ଟେଣ୍ଡର ଶେଷକୁ ୪ ମାସ: କନ୍ଧମାଳରେ ଏକଲବ୍ୟ ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା, ପ୍ରଶାସନର ଉଦାସୀନତାକୁ ଦାୟୀ କଲେ ପୂର୍ବତନ ବିଧାୟକ

ତଥାପି ଜାଗା ଚିହ୍ନଟ ହୋଇ ପାରିଲା ନାହିଁ

ଫୁଲବାଣୀ: ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନିମନ୍ତେ କେନ୍ଦ୍ର ସରକାର ଏକଲବ୍ୟ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଓଡିଶାର ସମସ୍ତ ଆଦିବାସୀ ବହୁଳ ଜିଲ୍ଲାକୁ ସାମିଲ କରାଯାଇଛି। ସେଥି ମଧ୍ୟରେ  କନ୍ଧମାଳ ଜିଲ୍ଲା ରହିଛି। କନ୍ଧମାଳରେ ୧୧ଟି ସ୍ଥାନରେ ଏକଲବ୍ୟ ସ୍କୁଲ ଖୋଲିବା‌ ନେଇ ପୂର୍ବରୁ ଘୋଷଣା କରାଯାଇଛି। କେ.ନୂଆଗାଁ ବ୍ଳକ ମହାସିଂହରେ ସ୍କୁଲ ଖୋଲା ଯାଇଥିବା ବେଳେ ଫିରିଙ୍ଗିଆରେ କାମ ଚାଲିଛି। ବାକି ଆହୁରି ୯ଟି ସ୍ଥାନରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାର ରହିଛି। ହେଲେ ଜିଲ୍ଲା ପ୍ରଶାସନ ଜାଗା ଯୋଗାଇ ପାରୁ ନଥିବାରୁ ଟେଣ୍ଡର ସରି ଥିଲେ ବାକି ଜାଗାରେ ହେବାକୁ ଥିବା ସ୍କୁଲର କାମ ଆରମ୍ଭ ହୋଇ ପାରୁ ନାହିଁ। ମିଳିଥିବା

ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ଗୋଛାପଡା, କେ.ନୂଅଗାଁ ବ୍ଳକ ସାରଙ୍ଗଗଡ ଓ କୋଟଗଡ ବ୍ଲକ କୋଟଗଡ‌ଠାରେ ଏକଲବ୍ୟ ସ୍କୁଲ ଘର ନିର୍ମାଣ ପାଇଁ ଟେଣ୍ଡର ସରିଛି। ପଶ୍ଚିମବଙ୍ଗର ହିନ୍ଦୁସ୍ଥାନ ଷ୍ଟିଲୱାର୍କସ ନାମକ ଏକ ଠିକା ସଂସ୍ତା ଗତ ଜୁଲାଇ ମାସରେ କନ୍ଧମାଳର ୩ ଓ ରାଜ୍ୟର ଅନ୍ୟ ଜିଲ୍ଲାରେ ୩୯ଟି ସ୍କଲ ଘର ନିର୍ମାଣ ପାଇଁ ଟେଣ୍ଡର ନେଇଛି। ‌ଗୋଟିଏ ଗୋଟିଏ ସ୍କୁଲ ପାଇଁ ୩୦ରୁ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ନିମନ୍ତେ ଟେଣ୍ଡର ନେଇଥିବା ଠିକା ସଂସ୍ଥା କାମ କରିବାକୁ ପ୍ରସ୍ତୁତ ଥିବା ବେଳେ ଜିଲ୍ଲା ପ୍ରଶାସନ ଜାଗା ଯୋଗାଇ ନ ଦେବା ବିଡମ୍ବନାର ବିଷୟ। ଅନ୍ୟ ଜିଲ୍ଲାରେ ଜାଗା ଚିହ୍ନଟ ହୋଇ କାମ ଆରମ୍ଭ ହୋଇ ଯାଇଥିବା ବେଳେ କନ୍ଧମାଳରେ  ଆଜି ସୁଦ୍ଧା ଜାଗା ଚିହ୍ନଟ ହୋଇ ପାରି ନାହିଁ। ଜିଲ୍ଲା ପ୍ରଶାସନ ଏ ନେଇ ତ୍ବରିତ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି।

କନ୍ଧମାଳରେ ଏକ ଜଣାଶୁଣା ଘରୋଇ ସଂସ୍ଥା ଆଦିବାସୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଯୋଜନା ଚଳାଇଛି। ସଂପୃକ୍ତ ସଂସ୍ଥାକୁ ଅନୁକମ୍ପା ଦେଇ ଏକଲବ୍ୟ ସ୍କୁଲ ପାଇଁ ପ୍ରଶାସନ ଜାଣିଶୁଣି ଜାଗା ଯୋଗାଉ ନଥିବା ବିଭିନ୍ନ ମହଲ‌ରୁ ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନର ଉଦାସୀନତା ପାଇଁ ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏକଲବ୍ୟ ସ୍କୁଲ ଖୋଲିଲେ ପିଲାମାନେ ଭଲ ପାଠ ପଢିବେ। ପରିବାର ଓ ରାଜ୍ୟର ନାଁ ରଖିବେ। ଏଭଳି ଆଶା ବାନ୍ଧି ଥିବା ଶହଶହ ଅଭିଭାବକ ଜିଲ୍ଲା ପ୍ରଶାସନର ଉଦାସୀନତା ପାଇଁ ନିରାଶ ହେବାକୁ ବସିଛନ୍ତି।

ଜାଗା ଚିହ୍ନଟ ହୋଇ ପାରି ନଥିବାରୁ  ସ୍କୁଲ ଘର ନିର୍ମାଣ ହୋଇ ପାରୁ ନଥିବାରୁ ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଜି ସିଧାସଳଖ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି। ଗୋଛାପଡା,ସାରଙ୍ଗଗଡ ଓ କୋଟଗଡରେ ଏକଲବ୍ୟ ସ୍କୁଲ ନିର୍ମାଣ ପାଇଁ ଟେଣ୍ଡର ସରିଥିବାରୁ ତୁରନ୍ତ ଜାଗା ଯୋଗାଇ ଦେବାକୁ ସେ ଦାବି କରିବା ସହ ପ୍ରଶାସନ ଏହାକୁ ଅଣଦେଖା କଲେ କନ୍ଧମାଳର ଆଦିବାସୀ ପିଲାଙ୍କ ଶିକ୍ଷାର ବିକାଶ ଅଧୁରା ରହି ଯିବ ବୋଲି କହିଛନ୍ତି। ମାସକ ମଧ୍ୟରେ ଏକଲବ୍ୟ ସ୍କୁଲ ପାଇଁ ଜିଲ୍ଲା ପ୍ରଶାସନ ଜାଗା ଯୋଗାଇ ନ ଦେଲେ କନ୍ଧମାଳରେ ଆଦିବାସୀଙ୍କ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ମାଝି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର