ସମ୍ପର୍କର ସମାଧି : ନିଜ ଲୋକ ନେଲେ ୮ ଜୀବନ

ଭୁବେନଶ୍ୱର : କିଏ ବାପାମା’, କିଏ ଭାଇ କିମ୍ବା କିଏ ସ୍ତ୍ରୀ- କିଛି ବି ଫରକ୍‌ ପଡ଼ିଲାନି! ସମ୍ପର୍କ କିମ୍ବା ରକ୍ତ ସମ୍ପର୍କର କିଛି ବି ମୂଲ୍ୟ ରହିଲାନି! କୋଉଠି ଗୁଳି ଫୁଟିଲା ତ କୋଉଠି ବାପାମା’ଙ୍କ ମୁଣ୍ଡରେ ହାତୁଡ଼ି ଚୋଟ ପଡ଼ିଲା! ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଏହିଭଳି ଘଟଣା ଦେଖିବାକୁ ମିଳିଛି। ଖାଲି ଘଟଣା ତ ଘଟିନି ସମ୍ପର୍କ ଏକପ୍ରକାର ସମାଧି ନେଇଛି। ପିଶାଚ ପାଲଟିଥିବା ନିଜର ଲୋକଙ୍କ ହାତରେ ୮ ଜଣଙ୍କ ଜୀବନ ଯାଇଛି।

ସବୁଠୁ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗାଁରେ। ସାମାନ୍ୟ ପାରିବାରିକ ଝଗଡ଼ାରେ ଉତ୍‌କ୍ଷିପ୍ତ ହୋଇ ପୁଅ ନିଜ ବୃଦ୍ଧ ବାପା-ମା’ଙ୍କୁ ହାତୁଡ଼ିରେ ଛେଚିି ନିର୍ମମ ହତ୍ୟା କରିଛି। ବରପଦର ଗାଁ’ର କରୁଣାକର ବଘାର(୭୦)ଙ୍କ ବଡ଼ପୁଅ ଦୁଃଖୀଶ୍ୟାମ (୪୦) ଗତକାଲି ଦିନରେ ବାହାରେ ଭୋଜି କରି ରାତି ପ୍ରାୟ ୮ଟାରେ ଘରକୁ ଫେରିଥିଲା। କୌଣସି କାରଣ ନେଇ ସ୍ତ୍ରୀ ଚିନା (୩୨)ଙ୍କ ସହ ତା’ର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ପତ୍ନୀଙ୍କୁ ଜୀବନରେ ମାରି ଦେବାପାଇଁ ଏକ ହାତୁଡ଼ି ଧରି ଗୋଡ଼ାଇଥିଲା। ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁର କରୁଣାକର (ଦୁଃଖୀର ବାପା) ଓ ଶାଶୂ(ଦୁଃଖୀର ମା’) ଚମ୍ପା ବଘାର (୬୫) ଦୁଃଖିଶ୍ୟାମ ଆକ୍ରୋଶର ଶିକାର ହୋଇଥିଲେ। ରକ୍ତମୁଖା ଦୁଃଖୀଶ୍ୟାମ ପତ୍ନୀଙ୍କୁ ନପାଇ ବାପା ଓ ମା’ଙ୍କ ଉପରେ ସମସ୍ତ ରାଗ ଶୁଝାଇଥିଲା। ହାତୁଡ଼ିରେ ପିଟି ଦି’ଜଣଙ୍କୁ ହତ୍ୟା କରିଥିଲା।

ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଏହିଭଳି ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ସୁରଙ୍ଗୀପାଳ ଗାଁରେ ସାମାନ୍ୟ ବଚସାରୁ ଜଣେ ମଦ୍ୟପ ପୁଅ ତା’ର ବାପାଙ୍କୁ ଗୁଳିକରି ହତ୍ୟା କରିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଅଜୁ ମୁଣ୍ଡା (୨୨)ପ୍ରଚୁର ମଦ ପିଇ ଘରକୁ ଆସିଥିଲା। କୌଣସି କାରଣକୁ ନେଇ ବାପା ଭାଗୀରଥି ମୁଣ୍ଡା (୫୫)ଙ୍କ ସହିତ ତା’ର ପାଟିତୁଣ୍ଡ ହୋଇଥିଲା। ଅଜୁ ହଠାତ୍‌ ଘରେ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ବାହାର କରି ଭାଗୀରଥିଙ୍କୁ ମାରିଦେବାକୁ ଧମକ୍‌ ଦେଇଥିଲେ। ଭାଗୀରଥି ନିଜକୁ ବଞ୍ଚାଇବାକୁ ଉଦ୍ୟମ କଲାବେଳେ ବାପ-ପୁଅଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି ଭାଗୀରଥିଙ୍କ ପେଟରେ ବାଜିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଠେଲାପେଲା ବେଳେ ଅଜୁ ଗୋଡ଼ରେ ମଧ୍ୟ ଗୁଳି ବାଜିବାରୁ ସେ ଆହତ ହୋଇଛି। ମାଲକାନଗିରି ଥାନା ଅନ୍ତର୍ଗତ ନାୟକଗୁଡା ନିକଟସ୍ଥ ସନ୍ନ୍ୟାସୀଗୁଡାରେ ଜମିଜମା ବିବାଦକୁ କେନ୍ଦ୍ରକରି ପୁତୁରା ସମାରୁ ବାକା ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆ ଚୋଟ ମାରିବାରୁ ଦାଦା ଭଗତରାମ ବାକାଙ୍କର ପ୍ରାଣବାୟୁ ଉଡିଯାଇଛି।

ଅନ୍ୟ ୪ଟି ସ୍ଥାନରେ ସ୍ତ୍ରୀର ପ୍ରାଣ ନେଇଛି ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଚାଞ୍ଛିପଦା ଗ୍ରାମର ନାଲିଆ ବେହେରା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଜାନି(୩୦)କୁ ଠେଙ୍ଗାରେ ବାଡ଼େଇ ହତ୍ୟା କରିଛି। ସୁନ୍ଦରଗଡ଼ ବିଶ୍ରା ଥାନା ଅନ୍ତର୍ଗତ ବିଜାଡିହି ଗ୍ରାମର ସଙ୍ଗିତା ମିଞ୍ଜ(୨୬)ଙ୍କୁ ଗତ ରାତିରେ କୌଣସି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛି। ପୁଲିସ ଶବ ଜବତ କରି ମୃତା ମହିଳାଙ୍କ ସ୍ୱାମୀ ମାଙ୍ଗ୍ରା ମିଞ୍ଜ(୩୨)କୁ ଅଟକ ରଖି ପଚରାଉଚରା ଚଳାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସଦର ମହକୁମାରେ ଅନୁରୂପ ଭାବେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘରକୁ ଯିବାକୁ ମନା କରିବାରୁ ନାଥୁ ହରିଜନ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀ ରୁବିନାଙ୍କ ଗଳା କାଟି ଦେଇଛନ୍ତି। ସେହିଭଳି, ଭୁବନେଶ୍ୱର ସହିଦନଗର ଥାନା ଅଧୀନ ବାଙ୍କୁଆଳ ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏକ କାଠ ଫାଳିଆରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଛି। ମୃତ ମହିଳାଜଣଙ୍କ ହେଲେ ଦୀପିକା ରଣା (୨୫)।

ଗୋଟିଏ ଦିନରେ ନିଜ ସମ୍ପର୍କୀୟଙ୍କ ହାତରେ ୮ ଜଣଙ୍କ ପ୍ରାଣହାନୀ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାପ୍ରକଟ କରାଯାଇଛି। ଏ ସମ୍ପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟ ମନ୍ତସ୍ତତ୍ତ୍ୱ ବିଭାଗ ପ୍ରଫେସର ନମିତା ମହାନ୍ତି କହିଛନ୍ତି ଯେ ‘ଆଜିକାର ବସ୍ତୁବାଦୀ ଯୁଗରେ ସବୁଲୋକ ସମ୍ପର୍କଠାରୁ ନିଜକୁ ଦୂରେଇ ରଖୁଛନ୍ତି। ବାହ୍ୟ ଜୀବନ ପ୍ରତି ଏତେଦୂର ଆକୃଷ୍ଟ ହେଉଛନ୍ତି ତାହା ବ୍ୟକ୍ତିଗତ ଜୀବନ ଉପରେ ଏକ ନକାରାତ୍ମକ ପ୍ରଭାବ ପକାଉଛି। ସମ୍ପର୍କୀୟଙ୍କୁ ହତ୍ୟାକାଣ୍ଡ ଭଳି ଯେଉଁ ଘଟଣା ଘଟୁଛି, ତାହା ପଛରେ ଏହା ହିଁ ମୂଳ କାରଣ’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର