ଆକାଶରୁ ଖସିଲା ମୃତ୍ୟୁ: ବଜ୍ରପାତ ନେଲା ୮ ଜଣଙ୍କ ଜୀବନ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ୫ ଡାକ୍ତରଖାନାରେ ଭର୍ତ୍ତି

ମୃତକଙ୍କ ମଧ୍ୟରେ ୩ ମହିଳା‌, ୨ ବାଳକ, ୩ ପୁରୁଷ

ବାଲେଶ୍ବର: ଉତ୍ତର ଓଡ଼ିଶାରେ ଆଜି ପ୍ରବଳ ବର୍ଷା ଓ ଘନଘନ ବଜ୍ରପାତରେ ୮ ଜଣଙ୍କର ପ୍ରାଣହାନି ଘଟିଛି। ଏଥିରେ ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରୁ ଜଣେ ଏବଂ ଭଦ୍ରକରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସମାନ ଘଟଣାରେ ଏହି ୩ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ୫ ଜଣଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ଜଳି ଯାଇଥିବାବେଳେ ସେମାନେ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଶନିବାର ଅପରାହ୍ନରେ ବସ୍ତା ବ୍ଲକ୍‌ ତଳ ତାପଣ୍ଡା ଓ ଶାସନ ଗ୍ରାମରେ ବିଲରେ ତଳି ପକାଇବା ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ମୃତ ୨ ମହିଳା ହେଲେ ବସ୍ତା ଥାନା ମଥାନୀ ଗ୍ରାମର ମନୋରଞ୍ଜନ ମାଝୀଙ୍କ ପତ୍ନୀ ପାନ ମାଝୀ (୫୦) ଓ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ବ୍ରାହ୍ମଣମରା ଗ୍ରାମର ଶନିଆ କାଳନ୍ଦୀଙ୍କ ପତ୍ନୀ ଛବି କାଳନ୍ଦୀ (୩୨)। ସେମାନଙ୍କ ସହିତ ବିଲରେ କାମ କରୁଥିବା ପୁନସିତା ଅଞ୍ଚଳର ଜଣେ ଯୁବତୀଙ୍କ ସମେତ ବର୍ଷା (୨୨), ଗୁରୁବାରି କା‌ଳନ୍ଦୀ (୨୮) ଓ ସାବିତ୍ରୀ କିସ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଜଳେଶ୍ୱର ବ୍ଲକ ଗୋବରଘଟା ପଞ୍ଚାୟତ କୃଷ୍ଣନଗର ଗ୍ରାମର ମଙ୍ଗଳ ଟୁଡୁଙ୍କ ନାବାଳକ ପୁଅ ଗଜେନ୍ଦ୍ର (୧୨) ଓ ମଙ୍ଗଳ ମାରାଣ୍ଡିଙ୍କ ପୁଅ ପଦନା (୧୩) ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ବିଲରେ ଗୋରୁ ଚରାଉଥିବା ବେଳେ ବଜ୍ରାଘାତର ଶିକାର ହୋଇ ଟଳି ପଡ଼ିଥିଲେ। ଜିକେ ଭଟ୍ଟର ଡାକ୍ତରଖାନାରେ ଦୁଇ ବାଳକଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଏଥିସହିତ ଜଳେଶ୍ବର ଅଞ୍ଚଳରୁ ଆଉ ଜଣେ ମହିଳା ବଜ୍ରପାତ‌ରେ ଆଖି ବୁଜିଥିବାବେଳେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଜଣକ ହେଲେ ବରଡିହା ପଞ୍ଚାୟତ କୁସୁମସାହିର ମାଧବ ସିଂଙ୍କ ପତ୍ନୀ ପୂର୍ଣ୍ଣିମା ସିଂ। ତାଙ୍କ ସହ ଥିବା‌ କୁସୁମ ସାହିର ସ୍ୱର୍ଗତ ପରମେଶ୍ୱର ମହାନ୍ତଙ୍କ ପତ୍ନୀ ସାବିତ୍ରୀ ମହାନ୍ତ, ଗୋପ ଗ୍ରାମର ଅର୍ଜୁନ ସିଂଙ୍କର ପତ୍ନୀ ଗୁରୁବାରୀ ସିଂ ଓ ତାଙ୍କ ପୁଅ ଅଭିମନ୍ୟୁ ସିଂ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ତାଳକୁଣ୍ଡା ଗ୍ରାମର ନରେନ ମହାନ୍ତଙ୍କ ପୁଅ ଜୟଦେବ (୨୬) ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ବିଲକାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ‌ପୌରପାଳିକା ରାଧାନାଥପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ସାହୁ (୫୬) ଓ ବାସୁଦେବପୁର ବ୍ଲକ ପଢ଼ୁଆ ଗ୍ରାମର ଗଙ୍ଗାଧର ମଳିକ (୩୫) ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଗଙ୍ଗାଧରଙ୍କୁ ସୋର ଡାକ୍ତରଖାନା ଓ ପୂର୍ଣ୍ଣଚନ୍ଦ୍ରଙ୍କୁ ବାସୁଦେବପୁର ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରକାଶଥାଉକି, ଗତବର୍ଷ ଜୁଲାଇ ୨୦ ତାରିଖରେ ବାଲେଶ୍ବରର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଗୋଟିଏ ଦିନରେ ୭ ଜଣଙ୍କର ଜୀବନ ଯାଇଥିଲା।

ସମ୍ବନ୍ଧିତ ଖବର