ସମଗ୍ର ରାଜ୍ୟରେ ପଠାଣି ସାମନ୍ତ ପ୍ଲାନେଟୋରିଅମ୍‌ ଢାଞ୍ଚାରେ ଆଉ ୮ଟି କେନ୍ଦ୍ର ପ୍ରତିଷ୍ଠା କରାଯିବ : ମନ୍ତ୍ରୀ

ଖଣ୍ଡପଡ଼ା : ଖଣ୍ଡପଡ଼ା ପାଇଁ ପ୍ରାୟ ସାଢେ଼ ଛଅ କୋଟି ଟଙ୍କା ଅନୁଦାନରେ ୫ ଏକର ଜାଗାରେ ପଠାଣି ସାମନ୍ତ ବ୍ୟାଖ୍ୟାନ କେନ୍ଦ୍ର ପାଖରେ ସାଇନ୍ସ ପାର୍କ ହେବ। ଏହାସହିତ ସମଗ୍ର ରାଜ୍ୟରେ ପଠାଣି ସାମନ୍ତ ପ୍ଲାନେଟୋରିଆମ୍‌ ଢାଞ୍ଚାରେ ଆଉ ୮ଟି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ ଖୁବଶୀଘ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା।

କଳା ବିକାଶ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ମଧୁବନ କ୍ରୀଡାଙ୍ଗନରେ ଆଜି ଅନୁଷ୍ଠିତ ଖଣ୍ଡପଡ଼ା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଉତ୍ସବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ସାମନ୍ତ ମାଟିର ଯୁବପିଢ଼ି ସୁଯୋଗ ଦେବା ଓ ସୁଯୋଗ ସୃଷ୍ଟିର ମୂଳ ଲକ୍ଷ୍ୟ ନେଇ ନିଜେ ସ୍ୱାବଲମ୍ବୀ ହେବାପାଇଁ ଚେଷ୍ଟା କରୁ। ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ତାଙ୍କ ଦ୍ୱାରା ସୁନାମୁହିଁ ପାର୍କ ତଥା ପଠାଣି ସାମନ୍ତଙ୍କ ବ୍ୟାଖ୍ୟାନ କେନ୍ଦ୍ର ତିଆରି ହୋଇଥିବା ଏବଂ ଛାତ୍ରଛାତ୍ରୀଙ୍କ କାମରେ ଏହା ଆସୁଥିବାରୁ ସେ ଗଭୀର ସନ୍ତୋଷ ବ୍ୟକ୍ତ କରୁଥିଲେ। ତାଙ୍କ ବିଭାଗ ପକ୍ଷରୁ ୩୦ ଜଣ ବିଜ୍ଞାନ ଶିକ୍ଷକଙ୍କୁ ମୌଳିକ ବିଜ୍ଞାନ କ୍ଷେତ୍ରରେ ତାଲିମ ପାଇଁ ରାଜ୍ୟ ବାହାରକୁ ତାଲିମ କାର୍ଯ୍ୟକ୍ରମ, ସମଗ୍ର ରାଜ୍ୟର ସରକାରୀ ବିଦ୍ୟାଳୟରୁ ୧୦ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ନାସାକୁ ପଠାଇବା, ଉଦ୍ୟୋଗ କ୍ଷେତ୍ରରେ ଷ୍ଟାର୍ଟ ଅପ ମାଧ୍ୟମରେ ୨୭ କୋଟି ଖର୍ଚ୍ଚ ଅନୁଦାନରେ ଯୁବପିଢ଼ି ପାଇଁ ନିଯୁକ୍ତି ସୃଷ୍ଟି ଆଦି ନୂଆ ଯୋଜନା ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା କଥା କହିଥିଲେ।

‘ସମ୍ବାଦ’ ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ। ସେ କହିଥିଲେ ଯେ ଜଗନ୍ନାଥଙ୍କ ଆଦିପୀଠ ସଂସ୍କୃତି ସହ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀର ସଂସ୍କୃତି କୌଣସି ନଦୀ ସଂସ୍କୃତି ଠାରୁ କମ ନୁହେଁ। ଜିଲ୍ଲା ପ୍ରାକୃତିକ ଦୁର୍ବିପାକର ସରବ୍ୟ ହେଉଥିଲେ ମଧ୍ୟ ସବୁବେଳେ ପ୍ରକୃତି ସହ ବଞ୍ଚିବାକୁ ଚାହୁଁଥିବା ଓ ତାର ଓଡ଼ିଆ ହେବାର ଅସ୍ମିତାର ଗୋଟେ ବଡ଼ ପରିଚୟ ବୋଲି କହିଥିଲେ। ଖଣ୍ଡପଡାର ଉନ୍ନତି ଓ ପ୍ରଗତି ପାଇଁ ବିଧାୟକଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ତଥା ରାଜ୍ୟସଭା ସାଂସଦ ଡ଼ ସସ୍ମିତ ପାତ୍ର ପଠାଣି ସାମନ୍ତଙ୍କ ଉଦ୍ୟମ ତଥା ଆବିଷ୍କାର ତାଙ୍କୁ ଯଥାର୍ଥରେ ଜଣେ ମହାପୁରୁଷ ଭାବେ ପରିଚିତ କରାଇଥିବା ଏବଂ ଏ ମାଟିରେ ତାଙ୍କ ପାଦ ପଡ଼ିବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।

ମୁଖ୍ୟବକ୍ତା ଭାବେ ‘ଆମ ଓଡ଼ିଶା’ ସମ୍ପାଦକ ସ୍ୱରାଜ ମିଶ୍ର କହିଲେ ଯେ କୌଣସି ଯନ୍ତ୍ରପାତି ନଥାଇ ଦାରିଦ୍ର୍ୟ ମଧ୍ୟରେ ପଠାଣି ସାମନ୍ତଙ୍କ ଆବିଷ୍କାର ପ୍ରଣିଧାନଯୋଗ୍ୟ। ନିଷ୍ଠା ଓ ଆନ୍ତରିକତା ଥିଲେ ଦାରିଦ୍ର୍ୟ ଅନ୍ତରାୟ ହୁଏ ନାହିଁ ଏହା ପଠାଣି ସାମନ୍ତଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଖଣ୍ଡପଡ଼ା ମାଟିର ଅତୀତ ସହ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ବିଷୟରେ ସେ ବିସ୍ତୃତ ଆଲୋଚନା କରିଥିଲେ। ସାମ୍ପ୍ରତିକ ସମୟରେ ପ୍ରତିଯୋଗିତା ଛାଡ଼ି ବିକାଶ ପାଇଁ ସହଯୋଗିତା ମନ୍ତ୍ର ସହ ସମୃଦ୍ଧିଶାଳୀ ହେବାପାଇଁ ଯୁବପିଢ଼ିକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଖଣ୍ଡପଡ଼ା‌ ତାଙ୍କର କର୍ମଭୂମି ଓ ମାମୁ ଘର ଥିବା ତାଙ୍କୁ ଗର୍ବିତ କରିଛି ବୋଲି ମତବ୍ୟକ୍ତ କରିଥିଲେ।

ଶେଷରେ ବିଧାୟକ ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ାର ପୂର୍ବ ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ‘ମୋ ଝିଅ କାର୍ଯ୍ୟକ୍ରମ’ କୁ ସଫଳ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ପତ୍ନୀ ଶ୍ୱେତା ପାତ୍ର ଓ କଳା ବିକାଶ ପରିଷଦର ଆବାହକ ଦୀନବନ୍ଧୁ ଦାସ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଭାପତି ପ୍ରଦୀପ୍ତ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସନ୍ଧ୍ୟାରେ ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ପାରମ୍ପରିକ ରୀତିନୀତି ମାଧ୍ୟମରେ ନିର୍ବାଚନ ମଣ୍ଡଳୀର ମହିଳାମାନେ ସ୍ୱାଗତ କରିଥିଲେ। ଗତକାଲି ଅପେକ୍ଷା ଆଜି ଅଧିକ ଶୀତ ଅନୁଭୂତ ହେଉଥିଲେ ମଧ୍ୟ ହଜାର ହଜାର ସଂଖ୍ୟାରେ ଦର୍ଶକ ଧୁଡ଼ୁକି, ରାମ ନାଟକ, ଓଡ଼ିଶୀ, ଖଣ୍ଡପଡାର ପାରମ୍ପରିକ ଢୁମ୍ପାନୃତ୍ୟ, ଭୁବନେଶ୍ୱରର ଛଉନୃତ୍ୟ ଆଦି ଉପଭୋଗ କରିଥିଲେ। ମୋନାଲି ସାହୁ ଏବଂ ରୂପାଲି ସାହୁ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର