ବର୍ଷକରେ ସରିବ ଏକାମ୍ରକ୍ଷେତ୍ର ଯୋଜନା

ଝଲସିବ ଶ୍ରୀଲିଙ୍ଗରାଜ ମନ୍ଦିର ଓ ସଂଲଗ୍ନ ଅଞ୍ଚଳ, ନବୀନ ଦେଖିଲେ ନକ୍ସା

ଦୁଇ ଲକ୍ଷ ଲୋକ ଏକାଠି ଦେଖିପାରିବେ ଶିବରାତ୍ରି ମହାଦୀପ
ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା
ଲିଙ୍ଗରାଜଙ୍କ ପର୍ବକୁ ନ୍ୟାସନାଲ କ୍ୟାଲେଣ୍ଡରରେ ସ୍ଥାନ ପାଇଁ ପଦକ୍ଷେପ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର ଯୋଜନା ପ୍ରକଳ୍ପ ରିପୋର୍ଟ ରାଜ୍ୟ ସରକାରଙ୍କ ସାମ୍ନାକୁ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପୂର୍ତ ସଚିବ ଡାକ୍ତର କ୍ରିଷନ୍ କୁମାର ଏ ସଂକ୍ରାନ୍ତ ଯୋଜନା ଅଗ୍ରଗତି ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ। ବିନ୍ଦୁସାଗର ବିକାଶ ପାଇଁ ମଧ୍ୟ ନକ୍ସା ପ୍ରସ୍ତୁତ ହୋଇଛି। ବର୍ଷକ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ନବୀନ ନିର୍ଦେଶ ଦେଇଛନ୍ତି। ଏହା ଯଦି କାର୍ଯ୍ୟକାରୀ ହୁଏ, ୩୫୦ ବର୍ଷ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବ।

ଏକାମ୍ରକ୍ଷେତ୍ରର ସାଂସ୍କୃତିକ ଐତିହ୍ୟର ଅନ୍ୟତମ ଆକର୍ଷଣ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ, ଅଶୋକାଷ୍ଟମୀ ରଥଯାତ୍ରା ଓ ଶୀତଳ ଷଷ୍ଠୀକୁ ନ୍ୟାସନାଲ କ୍ୟାଲେଣ୍ଡର ଅଫ୍ ଫେଷ୍ଟିଭାଲ୍‌ସରେ ସ୍ଥାନିତ ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ଥିର ହୋଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଶ୍ରୀ ଲିଙ୍ଗରାଜ ମନ୍ଦିର ସନ୍ନିକଟସ୍ଥ ୬୬ ଏକର ପରିମିତ ଜମି ଉପରେ ଏହି ବିକାଶ ଯୋଜନା କାର୍ଯ୍ୟକାରୀ ହେବ। ମନ୍ଦିର ଚତୁଃପାର୍ଶ୍ବର ଭବ୍ୟ ବିକାଶ କରାଯାଇ ସେଠାରେ ଆଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତିମୟ ପରିବେଶ ସୃଷ୍ଟି କରାଯିବ। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ସମସ୍ୟା ଥିଲା। ପ୍ରସ୍ତାବିତ ଯୋଜନାରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାର ବ୍ୟବସ୍ଥା ହୋଇଛି। ଏପରିକି ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସେତିକି ସଂଖ୍ୟକ ଲୋକ ମହାଦୀପ ଦର୍ଶନର ଆଧ୍ୟାତ୍ମିକତା ଅନୁଭବ କରିପାରିବେ ବୋଲି କୁହାଯାଇଛି। ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନା ଠାରୁ ଆରମ୍ଭ କରି ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ କାଉଡିଆ କିଭଳି ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ପଦକ୍ଷେପ ନିଆଯାଇଛି।

ବିନ୍ଦୁସାଗର ସହିତ ମହାପ୍ରଭୁ ଲିଙ୍ଗରାଜଙ୍କର ଅନନ୍ୟ ସଂପର୍କ ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏକାମ୍ରକ୍ଷେତ୍ରର ଦ୍ବିତୀୟ ଆକର୍ଷଣ କେନ୍ଦ୍ର ବିନ୍ଦୁସାଗର। ବିନ୍ଦୁ ବିନ୍ଦୁ ତୀର୍ଥରୁ ସୃଷ୍ଟି ହୋଇଥିବା ଏହି ପବିତ୍ର ପୁଷ୍କରିଣୀ ଏକାମ୍ରକ୍ଷେତ୍ରର ଆଧ୍ୟାତ୍ମିକ ଜୀବନର ଅନନ୍ୟ ଅଙ୍ଗ। ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହିତ ଏହାର ମଧ୍ୟ ସଂପର୍କ ରହିଛି। ଏଣୁ ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡା ଠାରୁ ଚଦନ ଯାତ୍ରା ତୀର୍ଥଯାତ୍ରୀ ମାନେ କିଭଳି ସିଧା ଦେଖିପାରିବେ ସେଥିପାଇଁ ଯୋଜନାରେ ବ୍ୟବସ୍ଥା କରାଯାଇଛି। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ।

ଐତିହାସିକ ଦଲିଲରୁ ଜଣାଯାଏ ଯେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ କେବଳ ମନ୍ଦିର ହିଁ ଥିଲା। ଅନ୍ୟ କୌଣସି ସ୍ଥାୟୀ ନିର୍ମାଣ ନ ଥିଲା।

ଏସବୁ ବ୍ୟତୀତ ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, ଓରିଏଣ୍ଟସନ୍ ସେଣ୍ଟର, ପାର୍କିଂ ଫୁଡ୍ ଫ୍ଲାଜା, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି।

କାରୁକାର୍ଯ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଏହି ଯୋଜନା ଆହୁରି ବୃଦ୍ଧି କରିବା ସହିତ ୟୁନେସ୍କୋର ବିଶ୍ବ ଐତିହ୍ୟସ୍ଥଳ ତାଲିକାରେ ଭୁବନେଶ୍ବରକୁ ସ୍ଥାନିତ କରିବା ପାଇଁ ଦାବିକୁ ଅଧିକ ମଜବୁତ କରିବ ବୋଲି ସରକାର ଆଜି ଆଶା ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପରେ ଏକାମ୍ରକ୍ଷେତ୍ର ଯୋଜନା ହେଉଛି ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ।

ବୈଠକରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ସହ ତୁରନ୍ତ ଥଇଥାନର ବନ୍ଦୋବସ୍ତ କରାଯାଉ। ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ପ୍ରସ୍ତୁତି ଚାଲିଥିବା ସ୍ବତନ୍ତ୍ର ଆଇନ୍‌କୁ ତୁରନ୍ତ ଚୂଡ଼ାନ୍ତ କରାଯାଉ। ଏହା ସହ ଗଙ୍ଗୁଆ ପୋଲରୁ ବାମ ପଟ ବନ୍ଧ‌େର କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ଏକ ନୂଆ ରାସ୍ତା ନିର୍ମାଣର ଆବଶ୍ୟକତା ରହିଛି। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ଉପାଦେୟ ହେବ ବୋଲି ଶ୍ରୀ ପଣ୍ଡା କହିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ଆଲୋଚନାକୁ ସଂଯୋଜନା କରିଥଲେ ।

ସମ୍ବନ୍ଧିତ ଖବର