ଭୁବନେଶ୍ୱର : ଏକାମ୍ରକାନନ ଫାର୍ମ ବା ଏକାମ୍ର ଉଦ୍ୟାନକୁ କୌଣସି ପରିସ୍ଥିତିରେ ବିକ୍ରି କରିବାକୁ ଦିଆଯିବନି ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ଅଶି ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏକାମ୍ର ପାର୍କ ପ୍ରତିଷ୍ଠା କରିଥିଲେ। ଏହାକୁ ଏବେ ବିକ୍ରି କରିବା ବା ହଡ଼ପ କରିବା ପାଇଁ କିଛି ଅଣଓଡ଼ିଆ ଅଫିସର ଯେଉଁ ହୀନ ଚକ୍ରାନ୍ତ କରୁଛନ୍ତି ତାହା ଦୁର୍ଭାଗ୍ୟଜନକ।

Advertisment

ଏହି ପାର୍କରେ ବିଭିନ୍ନ ପ୍ରକାର ଉଦ୍ୟାନଭିତ୍ତିକ ବୃକ୍ଷଲତା ରୋପଣ କରି ଚାଷୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଫୁଲ, ଫଳ ଚାରା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ହଜାର ହଜାର ଆମ୍ବ, କାଜୁ, ଅର୍କିଡ, ସପେଟା, ସପୁରୀ, ଗୋଲାପ, ପିଜୁଳି ଗଛ ଆଦି ଲାଗିଛି। କିନ୍ତୁ ଏହାକୁ କାଟି କଙ୍କ୍ରିଟ ଜଙ୍ଗଲ କରିବାକୁ ଯୋଜନା କରାଯାଉଛି। ରାଜ୍ୟ ସରକାର ଯଦି ଏହି ନିଷ୍ପତ୍ତିରୁ ତୁରନ୍ତ ନଓହରନ୍ତି ତେବେ ୧୦ହଜାର ଲୋକଙ୍କୁ ନେଇ ଆମେ ଧାରଣାକୁ ଓହ୍ଲାଇବୁ। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ଲୋକସେବା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦଶର୍ନ କରିବୁ। କୌଣସି ପରିସ୍ଥିତିରେ ବି ଏକାମ୍ରକାନନ ଫାର୍ମକୁ ନିଶ୍ଚିହ୍ନ ଦେବାକୁ ଦେବୁନି।

publive-image

ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ, ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ମଲିଆ ପ୍ରମୁଖ ଉପସ୍ଥିତ ଥିଲେ।

ସରକାର ନେଉଥିବା ଜମି ଏକାମ୍ର କାନନର ନୁହେଁ, ସରକାରଙ୍କ ସ୍ପଷ୍ଟୀକରଣ
ଭୁବନେଶ୍ୱର : ଏକାମ୍ର କାନନର କିଛି ଅଂଶ ସରକାର ଉଜାଡ଼ିବାକୁ ଚକ୍ରାନ୍ତ କରୁଥିବା ଜଣାପଡ଼ିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ରାତିରେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦିଆଯାଇଛି। ଯେଉଁ ଜାଗା ସରକାରଙ୍କ ଅଧୀନକୁ ଫେରିଯିବ, ତାହାର ଏକାମ୍ର କାନନ ସହିତ କିଛି ସମ୍ପର୍କ ନାହିଁ ବୋଲି ଏଥିରେ କୁହାଯାଇଛି। ଉଦ୍ୟାନ କୃଷି ବିଭାଗର ଜୟଦେବ ବିହାର ଓ ପାଇକ ନଗର ମୌଜାରେ କିଛି ଜମି ପାଞ୍ଚ ଦଶନ୍ଧି ହେଲା ଅବ୍ୟବହୃତ ଅବସ୍ଥାରେ ରହିଛି। ତାହାକୁ ଉଦ୍ୟାନ ବିଭାଗ ସରକାରଙ୍କୁ ଫେରାଇ ଦେବ। ସେହି ଜମିକୁ ଅଧିକ ଫଳପ୍ରଦ କାମରେ ବ୍ୟବହାର ହେବ ବୋଲି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି।

ବିବୃତିରେ ଆହୁରି କୁହାଯାଇଛି ଯେ ଏକାମ୍ର କାନନର କିଛି ଜମି ସାଧାରଣ ପ୍ରଶାସନ ବିଭାଗ ଫେରାଉ ନେଉଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଥିବା‌ ଖବର ତଥ୍ୟ ଭିତ୍ତିକ ନୁହେଁ। ଏକାମ୍ର କାନନର କୌଣସି ଅଂଶକୁ ସରକାର ଫେରାଇ ନେଉ ନାହାନ୍ତି। ଏକାମ୍ର କାନନ ଭୁବନେଶ୍ବରର ଗର୍ବ ଏବଂ ରାଜ୍ୟ ସରକାର ତାହାର ଅଧିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ବାୟୋଟେକ୍ନୋଲୋଜି ଗବେଷଣା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏକାମ୍ର କାନନରେ ଥିବା ଆର୍‌ପିଆର୍‌ସିକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଏହି ଜାଗା ଅକ୍ଷୁର୍ଣ୍ଣ ରହିବ ଓ ତାହାର ରକ୍ଷଣାବେକ୍ଷଣ ଠିକ୍ ଭାବେ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।