‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଯିବେ ଛାତ୍ରଛାତ୍ରୀ

୧୨ ବିଶ୍ବବିଦ୍ୟାଳୟ ଓ ୧୩୯ କଲେଜ ସାମିଲ, ଜାନୁଆରି ୧ରୁ ଫେବ୍ରୁଆରି ୨୯ ଭିତରେ ୫ ଦିନିଆ ଭ୍ରମଣ

ଭୁବନେଶ୍ବର : ମହାରାଷ୍ଟ୍ର ବୁଲିବେ ଓଡ଼ିଆ ଛାତ୍ରଛାତ୍ରୀ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭ ହଜାର ୫୫୦ ଛାତ୍ରଛାତ୍ରୀଙ୍କୁ ସେଠାକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। ଯେଉଁଥିରେ ୧୨ଟି ବିଶ୍ବବିଦ୍ୟାଳୟ ଓ ୧୩୯ଟି ମହାବିଦ୍ୟାଳୟ ରହିଛି। ପ୍ରତି ଶିକ୍ଷାନୁଷ୍ଠାନରୁ ୫୦ ଜଣ ଲେଖାଏ ଛାତ୍ରଛାତ୍ରୀ ଚୟନ କରାଯାଇ ପଠାଯିବ। ସେମାନେ ସେଠାରେ ୫ ଦିନ ରହି ମହାରାଷ୍ଟ୍ରର ଇତିହାସ ଜାଣିବା ସହ ସଂସ୍କୃତି, ଭାଷା, ଖାଦ୍ୟପେୟ, ମହୋତ୍ସବ, ପୋଷାକ ପରିପାଟୀ ଆଦି ବିଷୟରେ ବି ଜ୍ଞାନ ଅର୍ଜନ କରିବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ଏକ ଭାରତ ଶ୍ରେଷ୍ଠ ଭାରତ(ଇବିଏସ୍‌ବି)’ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ ଏଭଳି ପଦକ୍ଷେପ ନିଆଯାଇଛି। ମନୋନୀତ ହୋଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଜାନୁଆରି ୧ରୁ ଫେବ୍ରୁଆରି ୨୯ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମହାରାଷ୍ଟ୍ର ଭ୍ରମଣ କରିବେ। ପ୍ରତି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ୫ ଦିନିଆ ଗସ୍ତରେ ଯିବେ। ଓଡ଼ିଶାର ଗୋଟିଏ ଶିକ୍ଷାନୁଷ୍ଠାନ ସହ ମହାରାଷ୍ଟ୍ରର ଏକ ଶିକ୍ଷାନୁଷ୍ଠାନକୁ ଯୋଡ଼ାଯାଇଛି। ଯେପରିକି ଉତ୍କଳ ବିଶ୍ବବିଦ୍ୟାଳୟ ସହ ପୁନେସ୍ଥିତ ସାବିତ୍ରୀବାଈ ପୁଲେ ବିଶ୍ବବିଦ୍ୟାଳୟକୁ ସଂଯୋଗ କରାଯାଇଛି। ଏହି ଦୁଇ ବିଶ୍ବବିଦ୍ୟାଳୟ ପରସ୍ପର ମଧ୍ୟରେ ଛାତ୍ରଛାତ୍ରୀ ବିନିମୟ କାର୍ଯ୍ୟକ୍ରମ କରିବେ। ଉତ୍କଳ ସମେତ ଫକୀରମୋହନ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ରେଭେନ୍ସା, ଖଲ୍ଲିକୋଟ, ବ୍ରହ୍ମପୁର, ବିପିୟୁଟି, ଉତ୍ତର ଓଡ଼ିଶା, ଗଙ୍ଗାଧର ମେହେର, ସମ୍ବଲପୁର, ଭିଏସ୍‌ଏସ୍‌ୟୁଟି ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହାବ୍ୟତୀତ ୩୦ଟି ଜିଲ୍ଲାର ୧୩୯ଟି ମହାବିଦ୍ୟାଳୟ‌ ତାଲିକାରେ ରହିଛି।

