୮ ଓଏଏସ୍‌ ଅଫିସରଙ୍କ ବଦଳି, ପୁଣି ୧୫୫ ଜଣଙ୍କୁ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ୮ ଜଣ ଅଫିସର୍‌ଙ୍କୁ ବଦଳି କରାଯାଇଛି। ତାହା ମଧ୍ୟରୁ ଚାରି ଜଣଙ୍କୁ ପଦୋନ୍ନତି ପରେ ନୂଆ ନିଯୁକ୍ତି ଦିଆଯାଇଛି। ଲଙ୍କେଶ୍ବର ଅମାତଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରି ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ, ପୁରୀ ଡିଆର୍‌ଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ପୁରୀ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆଙ୍କୁ ଯାଜପୁର ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଏହା ବାଦ୍ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ, ଦେବଗଡ଼ର ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଏବଂ ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ଲିଲି କୁମାରୀ କୁଲୁଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଓପିଏସ୍‌ସିର ସହ ପରୀକ୍ଷା ନିୟନ୍ତ୍ରକ ମୈତ୍ରେୟୀ ଭଟ୍ଟାଚାର୍ଯ୍ୟଙ୍କର କଟକ ଅତିରିକ୍ତ ଜିଲ୍ଲାପାଳ ଭାବେ ପୂର୍ବରୁ ହୋଇଥିବା ବଦଳିକୁ ବାତିଲ କରାଯାଇଛି। ସେ ପୂର୍ବ ପରି ଓପିଏସ୍‌ସିରେ କାର୍ଯ୍ୟ ଜାରି ରଖିବେ।

ଏହା ବାଦ୍ ୧୫୫ ଜଣ ଓଏଏସ୍‌ ଅଫିସର୍‌(ସିନିୟର୍ ବ୍ରାଞ୍ଚ୍‌)ଙ୍କୁ ସୁପର୍‌ଟାଇମ୍‌ ସ୍କେଲ୍‌କୁ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ସମସ୍ତେ ନିଜ ନିଜ ପଦବିରେ କାର୍ଯ୍ୟ ଜାରି ରଖିବେ। ଆଜି ସାଧାରଣ ପ୍ରଶା‌ସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର