ସାମାଜିକ ଦୂରତା ନ ରହିବାରୁ ୮ ଜଣ ନେତା ଗଣିଲେ ତଣ୍ଡ

ଭୁବନେଶ୍ବର : କରୋନା ମୁକାବିଲା କରିବାରେ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ। ଏ ନେଇ ଆଜି ଭୁବନେଶ୍ବରରେ ୧୧ଟି ରାଜନୈତିକ ଦଳ ପକ୍ଷରୁ ବିଶାଳ ପ୍ରତିବାଦ କାର୍ଯ୍ୟକ୍ରମ ହେଲା। କିନ୍ତୁ ବିକ୍ଷୋଭ ବେଳେ କରୋନା ପାଇଁ ସରକାର ଜାରି କରିଥିବା ସାମାଜିକ ଦୂରତା ରହିଲାନି। ଯେଉଁଥିପାଇଁ ପୁଲିସ ପିସିସି ସଭାପତିଙ୍କ ସମେତ ୮ ଜଣ ନେତାଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି। ଏ ନେଇ ପିସିସି ସଭାପତି କହିଛନ୍ତି, ବିକ୍ଷୋଭ ବେଳେ କେହି ଜାଣିଜାଣି ନିୟମ ଭଙ୍ଗ କରିନାହାନ୍ତି। ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା ଲାଗି ଯଦି ଜେଲ୍‌ ଯିବାକୁ ପଡ଼େ ତାହେଲେ ବି ସେମାନେ ପ୍ରସ୍ତୁତ।

ମିଳିତ ପ୍ରତିବାଦ କାର୍ଯ୍ୟକ୍ରମ ବେଳେ ସାମାଜିକ ଦୂରତା ରକ୍ଷା ଭଙ୍ଗ କରିଥିବା ନେତାମାନଙ୍କୁ ଜରିମାନା ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ପ୍ରଥମେ ଶ୍ରୀ ପଟ୍ଟନାୟକ ୫୦୦ ଟଙ୍କାର ଜରିମାନା ଦେବା ପରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ସିପିଆଇଏମ୍‌ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ(ଏମ୍‌ଏଲ୍‌) ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରଵାର୍ଡ଼୍‌ ବ୍ଲକ୍‌ ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ସମାଜବାଦି ପାର୍ଟି ନେତା ସୁଦର୍ଶନ ପ୍ରଧାନ ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ତଣ୍ଡ ଗଣିଥିଲେ।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ କରୋନା ସ୍ଥିତି ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଆଜି ଲୋକମାନେ ଦୁର୍ଦ୍ଦିନରେ ପଡ଼ିଛନ୍ତି। ଚାଷୀ, ବେରୋଜଗାର ଗରିବ, ଶ୍ରମିକ ଓ ମଧ୍ୟବିତ୍ତ ପରିବାରର ଦୁଃଖ ଜଣାଇବା ପାଇଁ ସମସ୍ତେ ମିଳିତ ଭାବେ ରାଜଭବନ ଯାଇଥିଲୁ। ଯିବାବେଳେ ଆମମାନଙ୍କ ଭିତରେ ସାମାଜିକ ଦୂରତା ରକ୍ଷା ହୋଇନି ବୋଲି ପୁଲିସ ଭାଇମାନେ ଅଭିଯୋଗ କରିଥିଲେ। ଏଥିରେ କିଛି ଆପତ୍ତି ନାହିଁ। ପୁଲିସଭାଇମାନେ ସେମାନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ତୁଲାଇବାକୁ ଯାଇ ଆମମାନଙ୍କଠାରୁ ଜରିମାନା ଆଦାୟ କରିଛନ୍ତି।

ସମ୍ବନ୍ଧିତ ଖବର