ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୮ ଗ୍ରାମାଞ୍ଚଳ ଥାନାର ଥାନା ବାବୁ ବଦଳିଛନ୍ତି। ଏହି କ୍ରମରେ ସର୍ବମୋଟ ୯ ଜଣ ଇନ୍ସପେକ୍ଟରଙ୍କ ସହ ୩ ଜଣ ଏସ୍ଆଇଙ୍କର ମଧ୍ୟ ବଦଳି ହୋଇଛି। ନିକଟିଦେଉଳ ଥାନାଧିକାରୀ ବିଭୂତିଭୂଷଣ ଦଳାଇଙ୍କୁ ଠେଲକୋଲୋଇ ଥାନାକୁ ବଦଳି ହୋଇଥିବା ବେଳେ ଠେଲ୍କୋଲୋଇ ଥାନାଧିକାରୀ ବିଧୁଭୂଷଣ ମିଶ୍ରଙ୍କୁ ଗୋବିନ୍ଦପୁର ଥାନାକୁ ବଦଳି କରାଯାଇଛି। ସେହିଭଳି କିସିଣ୍ଡା ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କୁ ଧମା ଥାନା, ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ଜୟରଶ୍ମୀ ସେଠୀଙ୍କୁ ରେଢ଼ାଖୋଲ ଥାନା, ରେଢ଼ାଖୋଲ ଥାନାଧିକାରୀ ସୁରୁବାବୁ ଛତ୍ରିଆଙ୍କୁ ଶାସନ ଥାନା, ପୁଲିସ ମୁଖ୍ୟାଳୟର ଇନ୍ସପେକ୍ଟର କୃପା ବାଗଙ୍କୁ ନାକଟିଦେଉଳ ଥାନା, ମହୁଲପାଲି ଥାନାଧିକାରୀ ସୁଶାନ୍ତ ଦାସଙ୍କୁ ବୁର୍ଲା ଥାନା, ଶାସନ ଥାନାଧିକାରୀ ଲୋକନାଥ ସାହୁଙ୍କୁ କିସିଣ୍ଡା ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ଗୋବିନ୍ଦପୁର ଥାନାଧିକାରୀ ଅଜୟ ଜେନାଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହା ସହିତ ଧମା ଥାନାରେ କାର୍ଯ୍ୟରତ ଏସ୍ଆଇ ଯୁଗଳକିଶୋର ସା’ଙ୍କୁ ମହୁଲପାଲି ଥାନା(ଓଆଇସି), ମୁଖ୍ୟାଳୟରେ କାର୍ଯ୍ୟରତ ଏସ୍ଆଇ ଉଦ୍ଧବ ତରିଆଙ୍କୁ ଠେଲ୍କୋଲୋଇ ଥାନା ଏବଂ ଠେଲ୍କୋଲୋଇ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରମୋଦ ସାହୁଙ୍କୁ ଧମା ଥାନାକୁ ବଦଳି କରାଯାଇଛି।
ଅନ୍ୟପଟେ ମହାନଗର ଅଂଚଳ ସହିତ ଅନ୍ୟ କେତେକ ଥାନାଧିକାରୀଙ୍କୁ ନେଇ ଅଙ୍କକଷା ଛିଡ଼ି ନଥିବା ଚର୍ଚ୍ଚା ହେଉଛି। ଖାଲି ପଡ଼ିଥିବା ବୁର୍ଲା ଥାନାରେ ନୂତନ ଅଧିକାରୀ ଭାବେ ସୁଶାନ୍ତଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ଅନ୍ୟ କୌଣସି ଥାନାଧିକାରୀଙ୍କୁ ବା କୌଣସି ଏସ୍ଆଇଙ୍କୁ ବଦଳି କରାଯାଇ ନାହିଁ। ଅନେକ ବର୍ଷ ଧରି ଗାଦି ସମ୍ଭାଳି ବସିଥିବା କିଛି ଏସ୍ଆଇଙ୍କୁ ଅନ୍ୟତ୍ର ବଦଳି କରାଯିବ ବୋଲି ଚର୍ଚ୍ଚା ହେଉଥିଲା, କିନ୍ତୁ ଗୁରୁବାର ବଦଳି ପାଇଁ ବାହାରି ଥିବା ଚିଠିରେ ସେଭଳି କିଛି ଦଖିବାକୁ ମିଳି ନଥିଲା। ସାଇବର୍ ଥାନା ଏବେ ବି ଇନ୍ସପେକ୍ଟର ଶୂନ୍ୟ ରହିଛି। ବିନା ଇନ୍ସପେକ୍ଟରରେ ଥାନାରେ ମାମଲା ରୁଜୁ ସମ୍ଭବ ନଥିବା ବେଳେ ସେହି ପଦରେ କାହାରିକୁ ନିୟମିତ ନିଯୁକ୍ତି ଦିଆଯାଇ ନାହିଁ। ପୁଲିସ ମୁଖ୍ୟାଳୟର ଜଣେ ଇନ୍ସପେକ୍ଟରଙ୍କୁ ସାଇବର ଥାନାର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି।