ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ୬ରେ : ଚାଲିବ ୮ଟି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ହେବାକୁ ଥିବା ଏନଡିଏ ଓ ନାଭାଲ ଏକାଡେମି ପରୀକ୍ଷା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ସ୍ଥିର କରାଯାଇଛି। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏହି ଟ୍ରେନ୍ ୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥନରୁ ସମ୍ବଲପୁର, କଟକ, ବିଶାଖାପାଟଣାକୁ ଯାତ୍ରା କରିବ ଏବଂ ୬ ତାରିଖ ଦିନ ସେଠାରୁ ଫେରିବ। ଚାଲିବାକୁ ଥିବା ଟ୍ରେନଗୁଡ଼ିକ ହେଲା ବ୍ରହ୍ମପୁର-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ, ଅନୁଗୁଳ-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ ଭାୟା ତାଳଚେର, କେନ୍ଦୁଝରଗଡ଼-କଟକ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ, ପାରାଦୀପ-କଟକ ମେମୁ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ, ରାଉରକେଲା-ସମ୍ବଲପୁର ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ, କଣ୍ଟାବାଞ୍ଜି-ସମ୍ବଲପୁର ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ, ଇଚ୍ଛାପୁରମ-ବିଶାଖାପାଟଣା ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ ଓ ବାଲେଶ୍ୱର-ଭୁବନେଶ୍ୱର ପରୀକ୍ଷା ସ୍ୱତନ୍ତ୍ର ଟ୍ରେନ।

ବ୍ରହ୍ମପୁର-କଟକ ମେମୁ ସ୍ୱତନ୍ତ୍ର ଟ୍ରେନ ୫ ତାରିଖ ଅପରାହ୍‌ଣ ୫ଟାରେ ବ୍ରହ୍ମପୁରରୁ ଛାଡି କଟକଠାରେ ସେହି ଦିନ ସନ୍ଧ୍ୟା/ରାତ୍ରି ୯ଟାରେ ପହଞ୍ଚିବ। ଫେରିବା ପଥରେ ଏହି ଟ୍ରେନ ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୬ଟା ୩୦ରେ କଟକଠାରୁ ଛାଡି ବ୍ରହ୍ମପୁରଠାରେ ରାତି ୧୦ଟା ୩୦ରେ ପହଞ୍ଚିବ। ଏହି ଟ୍ରେନ ଛତ୍ରପୁର, ଖଲିକୋଟ, ଚିଲିକା, ବାଲୁଗାଁ, କାଳୁପଦାଘାଟ, ଭୂଷଣ୍ଡପୁର, ନିରାକାରପୁର, ଖୋର୍ଦ୍ଧା ରୋଡ୍‌ ଓ ଭୁବନେଶ୍ୱରରେ ଉଭୟ ଦିଗରୁ ରହଣି କରିବ। ପାରାଦୀପ-କଟକ-ପାରାଦୀପ ସ୍ୱତନ୍ତ୍ର ଟ୍ରେନ୍‌ ଅପରାହ୍‌ଣ ୫ଟାରେ ପାରାଦୀପଠାରୁ ଛାଡ଼ି ସନ୍ଧ୍ୟା ୭ଟାରେ କଟକରେ ପହଞ୍ଚିବ। ଫେରିବା ବେଳେ ଏହି ଟ୍ରେନ ୬ ତାରିଖ ସନ୍ଧ୍ୟା ୭ଟାରେ କଟକଠାରୁ ଛାଡ଼ି ପାରାଦୀପଠାରେ ରାତି ୯ଟାରେ ପହଞ୍ଚିବ। ଏହି ଟ୍ରେନ ବଡ଼ବନ୍ଧ, ରାହାମା, ଝଙ୍କଡ଼ ଶାରଳା ରୋଡ଼, ଗୋରଖନାଥ, ରଘୁନାଥପୁର, କନ୍ଦରପୁର ଷ୍ଟେସନରେ ଉଭୟ ଦିଗରୁ ରହଣି କରିବ। କେନ୍ଦୁଝରଗଡ଼-କଟକ ସ୍ୱତନ୍ତ୍ର ଟ୍ରେନ ସନ୍ଧ୍ୟା ୫ଟାରେ ବାହାରି ୮ଟା ୪୫ରେ କଟକରେ ପହଞ୍ଚିବ। ଫେରିବା ପଥରେ ଏହି ଟ୍ରେନ କଟକ ଠାରୁ ୬ ତାରିଖ ସନ୍ଧ୍ୟା ୬ଟା ୪୫ରେ ଛାଡି କେନ୍ଦୁଝରଗଡ଼ଠାରେ ରାତି ୧୦ଟା ୧୫ରେ ପହଞ୍ଚିବ। ଏହି ଟ୍ରେନ ହରିଚନ୍ଦନପୁର, ସୁକିନ୍ଦା ରୋଡ଼, ଯଖପୁରା, ହରିଦାସପୁର, ଧାନମଣ୍ଡଳ, କପିଳାସ ରୋଡ଼ ଷ୍ଟେସନରେ ରହଣି କରିବ।