ପ୍ରତିବର୍ଷ ଗୋଟିଏ ଶିକ୍ଷାନୁଷ୍ଠାନରୁ ୫୦ ଜଣ ଛାତ୍ରଛାତ୍ରୀ ଯିବେ। ଉଭୟ ରାଜ୍ୟର ଶିକ୍ଷାନୁଷ୍ଠାନ ମଧ୍ୟରେ ଅଦଳବଦଳ କାର୍ଯ୍ୟକ୍ରମ ଜାରି ରହିବ। କୁଇଜ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଚୟନ ହେବେ। ଶିକ୍ଷାନୁଷ୍ଠାନରେ ଏକ ପ୍ରତିଯୋଗିତା କରାଯିବ। ଉଭୟ ଶିକ୍ଷାନୁଷ୍ଠାନର ସୁବିଧାକୁ ଦୃଷ୍ଟିରେ ରଖି ଗସ୍ତର ଦିନ ଧାର୍ଯ୍ୟ କରାଯିବ। ପିଲାମାନେ ଟ୍ରେନ୍‌ରେ ଯାତ୍ରା କରିବେ। ସେଠାକାର ଶିକ୍ଷାନୁଷ୍ଠାନର ହଷ୍ଟେଲରେ ରହି‌ବେ। ଶିକ୍ଷାନୁଷ୍ଠାନ ବୁଲିବା ସହ ନିକଟରେ ଥିବା ଐତିହାସିକ ସ୍ଥଳ, ଗ୍ରାମ ଆଦି ଭ୍ରମଣ କରିବେ। ସମ୍ପୃକ୍ତ ରାଜ୍ୟର ଭାଷା ଶିଖିବେ। ସେମାନଙ୍କ ନୃତ୍ୟ ଓ ‌ପୋଷାକ ବିଷୟରେ ବି ଜାଣିବେ। ଗସ୍ତର ସମସ୍ତ କାର୍ଯ୍ୟାବଳୀର ଭିଡିଓ, ଫଟୋ ଓ ରିପୋର୍ଟର ଡକ୍ୟୁମେଣ୍ଟେସନ କରାଯିବ। ଫେରିବାର ୩୦ ଦିନ ଭିତରେ ସମସ୍ତ ଛାତ୍ରଛାତ୍ରୀ ଭ୍ରମଣର ଅନୁଭୂତି ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରି କଲେଜ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ପ୍ରଦାନ କରିବେ। ରିପୋର୍ଟଗୁଡ଼ିକୁ ଫେସ୍‌ବୁକ ଓ ଟୁଇଟରରେ ସେୟାର କରିବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ବି ଟୁଇଟ୍ କରି ଜଣାଇବେ। ଗସ୍ତର ପ୍ରଥମ ଦିନରେ ଉଭୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ୟାମ୍ପସରେ ଭାବର ଆଦାନପ୍ରଦାନ ହେବ। ଦ୍ବିତୀୟ ଦିବସରେ ଉଭୟ ପରସ୍ପରର ଭାଷା ଜାଣିବେ ଓ ପରସ୍ପର ରାଜ୍ୟ ବିଷୟରେ ଅବଗତ ହେବେ। ତୃତୀୟ ଦିନ‌ରେ ସେଠାକାର ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ମିଳିତ ଭାବେ ନିକଟସ୍ଥ ଗ୍ରାମକୁ ଭ୍ରମଣ କରିବେ। ୪ର୍ଥ ଦିବସରେ ନିକଟସ୍ଥ ପର୍ଯ୍ୟଟନ ସ୍ଥଳୀ, ମାର୍କେଟ ଭ୍ରମଣ କରି ଲୋକଙ୍କ ସହ ଆଲୋଚନା କରିବେ। ୫ମ ଦିନରେ ଖାଦ୍ୟ ମେଳାରେ ଭାଗନେବା ସହ ଗ୍ରସ୍ତର ଅନୁଭୂତି ବଖାଣିବେ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର