ସମ୍ବଲପୁର : ପ୍ରାଥମିକ ଶିକ୍ଷା ମାତୃଭାଷାରେ ଦିଆଯାଉ। ନିଜ ଭାଷାର ପ୍ରଚାର ପ୍ରସାର ପାଇଁ ସଂଗୀତ ଓ ସାହିତ୍ୟକୁ ପ୍ରମୁଖ ମାଧ୍ୟମ କରାଯାଉ।‌ ଭାଷାକୁ ସରକାରୀ ମାନ୍ୟତା ପାଇଁ ଅଷ୍ଟମ ପରି‌ଚ୍ଛେଦ ବ୍ୟତୀତ ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି। ସମ୍ବିଧାନର ଧାରା ୩୪୭ ଅନୁସାରେ ବି ଭାଷାକୁ ସରକାରୀ ମିଳି ପାରିବ। ଏହା ହେଲେ ଆମ ଭାଷା ପରିପୁଷ୍ଟ ଓ ସମୃଦ୍ଧ ହୋଇ ପାରିବ ବୋଲି ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର କହିଛନ୍ତି। ସୋମବାର ‘ସମ୍ବାଦ’ର ସମ୍ବଲପୁରୀ/କୋଶଲି ପତ୍ରିକା ‘ଜୁଗାର୍‌’ର ଅଷ୍ଟମ ବାର୍ଷିକ ସଂଖ୍ୟା ଉନ୍ମୋଚନ କାର୍ଯ୍ୟକ୍ରମ ‘ଅସ୍ମିତା-୨୦୨୧’କୁ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର କହିଲେ, ‌ଭାରତ‌ର ଅନେକ ରାଜ୍ୟରେ ଦୁଇଟି ଲେଖାଏଁ ସରକାରୀ ଭାଷା ଅଛି। ଆମ ଅଞ୍ଚଳର ଲୋକ ପ୍ରତିନିଧିମାନେ ସମ୍ବିଧାନର ଧାରା ୩୪୭ ଅନୁଯାୟୀ ସମ୍ବଲପୁରୀ/କୋ‌ଶଲି ଭାଷାକୁ ଓଡ଼ିଶାର ଦ୍ବିତୀୟ ସରକାରୀ ଭାଷା ଭାବେ ସ୍ବୀକୃତି ଦେବାକୁ ଦାବି କଲେ ସହଜରେ ତାହା ମିଳିପାରିବ। ଏହାଛଡ଼ା ପଶ୍ଚିମ ଓଡ଼ିଶାରେ ଅତି କମ୍‌ରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସମ୍ବଲପୁରୀ ମାଧ୍ୟମରେ ପାଠପଢ଼ା ହେବା ଉଚିତ୍ ବୋଲି ଶ୍ରୀ ମହାପାତ୍ର ପ୍ରସ୍ତାବ ଦେଇଥିଲେ। ଏହି ଭାଷାକୁ ଆଗକୁ ବଢ଼ାଇବାରେ ଓ ବିଶ୍ବ ଦରବାରରେ ପରିଚୟ ଦେବାରେ ସମ୍ବଲପୁରୀ ସଂଗୀତର ଅନେକ ଭୂମିକା ରହିଛି। କିନ୍ତୁ ସମ୍ବଲପୁରୀ ସାହିତ୍ୟ ଯେତିକି ବିକଶିତ ହେବା କଥା ହୋଇପାରି ନାହିଁ। ସମ୍ବଲପୁରୀ ସାହିତ୍ୟର ବିକାଶ ପାଇଁ ‘ଜୁଗାର୍‌’ ଜରିଆରେ ‘ସମ୍ବାଦ’ର ପ୍ରୟାସ ପ୍ରଶଂସନୀୟ। ତେବେ ଏଭଳି ଆହୁରି ଅନେକ ସାହିତ୍ୟ ପତ୍ରିକା ଓ ପ୍ରକାଶନ ହେବା ଦରକାର ବୋଲି ଶ୍ରୀ ମହାପାତ୍ର ମତ ଦେଇଥିଲେ।

Advertisment

publive-image

‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆଇସିଆର୍‌ଆଇଏସ୍‌ଏଟିର ନିର୍ଦ୍ଦେଶକ ଡ. ଅରବିନ୍ଦ ପାଢ଼ୀ କହିଲେ, ମୋବାଇଲ ଓ ଇଣ୍ଟର୍‌ନେଟ୍‌ ଅଜାଣତରେ ଆମକୁ ଖୁସି (ହାପିନେସ୍‌)ଠାରୁ ଦୂରେଇ ନେଉଛି। ଅନେକ ଭାବନ୍ତି ଅର୍ଥ, ସମ୍ମାନ, ସଂପର୍କ ଆଦି ଆମକୁ ଜୀବନରେ ଖୁସି ଦେଇ ପାରିବ। କିନ୍ତୁ ଏସବୁ ସାମୟିକ ଖୁସି ଦେଇଥାଏ। ବର୍ତ୍ତମାନ ଗବେଷଣାରୁ ଜଣା ପଡ଼ିଛି ଯେ ସକରାତ୍ମକ ମନୋଭାବ ଆମକୁ ଖୁସି ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରେ। ନିଜ ସ୍ବଭାବ ଓ କାର୍ଯ୍ୟ ବଳରେ ଆମେ ଖୁସି ହାସଲ କରିପାରିବା। ଜୀବନର ନକରାତ୍ମକତାକୁ ପଛରେ ପକାଇ ସକରାତ୍ମକ ମନୋଭାବ ଆପଣାଇଲେ ଆମକୁ ଖୁସି ମିଳି ପାରିବ। ନିଜ ସଂପର୍କ ଯେମିତି ବି ଥାଉ ତାକୁ ଉପଭୋଗ କରିବା। ପୁରୁଣା କଥାକୁ ଭୁଲି ବା ଭବିଷ୍ୟତ କଥା ଚିନ୍ତା ନକରି ବର୍ତ୍ତମାନକୁ ନେଇ ବଞ୍ଚିବା। ମୋବାଇଲ୍‌ଠାରୁ ନିଜ ପରିବାର ସଦସ୍ୟଙ୍କୁ ଅଧିକ ଗୁରୁତ୍ବ ଦେବା। ପରସ୍ପରକୁ ସାହାଯ୍ୟ କରିବା। ସେହିପରି ନିଜ ସ୍ବାସ୍ଥ୍ୟର ଯତ୍ନ ନେବା। ଦିନରେ ଅତି କମ୍‌ରେ ସାଢ଼େ ସାତ ଘଣ୍ଟା ଶୋଇବା। ଏସବୁ ଉପାୟ ଆପଣାଇଲେ ଆମେ ନିଶ୍ଚିତ ଭାବେ ଖୁସି ରହିବା ବୋଲି ଡ. ପାଢ଼ୀ କହିଥିଲେ। ସେହିପରି ନିଜ ମୂଳ ବା ମାଁ’ ମାଟି ସହ ସଂପର୍କ ରଖିଲେ ଆମେ ଜୀବନରେ କେବେ ବି ଦୁଃଖୀ ହେବା ନାହିଁ ବୋଲି ସେ କହିଥିଲେ। ସେ ମଧ୍ୟ ଭାଷାର ବିକାଶ ପାଇଁ ଶ୍ରୀ ମହାପାତ୍ର ଦେଇଥିବା ପ୍ରସ୍ତାବ ଗୁଡ଼ିକର ସମର୍ଥନ କରିଥିଲେ।

