ପାଣିପମ୍ପ୍‌ ଚୋର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ଜେନେରେଟର୍‌, ଏସି, ୨୩ ପମ୍ପ୍‌ ସହ ୮ଗିରଫ

କଟକ/ବିଦ୍ୟାଧରପୁର : କନ୍ଦରପୁର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ ପାଣିପମ୍ପ୍‌ ଚୋର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିବା ସହ ୮ଜଣ ଚୋରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କିଶନନଗର କାନପଡ଼ାର ରାଜା ଓରଫ ରାଜୀବ ଲୋଚନ ହାତୀ(୨୧), କୋରପଡ଼ାର ବାଦଲ କୁମାର ସାହୁ(୨୨), କନ୍ଦରରପୁର କେଶପୁରର ନୀଳ ଓରଫ ଜନ୍ମେଜୟ ଦାସ(୨୩), କେଶପୁରର ରାଜା ଓରଫ ରାଜୀବ ବେହେରା(୨୪), ବିରିଡ଼ି ବାଲିକୁଦାର ସାଗର କୁମାର ଭୋଇ(୨୫), କନ୍ଦରପୁର ସଫିପୁରର ଦୀନବନ୍ଧୁ ବେଉରା(୩୬), କିଶୋରନଗର ରାମକୁମାରପୁରର ବିଷ୍ଣୁଚରଣ ଭୂୟାଁ(୪୫) ଓ ମାନପୁରର ଅଶୋକ କୁମାର ଭୋଇ(୩୦)। ପୁଲିସ ସେମାନଙ୍କ ନିକଟରୁ ଜେନେରେଟର, ଏୟାର କଣ୍ଡିସନର୍‌ ଓ ୨୩ଟି ପାଣି ପମ୍ପ୍‌ ସହ ଅନ୍ୟାନ୍ୟ ଚୋରା ସାମଗ୍ରୀ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ଅନୁଯାୟୀ, ଫକୀରପଡ଼ା ରେଡିଓ ଷ୍ଟେସନ୍‌ରେ କାମ କରୁଥିବା କନ୍ଦରପୁର ଥାନା କେଶପୁର ଅଞ୍ଚଳର ଦିଲ୍ଲୀପ କୁମାର ସାମନ୍ତରାୟ ବଡ଼ ପୋଲ ନିକଟରେ କୋଠା ନିର୍ମାଣ କରୁଛନ୍ତି। ଗତ ୨୦ ତାରିଖ ରାତିରେ ଉକ୍ତ କୋଠାରେ ଥିବା ପାଣି ପମ୍ପ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ଏ ସମ୍ପର୍କରେ ଦିଲ୍ଲୀପ ୨୧ ତାରିଖ ସକାଳେ ଜାଣିବାକୁ ପାଇ କନ୍ଦରପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା କରିବାରେ ମୁଖ୍ୟ ଅଭିଯୁକ୍ତ ରାଜୀବ ଏବ˚ ବାଦଲ ଅନ୍ୟ ସହଯୋଗୀଙ୍କ ସହିତ ପମ୍ପ୍‌ ଚୋରି କରିଥିବା ପୁଲିସ ସୁରାକ ପାଇଥିଲା। ଘଟଣାର ଖୋଳତାଡ଼ କରିବା ପରେ ପୁରା ୮ ଜଣିଆ ଗ୍ୟାଙ୍ଗ୍‌କୁ ପୁଲିସ ଧରିବାରେ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ ପୁଲିସ ଆହୁଜାର ଏକ ଆମ୍ଲିଫାୟର, ହୋଣ୍ତା ଜେନେରଟର‌୍‌, ସୋନି କ୍ୟାମେରା, ହିଟାଚି ଏୟାର କଣ୍ତିସନର, ହାରମୋନିୟମ୍‌, ଷ୍ଟାବିଲାଇଜର‌୍‌ ଇତ୍ୟାଦି ଜବତ କରାଯାଇଛି। କନ୍ଦରପୁର ପୁଲିସ ଏକ ମାମଲା ରୁଜୁ କରିବା ସହ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମା‌ନଙ୍କ ବିରୋଧରେ ସଦର ଥାନାରେ ୪ଟି ଓ କିଶୋରନଗର ଥାନାରେ ୭ଟି ମାମଲା ରୁଜୁ ହୋଇଛି।ପୁଲିସ ପକ୍ଷରୁ କରାଯାଇଥିବା ଚଢ଼ଉରେ ଏସ୍‌ଆଇ ରୋହିତ ବଳ, ଏଏସ୍‌ଆଇ ସଦାଶିବ ପଣ୍ତା, କନ୍‌ଷ୍ଟେବଳ ମାନସ ସାସମଲ୍‌, ସଦାନନ୍ଦ ରାଉତ ଏବ˚ ଶାରଦା ସାହୁ ପ୍ରମୁଖ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର