ଖୋଲିବ ଅଷ୍ଟମ ଓ ଏକା‌ଦଶ ଶ୍ରେଣୀ, ୨୧ରେ ଏକାଦଶ, ୨୫ରେ ଅଷ୍ଟମ ଶ୍ରେଣୀ

ଭୁବନେଶ୍ୱର : ପୂଜା ଛୁଟି ପରେ ୮ମ ଶ୍ରେଣୀ ଓ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। କିନ୍ତୁ ପ୍ରଥମରୁ ୭ମ ଶ୍ରେଣୀ ପିଲାଙ୍କର କେବେ ଠାରୁ ଶ୍ରେଣୀଗୃହ ପାଠପଢ଼ା ହେବ ତାହା ନିଷ୍ପତ୍ତି ହୋଇନି।

ବିଭାଗର ନିଷ୍ପତ୍ତି ଅନୁଯାୟୀ, ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ। ‌ସକାଳ ୯ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଯାଏ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ। କିନ୍ତୁ ଏବେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବନି।

ଦୀର୍ଘ ୧୮ ମାସ ପରେ ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଥିବାରୁ ସ୍କୁଲ କ୍ୟାମ୍ପସରେ ଯେପରି ଛାତ୍ରଛାତ୍ରୀ ସୁରକ୍ଷିତ ରହିବେ ସେନେଇ ଏସ୍‌ଏମ୍‌ସି ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ କରି ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ପିଆର୍‌ଆଇ ସଦସ୍ୟଙ୍କ ଦ୍ବାରା ସ୍କୁଲ ଭିତ୍ତିଭୂମିକୁ ସଜାଡ଼ିବ। ସ୍କୁଲ ପରିସରକୁ ସଫା କରିବା ସହ ଯେପରି କୌଣସି ସ୍ଥାନରେ ଗାତ, ଖୋଲା ପୋଖରୀ, ଝୁଲନ୍ତା ବିଦ୍ୟୁତ ତାର, ଭଙ୍ଗା ସାମଗ୍ରୀ, ଅସୁରକ୍ଷିତ କାନ୍ଥ, ଭଙ୍ଗା କବାଟ, ଝରକା ଆଦି ରହିବନି ତାହା ଦେଖିବାକୁ କୁହାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଆମେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବୁ। ଯେଉଁଠି ଛାତ୍ରଛାତ୍ରୀଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖାଯିବ, ତାଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ନେଇ ଗୁରୁତ୍ୱ ଦିଆଯିବ। ପାଠପଢ଼ା ସହ ପିଲାମାନଙ୍କର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ ସବୁ ସମୟରେ ଶିକ୍ଷା ସହ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି। ତେଣୁ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସ୍କୁଲ ଖୋଲିଲେ ମଧ୍ୟ ଉଭୟ ଅଫଲାଇନ୍‌ ସହ ଅନଲାଇନ୍‌ରେ କ୍ଲାସ ହେବ। କଣ୍ଟେନମେଣ୍ଟ ଜୋନ୍‌ର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମନା କରାଯାଇଛି। ଅପରପକ୍ଷେ ସ୍କୁଲ ଖୋଲିବା ପୂର୍ବରୁ ଆଜି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ଡିଇଓ, ଡିପିସି, ବିଇଓମାନଙ୍କ ସହ ଆଲୋଚନା କରିଛନ୍ତି। କରୋନା କଟକଣାକୁ କଡାକଡି ପାଳନ କରିବା, ବିଶୋଧନ, ସାମାଜିକ ଦୂରତ୍ୱ ରକ୍ଷା, କ୍ୟାମ୍ପସ ସଫା ରଖିବାକୁ କୁହାଯାଇଛି। ଏଥିସହ ସଚିବ ଶ୍ରୀ ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

୮ମ ଶ୍ରେଣୀ ଖୋଲିଲେ ବି ପ୍ରତିଦିନ ପୁରୁଣା ପାଠର ପୁନରାବୃତ୍ତି କରାଯିବ। ୧୮ ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଗୋଟିଏ ଘଣ୍ଟା ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠ ପଢ଼ାଯିବ। ଏଥିସହ ତାହାକୁ ନେଇ ନିୟମିତ ବ୍ୟବଧାନରେ ପିଲାଙ୍କର ପରୀକ୍ଷା କରାଯିବ। ପୂର୍ବ ପାଠ କେତେ ମନେ ରଖିଛନ୍ତି, ସେମାନଙ୍କୁ ଆଉ କ’ଣ ଶିକ୍ଷା ଦେବାର ଆବଶ୍ୟକତା ରହିଛି ତାହାକୁ ଗୁରୁତ୍ବ ଦିଆଯିବ।

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲୁଥିବାରୁ ଏହାପାଇଁ ଶିକ୍ଷା ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ସଚିବ ସମସ୍ତ ଡିଇଓ ଏବଂ ଡିପିସିମାନଙ୍କୁ ଚିଠି ଲେଖିଛନ୍ତି। ସ୍କୁଲ ସ୍ତରରେ କ’ଣ ପଦକ୍ଷେପ ନିଆଯିବ, କିପରି ପାଠପଢ଼ା ଯିବ, ପରୀକ୍ଷା ହେବ, ପିଲାଙ୍କୁ କାଉନସେଲିଂ କରାଯିବ, ନିୟମିତ ବ୍ୟବଧାନରେ ସ୍କୁଲ ପରିଦର୍ଶନ କରାଯିବ ସେନେଇ ପ୍ରସ୍ତୁତି କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର