‘ଡନ୍‌’ ଟାର୍ଗେଟରେ କୁଢେନିଶା; ଗାଁ ଛାଡ଼ିଲେ ୮ ପରିବାର

ମାନେଶ୍ୱର : ସମ୍ବଲପୁର ଜିଲ୍ଲା ବତେମୁରା ପଞ୍ଚାୟତ ଅନ୍ତର୍ଗତ କୁଢେନିଶା ଗ୍ରାମରେ ଗତ କିଛିଦିନ ହେଲା ଉତ୍ପାତ ମଚାଉଛି ଦନ୍ତାହାତୀ ‘ଡନ୍‌’। ‘ଡନ୍‌’ର ଆତଙ୍କରେ ଆତଙ୍କିତ ହୋଇ ଗୁରୁବାର ୮ଟି ପରିବାର କୁଢେନିଶା ଗାଁ ଛାଡ଼ିଛନ୍ତି। ସେପଟେ ବନ ବିଭାଗ ବି ନିରୁପାୟ ହୋଇ ବସିଛି।

କିଛି ଦିନ ତଳେ ହାଟରୁ ଘରକୁ ଫେରୁଥିବା ବଲାରଂଗା ଗାଁର ଜଣେ ଯୁବକଙ୍କ ଜୀବନ ନେଇଥିଲା ‘ଡନ୍‌’। ଗତ ମଙ୍ଗଳବାର ରାତିରେ ପୁଣି ଦୁଇ ଜଣ ବାଉଁଶ କଟାଳି ଶ୍ରମିକଙ୍କ ଜୀବନ ନେଇଛି। ପରଦିନ ଅର୍ଥାତ ବୁଧବାର ରାତିରେ ବି ପୁଣି ସେ ଉତ୍ପାତ କରିଛି। ତେବେ, ‘ଡନ୍’ ଏଥର ଏକା ନଥିଲା। ତା ସହିତ ଏକ ହାତୀପଲ ମଧ୍ୟ କୁଢେନିଶା ଗାଁକୁ ଆସିଥିଲେ। ବୁଧବାର ରାତି ସାଢ଼େ ପ୍ରାୟ ୮ ଟାରେ ୧୨ଟି ହାତୀ କୁଢେନିଶା ଗାଁ ଦେଇ ଯାଇଥିଲେ। ଗାଁ ପାଖ ଏକ ବନ୍ଧରେ ଗାଧୋଇ ଥିଲେ। ବେଶ୍ କିଛି ସମୟ ରହିଥିଲେ ହେଁ ସେମାନେ କାହାର କିଛି କ୍ଷତି କରିନଥିଲେ। ତେବେ, ରାତି ପ୍ରାୟ ୧୧ଟାରେ ଡନ୍‌ ସେଠାରେ ଥିବା ଏକ କ୍ରସର୍‌କୁ ଆସିଥିଲା। କିଛି ସମୟ ସେଠାରେ ଉତ୍ପାତ କରିବା ପରେ ଗାଁକୁ ପୁଣି ପ୍ରବେଶ କରିଥିଲା ଏହି ଦନ୍ତାହାତୀ। ବସନ୍ତ ଛତର ଓ ହାରାଚାନ୍ଦ ନାଏକଙ୍କ ଘର ଭାଙ୍ଗି ଧାନ ବସ୍ତା ନେଇ ଚାଲିଯାଇଥିଲା।

ଦନ୍ତାହାତୀ ପ୍ରତ୍ୟେକ ଦିନ ଗାଁକୁ ଆସୁଥିବାରୁ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳିଗଲାଣି। ସଞ୍ଜ ନଇଁଲେ ଲୋକେ ଗାଁରେ ଥିବା ସ୍କୁଲ ଓ ବନ ବିଭାଗର ଛାତ ଉପରକୁ ଖାଦ୍ୟପେୟ ନେଇ ଯାଇ ରହୁଛନ୍ତି । ଅନେକଙ୍କ ଘରର ଚୁଲି ମଧ୍ୟ ଜଳୁନାହିଁ। ଭୋକରେ ରାତି କାଟିବା ପାଇଁ ପଡୁଛି । ୬ ଦିନ ହେଲାଣି କେହି ଭଲ ଭାବେ ଶୋଉନାହାନ୍ତି। ବିଭିନ୍ନ ଅଂଚଳରୁ ରୋଜଗାର ପାଇଁ ଅନେକ ପରିବାର କୁଢେନିଶା ଆସି ଅସ୍ଥାୟୀ ଘର କରି ରହୁଛନ୍ତି। ମଜୁରିଆ ଭାବେ କାମ ପେଟ ପୋଷୁଛନ୍ତି। ହାତୀ ଆତଙ୍କ ପରେ ଆଜି ଏଭଳି ୮ଟି ପରିବାରର ସର୍ବମୋଟ ୩୬ ଜଣ ସଦସ୍ୟ ଜୀବନ ବଞ୍ଚାଇବା ପାଇଁ କୁଢେନିଶା ଛାଡ଼ି ନିଜ ନିଜ ଗାଁକୁ ଚାଲି ଯାଇଛନ୍ତି। ଇତିମଧ୍ୟରେ ‘ଡନ୍‌’ ୩ଟି ମୁଣ୍ଡ ନେଇସାରିଲାଣି। ଆଉ କେତେଜଣ ମୃତ୍ୟୁ ହେଲେ ବନ ବିଭାଗର ଚେତା ପଶିବ ବୋଲି ଗାଁ ଲୋକେ ପ୍ରଶ୍ନ କରୁଛନ୍ତି। ଶୀଘ୍ର ସ୍ଥାୟୀ ପ୍ରତିକାର କରାନଗଲେ ଆହୁରି ୩୦ ପରିବାର ଗ୍ରାମ ଛାଡ଼ିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ଅପରପକ୍ଷରେ ଡିଏଫ୍ଓ ସଂଜିତ କୁମାର ଆଜି କୁଢେନିଶା ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର