ଖୋର୍ଦ୍ଧା: ଆଜି ଏକ ବଡ଼ଧରଣର ଚଢ଼ାଉରେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ବେଆଇନ ମାଙ୍କଡ଼ା ପଥର ଚାଲାଣ କରୁଥିବା ୮ଟି ଟ୍ରକ୍ ଓ ଟ୍ରାକ୍ଟର ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି, ତେବେ ଏହି ଚଢ଼ଉରେ ଅନ୍ୟ ଅପରାଧୀମାନେ ଖସି ପଳାଇବାରେ ସକ୍ଷମ ହୋଇଛି ।

Advertisment

ସୂଚନାନୁସାରେ, ଶରଧାପୁର ଅଂଚଳରେ ଏକ ବେଆଇନ ମାଙ୍କଡ଼ାପଥର ଖଣି ଚାଲୁଥିବା ଖବର ପାଇ ଏସ୍ପି ଅଲେଖ ଚନ୍ଦ୍ର ପହିଙ୍କ ନିଦେ୍ର୍ଦଶରେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଖୋର୍ଦ୍ଧା ଟାଉନ ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଆଜି ସକାଳେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉରେ ଟାଉନ୍ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ସହ ଏସ୍ଆଇ ଶକୁନ୍ତଳା ଦଳେଇ, ଏସ୍ଆଇ ଏସ୍ ବେହେରା, ଏଏସ୍ଆଇ ପିକେ ପ୍ରଧାନ, ଏଏସ୍ଆଇ ଆଲୋକ ନାୟକ ଓ ଅନ୍ୟ ପୁଲିସ କର୍ମଚାରୀ ଯୋଗ ଦେଇଥିଲେ ।

ଏନେଇ ସୂଚନା ଦେଇ ଟାଉନ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବେଆଇନ ଖଣି ନିକଟରୁ ଟ୍ରକ୍ (ଓଆର ୦୯ ଡି ୦୦୫୩), ଟ୍ରକ୍ (ଓଆର୍ ୦୯ ଇ ୬୮୭୭), ଓଡି ୦୨ ଡବ୍ଲୁ ୮୯୫୭ (ଟାଟା ୨୫୧୮), ଓଡି ୧୯ ଡି ୫୦୯୯ (ଟାଟା ୨୫୧୮), ଟାଟା ୪୦୭ (ଓଆର୍ ବିକେ ୦୫୪୮), ମହିନ୍ଦ୍ରା ଟ୍ରାକ୍ଟର (ଓଡି ୦୨ ବିପି ୦୧୯୧), ଟାଟା ୪୦୭(ଓଆର୍ ୦୨ ଏଏମ୍ ୫୫୦୫) ଓ ଏକ ନମ୍ବର ବିହୀନ ଟ୍ରାକ୍ଟର (ଇଂଜିନ୍ ନମ୍ବର ଆର୍ଜେବି୨କେବିଏ୧୫୪୨)କୁ ଜବତ କରାଯାଇଛି । ଏହି ମାମଲାରେ ସଦର ଥାନା ଅନ୍ତର୍ଗତ ଅଣ୍ଡ ଗାଁର ସତ୍ୟ ରଂଜନ ବରାଳ (୧୯) ଓ ଦଧିମାଛଗାଡ଼ିଆର ସୁକାନ୍ତ ନାୟକ (୨୧)କୁ ଗିରଫ କରାଯାଇ ୧୬୧/୨୦୨୨ ମାମଲାରେ କୋର୍ଟ ଚାଲାଣ କରାଯାଇଛି । ତେବେ ବେଆଇନ ଖଣିରୁ ଅନ୍ୟ ଗାଡ଼ିଚାଳକ ଓ ଅନ୍ୟ ଦୁର୍ବୃତ୍ତମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ଓ ଏହାର ତଦନ୍ତ ଭାର ଏସ୍ଆଇ ପଦ୍ମଲୋଚନ ବେହେରାଙ୍କୁ ଦିଆଯାଇଛି ।