କାଳିଜାଈ ଦର୍ଶନ ସାରି ଫେରୁଥିଲେ ୮ ପର୍ଯ୍ୟଟକ; ଚିଲିକାରେ ଡଙ୍ଗା ବୁଡ଼ିଲା, ଜଣେ ନିଖୋଜ

ବାଲୁଗାଁ/ବାଲେଶ୍ବର: ମା’ କାଳିଜାଈଙ୍କ ଦର୍ଶନ ସାରି ବଡକୁଳ ଫେରୁଥିଲା ବେଳେ ଚିଲିକାରେ ଡଙ୍ଗା ବୁଡ଼ିଛି। କିନ୍ତୁ ପର୍ଯ୍ୟଟକମାନେ ଲାଇଫ୍‌ ଜାକେଟ୍‌ ପିନ୍ଧିଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଅନ୍ୟ ଡଙ୍ଗା ମାଧ୍ୟମରେ ୮ ଜଣ ପର୍ଯ୍ୟଟକ, ୨ ଜଣ ଦଙ୍ଗା ଚାଳକ ଓ ଜଣେ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରାଯାଇଛି। କନ୍ତୁ ଅନ୍ୟ ଜଣେ ଚାଳକ ନିଖୋଜ ଅଛନ୍ତି। ଉଦ୍ଧାର ହୋଇଥିବା ପର୍ଯ୍ୟଟକମାନେ ହେଲେ ରେମୁଣା ଥାନା ରୁଦ୍ରପୁର ଅଞ୍ଚଳର ପ୍ରଶାନ୍ତ ପାଣିଗ୍ରାହୀଙ୍କ ପତ୍ନୀ ଏଲିନା ପାଣିଗ୍ରାହୀ(୩୮), ପୁଅ କୁମାର ପୀୟୁଷ ପାଣିଗ୍ରାହୀ(୧୪), ବାଲେଶ୍ବର ସହର ସଦର ଥାନା ଅଧୀନ ତାରିଣୀଛକ ଅଞ୍ଚଳରେ ରହୁଥିବା ସଡ଼ୁ ବିମ୍ବାଧର ସେନାପତି(୬୦), ଶାଳୀ ଜ୍ୟୋସ୍ନା ସେନାପତି(୫୦), ଝିଆରୀ କଣ୍ଡେଇ(୨୭), ସୋନୁ(୧୯) ଜ୍ବାଇଁ ରାଜୁ ମିଶ୍ର(୩୨) ଓ ଏମାନଙ୍କୁ ନେଇ ଯାଇଥିବା ଗାଡ଼ିର ଡ୍ରାଇଭର।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ରେମୁଣା ଓ ନୀଳଗିରି ଅଞ୍ଚଳରୁ ୮ ଜଣ ପର୍ଯ୍ୟଟକ ଚିଲିକା ବୁଲିବାକୁ ଆସିଥିଲେ। ଆଜି ଅପରାହ୍ନରେ ସେମାନେ ମା’ କାଳିଜାଈଙ୍କ ମନ୍ଦିର ଯାଇଥିଲେ। କାଳିଜାଇଙ୍କ ଦର୍ଶନ ସାରି ସେମାନେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ବଡ଼କୁଳ ଫେରୁଥିଲେ। ଦୁର୍ଭାଗ୍ୟବଶତଃ ମଝି ଚିଲିକାରେ ସେମାନେ ଆସୁଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ‌ତେବେ ସମସ୍ତ ପର୍ଯ୍ୟଟକ ଓ ଚାଳକ ଲାଇଫ୍‌ ଜାକେଟ ପିନ୍ଧିଥିବାରୁ ପାଣିରେ ଭାସୁଥିବା ବେଳେ ସେମାନେ ଚିତ୍କାର କରୁଥିଲେ। ଅନ୍ୟ ଡଙ୍ଗା ଚାଳକଙ୍କ ଦ୍ବାରା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରାଯାଇଥିଲା।

ସୌଭାଗ୍ୟବଶତଃ ଆଜି ବାଲୁଗାଁ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ଏକ ବୋଟରେ ଚିଳିକା ବୁଲିବାକୁ ଯାଇଥିଲେ। ଏହି ସମୟରେ ସେମାନେ ଚଢେଇ ଗୁହା ପାହାଡ ନିକଟରେ ଏକ ଡଙ୍ଗା ବୁଡ଼ି ଯାଉଥିବା ଫୋନରେ ସୂଚନା ପାଇଥିଲେ। କାଳ ବିଳମ୍ବ ନ କରି ସେମାନେ ଘଟଣାସ୍ଥଳରେ ପହଂଚିବା ବେଳେ କେହି ନଥିଲେ। କିନ୍ତୁ ଆଉ ଟିକେ ଅଖା ପାଖରେ ଖୋଜିବାକୁ ସେମାନଙ୍କର ମନରେ ବିଚାର ଆସିଲା। ଖୋଜିବା ବେଳେ ଲୋକମାନେ ଉବୁଟୁବୁ ହେଉଥିବା ଦେଖିଥିଲେ, ବୁଡ଼ିଯାଉଥିବା ଲୋକଙ୍କୁ ପବନ ଠେଲି ଦୂରକୁ ନେଇଯାଉଥିଲା। ଅନେକ ପ୍ରଚେଷ୍ଟା ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ବାଲୁଗାଁ ସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି।

ସମ୍ବନ୍ଧିତ ଖବର