publive-image

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍‌ସେନା କହିଲେ ଯେ ସ୍ଥାନୀୟ ଭାଷାର ବିକାଶ ପାଇଁ ‘ସମ୍ବାଦ’ର ପ୍ରୟାସ ଅଭିନବ ଓ ପ୍ରଶଂସନୀୟ। ଏହା ଆମ ଅଞ୍ଚଳର କବି, ଲେଖକ, ସାହିତ୍ୟିକ ମାନଙ୍କୁ ନିଜ ସୃଜନର ବିକାଶ ପାଇଁ ନିଆରା ସୁଯୋଗ ଯୋଗାଇ ଦେଇଛି। ବହୁ ବର୍ଷରୁ ଚାଲି ଆସିଥିବା ‘ଜୁଗାର’ ପତ୍ରିକା ଆଗକୁ ଆହୁରି ପରିପୁଷ୍ଟ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

publive-image

ସଭାପତିତ୍ବ ଅଭିଭାଷଣ ରଖି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସମ୍ବଲପୁରୀ/କୋଶଲି ହେଉଛି ଏକବିଂଶ ଶତାବ୍ଦୀର ଭାଷା। କାରଣ ଏହା ଅତ୍ୟନ୍ତ ସରଳ ଓ ସହଜ ଭାଷା। ଏହାକୁ କମ୍ପୁଟର୍‌ ଫ୍ରେଣ୍ଡଲି ଭାଷା ବୋଲି କହା ଯାଇପାରେ। ତେଣୁ ନିଜ ପିଲାଙ୍କୁ ଏହି ଭାଷା ବ୍ୟବହାର କରିବା ପାଇଁ ଶପଥ କରାନ୍ତୁ ବୋଲି ସେ ଅଭିଭାବକ ମାନଙ୍କୁ ଆହ୍ବାନ ଦେଇଥିଲେ। ମାତୃଭାଷା ସଂପର୍କରେ ନିଜ ମତ ରଖି ଶ୍ରୀ ପଟ୍ଟନାୟକ କହିଲେ ନିଜ ଭାଷାକୁ ନେଇ ସମସ୍ତଙ୍କ ମନରେ ସାମାନ୍ୟ ମିଠା ଅହଂକାର ରହିବା ଦରକାର। ତେବେ ଅନ୍ୟ ଭାଷା ପାଇଁ ଅସୂୟା ଭାବ ନରହିବା ଉଚିତ। ଏହାହେଲେ ସବୁ ଭାଷା ସମୃଦ୍ଧ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରୀ ସାହିତ୍ୟ ପତ୍ରିକା ‘ଜୁଗାର୍‌’ର ଅଷ୍ଟମ ବାର୍ଷିକ ସଂଖ୍ୟାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ।

ଏହି ଅବସରରେ ସଂଗୀତ ନିର୍ଦ୍ଦେଶକ ଶଂକର ପ୍ରଧାନ, କଣ୍ଠଶିଳ୍ପୀ ପଙ୍କଜ ଜାଲ, କଣ୍ଠଶିଳ୍ପୀ ରୀନା ଦାଶ ଏବଂ ଫେସନ୍‌ ଡିଜାଇନର୍ ସୁଜିତ ମେହେରଙ୍କୁ ସମ୍ବର୍ଧିତ କରା ଯାଇଥିଲା। ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଖ୍ୟ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ଅତିଥି ମାନଙ୍କୁ ସଭାମଞ୍ଚକୁ ଆବାହନ କରିଥିଲେ। ଶେଷରେ ଶାଖା ପରିଚାଳକ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ‘ଲହରୀ’ ଅନୁଷ୍ଠାନ ପକ୍ଷରୁ ରଂଗାରଂଗ ମନୋରଂଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହା ପୂର୍ବରୁ ମାଁ ସମଲେଶ୍ବରୀ ମନ୍ଦିରରେ ବିଶାଳକାୟ ଜୁଗାର ପୂଜା ହୋଇଥିଲା। ଜୁଗାରକୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ସଭାସ୍ଥଳକୁ ଅଣା ଯାଇଥିଲା। ବାଟରେ ବିଭିନ୍ନ ଛକରେ ମାଁ ସମଲେଇଙ୍କ ପ୍ରସାଦ ‘ଜୁଗାର’ର ପୂଜାର୍ଚ୍ଚନା ଓ ସ୍ବାଗତ କରା ଯାଇଥିଲା।