ଆନନ୍ଦପୁର: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଚାରିଆଡ଼େ ପ୍ରସ୍ତୁତି ଚାଲିଛି। କେବଳ ପୁରୀ ନୁହେଁ, ବିଶ୍ବର କୋଣଅନୁକୋଣରେ ରଥଯାତ୍ରା ପାଳନ କରାଯାଉଛି। ହେଲେ ଏମିତି ଜଗନ୍ନାଥ ଅଛନ୍ତି, ଯାହାଙ୍କର କେବେ ରଥଯାତ୍ରା ହୁଏନି। ଏଭଳି କିଛି ଦେଖିବାକୁ ମିଳେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ବୀରଗୋବିନ୍ଦପୁର ଗ୍ରାମରେ। ଏଠାରେ କେବଳ ଜଗନ୍ନାଥଙ୍କ ବିଗ୍ରହ ପୂଜା ପାଉଥିବାବେଳେ ବଳଭଦ୍ର ଓ ସୁଭଦ୍ରା ନାହାନ୍ତି। ୨୦ ନମ୍ବର ଜାତୀୟ ରାଜପଥରେ ଘସିପୁରାଠାରୁ ମାତ୍ର ୮ କିମି ଗଲେ ପଡ଼ିବ ବୀରଗୋବିନ୍ଦପୁର ଗ୍ରାମ। ଏଠାରେ ରହିଛି ଐତିହାସିକ ଶ୍ରୀରଘୁନାଥଜିଉ ମନ୍ଦିର। କାଞ୍ଚି ବିଜୟ ପରେ ରାଜା ଗୋବିନ୍ଦ ଭଞ୍ଜ ମା’ ତାରିଣୀଙ୍କୁ କେନ୍ଦୁଝର ଆଣିବାବେଳେ ସାଙ୍ଗରେ ରଘୁନାଥଜିଉଙ୍କୁ ମଧ୍ୟ ଆଣିଥିଲେ। ବୈତରଣୀ ନଦୀକୂଳରେ ରାଜାଙ୍କ ଦ୍ବାରା ଏକ ଭବ୍ୟ ମନ୍ଦିର ତୋଳାଯାଇଥିଲା।

Advertisment

ଏଠାରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର, ମାତା ସୀତା, ଭାଇ ଲକ୍ଷ୍ମଣଙ୍କ ବିଗ୍ରହ ପୂଜା ପାଉଛନ୍ତି। ମନ୍ଦିରର ବାମ ପାର୍ଶ୍ୱରେ ଏକାକୀ ଜଗନ୍ନାଥଙ୍କ ବିଗ୍ରହ ପୂଜା ପାଉଛନ୍ତି। ଏଠାରେ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ନାହିଁ। କିଂବଦନ୍ତି କହେ, ୧୯୩୪ ମସିହାରେ ବୈତରଣୀ ନଦୀରେ ପ୍ରବଳ ବନ୍ୟା ଆସିଥିଲା। ଏହି ବନ୍ୟାରେ ସୁଦୂର ରାଜନଗର ଅଞ୍ଚଳରୁ ଏହି ଜଗନ୍ନାଥ ମୂର୍ତ୍ତି ଭାସି ଆସି ମନ୍ଦିର ନିକଟରେ ଲାଗିଥିଲା। ସେତେବେଳେ ରାଜାଙ୍କୁ ସ୍ବପ୍ନାଦେଶ ହେବାପରେ ଗ୍ରାମବାସୀଙ୍କ ଦ୍ବାରା ଜଗନ୍ନାଥ ମୂର୍ତ୍ତିଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା। ଲୋକଙ୍କ ଉଦ୍ୟମରେ ମନ୍ଦିର ପ୍ରତିଷ୍ଠା କରାଯାଇ ଏଠାରେ ଶ୍ରୀଜଗନ୍ନାଥଙ୍କୁ ପୂଜା କରାଯାଉଛି। ତେବେ ଏଠାରେ ରଥଯାତ୍ରା କିମ୍ବା କୌଣସି ବେଶ ଅନୁଷ୍ଠିତ ହୁଏନାହିଁ। ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ ନିର୍ମାଣ କରିବାକୁ ଗ୍ରାମବାସୀ ଅନେକଥର ଉଦ୍ୟମ କରି ବିଫଳ ହୋଇଛନ୍ତି। ରଥଯାତ୍ରା ସମୟରେ ଏଠାରେ ଜଗନ୍ନାଥଙ୍କୁ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥାନ୍ତି। ଏବେ ଠାକୁରଙ୍କ ଅଣସର ନୀତି ପାଳନ କରାଯାଉଥିବା ମନ୍ଦିରର କୋଠ ତହସିଲଦାର ଗଜେନ୍ଦ୍ର ମହାପାତ୍ର କହିଛନ୍ତି।