କୋରାପୁଟ: ମାଓବାଦୀମାନେ କୋରାପୁଟ ଅସ୍ତ୍ରାଗାର ଲୁଟ କରିବା ଘଟଣାକୁ ସୋମବାର ୧୮ ବର୍ଷ ପୁରିଛି। ୨୦୦୪ ଫେବ୍ରୁଆରୀ ମାସ ୬ ତାରିଖର ଘଟଣା ଆଜି ମନେ ପଡ଼ିଲେ କୋରାପୁଟବାସୀଙ୍କ ଛାତି ଥରାଇ ଦେଉଛି। ସମୟ ଥିଲା ରାତି ପ୍ରାୟ ୯ଟା ୩୦। ହଠାତ୍‌ ଟାଉନ ଥାନା ପଟୁ ଗର୍ଜିଲା ଗୁଳି। କିଏ କିଛି ବୁଝିବା ଆଗରୁ ୧ଶହରୁ ଅଧିକ ମାଓବାଦୀ କରାୟତ କରିଥିଲେ କୋରାପୁଟ ଟାଉନ ଥାନା, ପରେ ଏସପିଙ୍କ କାର୍ଯ୍ୟାଳୟ। ଏହାସହ ଚାରିପଟୁ କରିଥିଲେ ଆକ୍ରମଣ। ଆଉ ୬ ଘଣ୍ଟା ମଧ୍ୟରେ ଲୁଟି ନେଇଥିଲେ ବହୁ ଗୁଳିଗୁଳା, ରାଜାରାଜୁଡା ଅମଳର ବନ୍ଧୁକ, ୧ହଜାରରୁ ଅଧିକ ରାଇଫଲ। ଆଉ ଦେଇଯାଇଥିଲେ ଶହୀଦ ହେବାର ସୌଭାଗ୍ୟ। ଆଜି ବି ପୁରୁଣା କୋରାପୁଟର ନରସିଂହ ନାୟକଙ୍କୁ ତାଙ୍କ ପରିବାର ଝୁରି ଝୁରି କାନ୍ଦିବା ସହ ପାଳୁଛନ୍ତି ଶହୀଦଙ୍କ ତିରୋଧାନ ଦିବସ।ଏହାକୁ ନେଇ ‘ସମ୍ବାଦ’ ପକ୍ଷରୁ ସ୍ବତନ୍ତ୍ର ଉପସ୍ଥାପନା।

Advertisment

ଏବେ ବି ରାତି ୯ଟା ବାଜିଲେ ଶୁନଶାନ ହୋଇଯାଉଛି ରାସ୍ତାଘାଟ। ସଞ୍ଜ ନଇଁଲେ କୋରାପୁଟରେ ରାଜୁତି କରୁଛି ନିରବତା। ଏବେ ବି ମାଓବାଦୀଙ୍କ କଥା ଶୁଣିଲେ କାନ୍ଦି ଉଠୁଛନ୍ତି ଶହୀଦ ପରିବାରଙ୍କ ଆତ୍ମୀୟସ୍ବିଜନ। ଏବେ ବି କୋରାପୁଟ ସହର ପୋଷ୍ଟ ଅଫିସ ଲାଇନ, କୋରାପୁଟ ଟାଉନ ଥାନା କାନ୍ଥରେ ରହିଛି ମାଓବାଦୀ ଓ ପୁଲିସ ଗୁଳିବିନିମୟର ଚିହ୍ନ। ଆଜି ଠିକ୍‌ ୧୮ ବର୍ଷ ତଳେ ମାଓବାଦୀ ମାନେ ରଚିଥିଲେ ଗରିଲା ଯୁଦ୍ଧ। ଏକକାଳୀନ ଜିଲ୍ଲା ଅସ୍ତ୍ରାଗାର ଲୁଟ , କୋରାପୁଟ ଟାଉନ ଥାନା, ନାରାୟଣପାଟଣା ଥାନା, କାକିରିଗୁମ୍ମା ଥାନା, ଲକ୍ଷ୍ମୀପୁର ଥାନା ପରି ୫ଟି ଥାନାରେ ପଶି ଲୁଟ କରିଥିଲେ। କୋରାପୁଟ ଜେଲ୍ ଲୁଟ, ଏସପିଙ୍କ କାର୍ଯ୍ୟାଳୟ ଲୁଟ, ଓଏସଏପି ବାଟାଲିୟନରେ ଫ୍ରଣ୍ଟ ‌ସେଣ୍ଟ୍ରିଙ୍କୁ ଆକ୍ରମଣ, ଲ୍ୟାଣ୍ଡମାଇନ ଖଞ୍ଜି ଦୁଇ ସିଆରପିଏଫ ଜବାନଙ୍କୁ ହତ୍ୟା କରିଥିଲେ। ଲୁଟି ନେଇଥିଲେ ୧ହଜାରରୁ ଅଧିକ ବନ୍ଧୁକ, ୬୨ ହଜାରରୁ ଅଧିକ ରାଉଣ୍ଡ ଗୁଳି, ୧ହଜାରରୁ ଅଧିକ ସେହି ସମୟର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଏହାର ଆନୁମାନିକ ମୂଲ୍ୟ ସେହି ସମୟରେ ପ୍ରାୟ ୫୦ କୋଟି ଟଙ୍କାର ହେବ ବୋଲି ଆକଳନ କରାଯାଉଛି। ସେହି ସମୟରେ କୋରାପୁଟ ଏସ୍‌ପି ଥିଲେ ଏବର କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ୧୯୯୬ ବ୍ୟାଚର ଏହି ଆଇପିଏସ କୋରାପୁଟ ଏସ୍‌ପି ଭାବେ ଟାଉନ ଥାନାରୁ ରାଉଣ୍ଡ ଶେଷ କରି ମୁଖ୍ୟାଳୟ‌ରେ ପହଞ୍ଚିବାର କିଛି ସମୟ ପରେ ଘଟିଥିଲା ମାଓବାଦୀଙ୍କର କଳାକାରନାମା। କୋରାପୁଟକୁ ଜୟପୁର ପଟୁ, କୋଲାବ ପଟୁ, ରାୟଗଡା ପଟୁ ଓ ସୁନାବେଢା ପଟୁ ଘେରି ମାଓବାଦୀମାନେ ଭିଆଇଥିଲେ ଏପରି କାଣ୍ଡ।

publive-image Sambad

ସେହି ସମୟରେ ମାଓବାଦୀଙ୍କ ଗୁଳିରେ କୋରାପୁଟ ଜେଲର ଅଧୀକ୍ଷକ ରହିଥିବା ବି. ବି. ପାଣ୍ଡ୍ୟାଙ୍କ ସହ ତିନିଜଣ ସିଆରପିଏଫ ଜବାନ ଗୁରୁତର ହୋଇଥିଲେ। ମାଓବାଦୀଙ୍କୁ ଚକମା ଦେଇ ଖସି ପଳାଇ ଜୀବନ ବଞ୍ଚାଇଥିଲେ ତତକାଳନୀ ଏସ୍‌ପି। ହେଲେ ସେହିଦିନ ଅସ୍ତ୍ରାଗାର ଦାୟିତ୍ବରେ ଥିଲେ ନରସିଂହ ନାୟକ କନଷ୍ଟେବଳ ବ୍ୟାଚ ନମ୍ବର ୫୫୫। ହଠାତ ମାଓବାଦୀମାନେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ସେହି ସମୟରେ କିପରି ଓ କେଉଁ ପରିସ୍ଥିତିରେ ମାଓବାଦୀମାନେ ଏପରି କାଣ୍ଡ ଭିଆଇଲେ ତାହାର ଯାଞ୍ଚ କରାଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ।

ଘଟଣାକୁ ୧୮ ବର୍ଷ ହୋଇଥିଲେ ବି ଏବେ ଯାଏ ଏହାର ଖୁଲାସା ହୋଇପାରିନି। ଏପରି ସେହି ସମୟରେ ଅସ୍ତ୍ରାଗାରରୁ କେତେ ପରିମାଣରେ ଅସ୍ତ୍ରଶସ୍ତ୍ର, ଗୁଳିଗୁଳା ଲୁଟ‌ ହୋଇଥିଲା ତାହାର ମଧ୍ୟ କୌଣସି ରିପୋର୍ଟ ପ୍ରକାଶ ପାଇ ପାରିନି। ଏବେ ତତ୍‌କାଳୀନ ଏସ୍‌ପି କ୍ରାଇମବ୍ରାଞ୍ଚର ଏଡିଜି ଭାବେ ଦାୟିତ୍ବ ତୁଲାଉଥିବାବେଳେ ଏହି ଘଟଣାର ସେ ପ୍ରତ୍ୟକ୍ଷଦର୍ଶୀ। ଏହି ଦିନ କୋରାପୁଟ ପାଇଁ କଳା ଦିବସ ହୋଇଥିବାବେଳେ ଏହାର ତଦନ୍ତ ଅଧାରେ ରହିଯାଇଛି। ଯଦିଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ମାଓ ଗତିବିଧି ରହିଛି, କିନ୍ତୁ ସମ୍ପୂର୍ଣ୍ଣ ମାଓମୁକ୍ତ ହୋଇପାରିନି। ଏହି ଘଟଣା ପରେ ଓଡ଼ିଶା ସରକାର ସ୍ପ‌େସିଆଲ ଅପରେସନ ଗ୍ରୁପ (ଏସଓଜି) ଓ ଷ୍ଟ‌େଟ ଇଣ୍ଟ‌େଲିଜେନ୍ସ ୱିଙ୍ଗ ଗଠନ କରିଥିଲେ। ଏହାସହ ମାଓବାଦୀ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଏସଏଫଙ୍କୁ ମୁତୟନ କରାଯାଉଛି।