ଅନୁଗୁଳ-କଟକ ସ୍ୱତନ୍ତ୍ର ଟ୍ରେନ ଭାୟା ତାଳଚେର ରୋଡ଼ ସନ୍ଧ୍ୟା ୫ଟାରେ ଅନୁଗୁଳ ଛାଡ଼ି ରାତି ୮ଟା ୧୫ରେ କଟକରେ ପହଞ୍ଚିବ। ଫେରିବା ପଥରେ ସନ୍ଧ୍ୟା ୭ଟାରେ କଟକ ଛାଡ଼ି ରାତି ୯ଟା ୧୫ରେ ଅନୁଗୁଳଠାରେ ପହଞ୍ଚିବ। ଏହି ଟ୍ରେନ ତାଳଚେର ରୋଡ଼, ତାଳଚେର, ମେରାମୁଣ୍ଡଳୀ, ଢେଙ୍କାନାଳ, ଚାରବାଟିଆ ଓ ନିର୍ଗୁଣ୍ଡିଠାରେ ରହଣି କରିବ। ବାଲେଶ୍ୱର-ଭୁବନେଶ୍ୱର-ବାଲେଶ୍ୱର ସ୍ୱତନ୍ତ୍ର ଟ୍ରେନ ସନ୍ଧ୍ୟା ୫ଟା ରେ ବାଲେଶ୍ଵର ଛାଡ଼ି ରାତି ୯ ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବ। ଫେରିବା ବେଳେ ଏହି ଟ୍ରେନ ଭୁବନେଶ୍ୱରଠାରୁ ୬ ତାରିଖ ରାତି ୯ଟା ୫୦ରେ ଛାଡ଼ି ରାତି ୨ଟା ୩୦ରେ ବାଲେଶ୍ୱରଠାରେ ପହଞ୍ଚିବ। ଏହି ଟ୍ରେନ ଭଦ୍ରକ, ବୈତରଣୀ ରୋଡ୍‌, ଯାଜପୁର କେନ୍ଦୁଝର ରୋଡ଼, ହରିଦାସପୁର, ଧାନମଣ୍ଡଳ, ନିର୍ଗୁଣ୍ଡି ଓ କଟକ ଷ୍ଟେସନଠାରେ ରହଣି କରିବ। କଣ୍ଟାବାଞ୍ଜି-ସମ୍ବଲପୁର-କଣ୍ଟାବାଞ୍ଜି ସ୍ୱତନ୍ତ୍ର ଟ୍ରେନ ସନ୍ଧ୍ୟା ୫ଟାରେ କଣ୍ଟାବାଞ୍ଜିରୁ ବାହାରି ରାତି ୯ଟା ୧୫ରେ ସମ୍ବଲପୁରଠାରେ ପହଞ୍ଚିବ। ଫେରିବା ବେଳେଏହି ଟ୍ରେନ ୬ ତାରିଖ ସନ୍ଧ୍ୟା ୬ଟା ୩୦ରେ ସମ୍ବଲପୁର ଛାଡ଼ି ରାତି ୧୨ଟା ୩୦ରେ କଣ୍ଟାବାଞ୍ଝିରେ ପହଞ୍ଚିବ। ଏହି ଟ୍ରେନ ଟିଟିଲାଗଡ, ବଡ଼ମାଳ, ସଇଁତଳା, ବଲାଙ୍ଗୀର, ଲୋଇଶିଙ୍ଗା, ବରପାଲି ଏବଂ ବରଗଡ଼ ରୋଡ଼ ଷ୍ଟେସନରେ ରହଣି କରିବ। ରାଉରକେଲା-ସମ୍ବଲପୁର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ସନ୍ଧ୍ୟା ୫ଟାରେ ରାଉରକେଲା ଛାଡ଼ି ୭ଟା ୪୦ରେ ସମ୍ବଲପୁରରେ ପହଞ୍ଚିବ। ଫେରିବା ପଥରେ ଏହି ଟ୍ରେନ ସମ୍ବଲପୁରଠାରୁ ୬ ତାରିଖ ରାତି ୯ଟାରେ ରାତି ୧୧ଟା ୪୫ରେ ରାଉରକେଲାଠାରେ ପହଞ୍ଚିବ। ରାଜଗାଙ୍ଗପୁର, ବାମରା, ଝାରସୁଗୁଡା ଓ ରେଙ୍ଗାଲି ଷ୍ଟେସନରେ ଉଭୟ ଦିଗରୁ ରହଣି କରିବ।

ସମ୍ବନ୍ଧିତ ଖବର