା ମଞ୍ଜରୀ ବଳଙ୍କ ସମେତ ପରିବାରର ଅନ୍ୟ କେତେକ ସଦସ୍ୟ କରୋନା ଆକ୍ରାନ୍ତ ହୋଇ ନଳିପୁର ସ୍କୁଲରେ ସଙ୍ଗରୋଧରେ ରହିଛନ୍ତି।

ନିତ୍ୟାନନ୍ଦଙ୍କ ମୃତ୍ୟ ଘଟଣା ଏହି ପରିବାରକୁ ଛାରଖାର କରିଦେଇଛି। କୋଭିଡ କଟକଣା ମଧ୍ୟରେ ଗ୍ରାମ ଶ୍ମଶାନରେ ନିତ୍ୟାନନ୍ଦଙ୍କ ଶେଷକୃତ୍ୟ କରାଯାଇଥିବା ବେଳେ ବଡ଼ପୁଅ ପିଣ୍ଟୁ ମୁଖାଗ୍ନି ଦେଇଥିଲେ। ନିତ୍ୟାନନ୍ଦ ଜଣେ ସରଳ ଓ ଅମାୟିକ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ବିଧାୟକ ଅମର ପ୍ରସାଦ ଶତପଥୀ, ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପ୍ରାକ୍ତନ ସାଂସଦ ମୋହନ ଜେନା, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଏଆଇସିସି ସଭ୍ୟ ଶୁଭେନ୍ଦୁ ମହାନ୍ତି, ବଡ଼ଚଣା କଂଗ୍ରେସ ନେତା ଅଜୟ କୁମାର ସାମଲ, ପୂର୍ବତନ ବ୍ଲକ୍‌ କଂଗ୍ରେସ ସଭାପତି ଫକୀର ମୋହନ ବଳ, ବିଳାସ ଚନ୍ଦ୍ର ବାରିକ, ସରପଞ୍ଚ ମନୋରଞ୍ଜନ ମଲ୍ଲିକ ଓ ସମିତିସଭ୍ୟ ଖଗେଶ୍ୱର ବେହେରା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ କରୋନା ସଂକ୍ରମିତ ପରିବାରବର୍ଗଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସମ୍ବନ୍ଧିତ ଖବର