୮ ଜିଲ୍ଲାପାଳ ବଦଳିଲେ, ୨୩ ଅଫିସରଙ୍କ ବଦଳି ତାଲିକା ପ୍ରକାଶ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍‌ ଓ ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଉତ୍ତରାଞ୍ଚଳ ଆର୍‌ଡିସି, ୮ ପ୍ରମୁଖ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ମୋଟ ୨୩ ଜଣ ଅଧିକାରୀଙ୍କ ବଦଳି ତାଲିକା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇବା ପରେ ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ବଡ଼ ଅଦଳ ବଦଳ ବୋଲି କୁହାଯାଉଛି। ପୁରୀ, ଗଞ୍ଜାମ ଭଳି ଜିଲ୍ଲାରେ ଜିଲ୍ଲାପାଳମାନେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ।

ଉତ୍ତରାଞ୍ଚଳ ଆର୍‌ଡିସି ଡି ଭି ସ୍ୱାମୀଙ୍କୁ ନିୟୋଜନ ନିର୍ଦେଶକ ଭାବେ ବଦଳି କରାଯାଇଛି। ସେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ପଞ୍ଚାୟତିରାଜ ବିଭାଗ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଗିରିଶ ଏସ୍‌ ଏନ୍‌ଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଛି। ସେହିପରି ପଶୁସଂପଦ ନିର୍ଦେଶକ ମହେନ୍ଦ୍ର ମଲ୍ଲିକ ଉତ୍ତରାଞ୍ଚଳ ଆର୍‌ଡିସି ଭାବେ କାର୍ଯ୍ୟ କରିବେ। ତାଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଦାୟିତ୍ୱ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ପରିଚାଳନା ନିର୍ଦେଶକ ଡ. ନିତିନ୍‌ ଭାନୁଦାସ ଜାଓ୍ଵଲେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଇବେ। ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ ପୃୃଷ୍ଟିଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗକୁ ବଦଳି ହୋଇଛି। ମତ୍ସ୍ୟ ନିର୍ଦେଶକ ପ୍ରଶାନ୍ତ କୁମାର ସେନାପତିଙ୍କୁ ପଶୁସଂପଦ ନିର୍ଦେଶକ ପଦବି ଅତିରିକ୍ତ ଭାବେ ମିଳିଛି। ନିୟୋଜନ ନିର୍ଦେଶକ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜେଶ ପ୍ରଭାକର ପାଟିଲଙ୍କୁ ପର୍ଯ୍ୟଟନ ନିର୍ଦେଶକ ଭାବେ ସରକାର ବଦଳି କରିଛନ୍ତି।

ଅନ୍ୟପକ୍ଷରେ ସୋନପୁର ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କୁ କେନ୍ଦ୍ରାପଡା, ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ସୋନପୁର, କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କୁ ଶ୍ରମ କମିସନର ଭାବେ ନୂଆ ନିଯୁକ୍ତି ମିଳିଛି। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ କଟକ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବେ। କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦେଶକ ଭାବେ କାର୍ଯ୍ୟ କରିବେ।

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ବୟନିକା ପରିଚାଳନା ନିର୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଡ. ଏମ୍‌ ମୁଥୁକୁମାରଙ୍କୁ ଉଦ୍ୟାନ କୃଷି ନିର୍ଦେଶକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅତିରିକ୍ତ ଭାବେ ମିଳିଛି। ଉଦ୍ୟାନ କୃଷି ନିର୍ଦେଶକ ସୁଧାଂଶୁ ମୋହନ ସାମଲ ଦେବଗଡ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ। କେନ୍ଦ୍ରାପଡା ଜିଲ୍ଲାପାଳ ଜି ରେଘୁ ଜଳସଂପଦ ବିଭାଗର ଉପଶାସନ ସଚିବ ଭାବେ ଓ ଜଳସଂପଦ ବିଭାଗର ଯୁଗ୍ମ ସଚିବ ଡ. ବିଜୟ କେତନ ଉପାଧ୍ୟାୟଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ।

ଗଞ୍ଜାମ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ କେ ବିଜୟ ଅମୃତଙ୍କୁ ସେହି ଜିଲ୍ଲାରେ ହିଁ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଗଂଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।

ମାଲକାନଗିରି ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ ଡ. ଗଭାଲି ପରାଗ ହର୍ଷଦଙ୍କୁ କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ନୀଳଗିରି ଉପଜିଲ୍ଲାପାଳ ଏ ବି ନରବଣେଙ୍କୁ ନୀଳଗିରି ଆଇଟିଡିଏ ପିଏ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜଳସଂପଦ ବିଭାଗର ଅତିରିକ୍ତ ସଚିବ ଜ୍ୟୋତିପ୍ରକାଶ ଦାସଙ୍କୁ ପୁରୀ ଜିଲ୍ଲାପାଳ ଓ ବିଡିଏ ସଚିବ ସୀତାଂଶୁ କୁମାର ରାଉତଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ସରକାର ବଦଳି କରିଛନ୍ତି।

ସମ୍ବନ୍ଧିତ ଖବର