ଏକାମ୍ର ଯୋଜନା ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ସମସ୍ତ ଜମି ଶ୍ରୀଲିଙ୍ଗରାଜଙ୍କ ନାମରେ ରେକର୍ଡ ହେବ, ଜମିଦାତାଙ୍କ ନାମ ଫଳ‌କରେ ରହିବ

ଭୁବନେଶ୍ୱର: ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାଜେକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଅଧିଗୃହୀତ ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ଲେଖାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏକାଦଶ ଶତାଦ୍ଦୀର ଅନନ୍ୟ କୀର୍ତ୍ତି ଲିଙ୍ଗରାଜ ମନ୍ଦିରର ପାରିପାର୍ଶିକ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ନିମନ୍ତେ ମନ୍ଦିର ଚାରିପଟେ ଥିବା ଅଞ୍ଚଳର ବିକାଶ ନିମନ୍ତେ ଏକାମ୍ର ଯୋଜନା କାର୍ଯ୍ୟକାରୀ କରାଯାଉଅଛି। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ସନ୍ନିକଟସ୍ଥ ୬୫ ଏକର ପରିମିତ ଅଞ୍ଚଳରେ ଏହି ସୁବିଧା ସୁଯୋଗର ବିକାଶ କରାଯିବ। କ୍ଷତିଗ୍ରସ୍ତମାନଙ୍କୁ ନିମ୍ନୋକ୍ତ ବ୍ୟବସ୍ଥାରେ କ୍ଷତିପୂରଣ ପ୍ରଦାନ କରାଯିବ। ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାସଗୃହଗୁଡ଼ିକୁ ଓଡ଼ିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ। ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ଆଇନ ୨୦୧୩ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ।

 

telegraphindia.com

 

ଜମି ବଦଳରେ ଜମି ଦେବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଅଧିଗୃହୀତ ହେବାକୁ ଥିବା ଜମିର ବଜାର ଦର ଓ ତତ୍ତୁଲ୍ୟ କ୍ଷତିପୂରଣ ଦିଆଯିବ। ଏହା ପରିବର୍ତ୍ତେ କୌଣସି ବ୍ୟକ୍ତି ଯଦି ଜମି ବଦଳରେ ଜମି ନେବାକୁ ଚାହିଁବେ, ତେବେ ସେମାନଙ୍କୁ ଜମି ଅନ୍ୟତ୍ର ଦିଆଯିବ।

ସେହିପରି ବିସ୍ଥାପିତ ହେବାକୁ ଥିବା ପରିବାରଗୁଡ଼ିକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ପ୍ରତି ପରିବାରକୁ ୧ଲକ୍ଷ ଟଙ୍କା ସହାୟତା ଦିଆଯିବ। ଏଥିସହ ଜମି ଅଧିଗ୍ରହଣ ହେବା ଦିନ ଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ହଜାର ଟଙ୍କା ଲେଖାଏଁ ମାସିକ ସହାୟତା ଯୋଗାଇ ଦିଆଯିବ। ଏତଦ୍‌ ବ୍ୟତୀତ ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ଲକ୍ଷ ଟଙ୍କା ଥଇଥାନ ଭତ୍ତା ଭାବରେ ଯୋଗାଇ ଦିଆଯିବ।

ପ୍ରକଳ୍ପ ଅଂଚଳରେ ସ୍ଥିତିବାନ ସତ୍ତ୍ୱରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଓଡ଼ିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ।ସେହିପରି ଦୋକାନ ଘର ମାଲିକମାନଙ୍କୁ ସେମାନଙ୍କର ପରିବହନ ଖର୍ଚ୍ଚ ଏବଂ ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ୧ଲକ୍ଷ ଟଙ୍କା ଏକକାଳୀନ ସହାୟତା ଦିଆଯିବ। ୨୦୦ ବର୍ଗମିଟର କିମ୍ବା ତା’ଠାରୁ କମ୍‌ ସ୍ଥାନରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘରଭଡ଼ା ସହାୟତା ଏବଂ ୨୦୦ ବର୍ଗମିଟରବା ତଦୁର୍ଦ୍ଧ ଅଂଚଳରେ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ଘରଭଡ଼ା ସହାୟତା ଭାବରେ ଯୋଗାଇ ଦିଆଯିବ।

ଅନୁମୋଦିତ ଥଇଥାନ ଯୋଜନା ଅନୁସାରେ ସୁଲଭତା ଭିତ୍ତିରେ ବଜାର ଦରର ପଚାଶ ପ୍ରତିଶତ ମୂଲ୍ୟରେ ଯେଉଁମାନେ ଦୋକାନ ଘର ପାଇବା ପାଇଁ ‌ଯୋଗ୍ୟ ବିବେଚିତ ହେବେ ଏବଂ ସେମାନେ ଏହାକୁୁ ବଜାର ଦରର ପଚାଶ ପ୍ରତିଶତ ମୂଲ୍ୟରେ କ୍ରୟ କରିପାରିବେ। ଦୋକାନ ମାଲିକମାନେ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କା ସହାୟତା ଭାବରେ ନେଇପାରିବେ। ପ୍ରକଳ୍ପ ଅଞ୍ଚଳରେ ଥିବା ସମସ୍ତ ଉଠା ଦୋକାନୀମାନଙ୍କୁ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଭାବରେ ଯୋଗାଇ ଦିଆଯିବ। ଦୁଇଟି କିସ୍ତିରେ ସେମାନେ ଏହି ସହାୟତା ପାଇପାରିବେ।

ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ପାଇଁ ମଧ୍ୟ ସହାୟତା ଦିଆଯିବ। ଏକାମ୍ର ଯୋଜନା ପାଇଁ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକ ନିମନ୍ତେ ସହାୟତା ଭୁବନେଶ୍ବର ମହାନଗର ନିଗମ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସ୍ଥିର କରିବ।

ସେହିପରି ଖୋର୍ଦ୍ଧା ଜିଲ୍ଳାପାଳ ଏବଂ ହିତାଧିିକାରୀମାନଙ୍କ ସହିତ ଆଲୋଚନା କରି ବିସ୍ଥାପିତ ହେବାକୁ ଥିବା ମଠଗୁଡ଼ିକୁ ଜମି ଆବଣ୍ଟନ, ସଂରକ୍ଷଣ ଆଦି କାର୍ଯ୍ୟ ସଂପର୍କରେ ଭୁବନେଶ୍ବର ମହାନଗର ନିଗମ କମିସନର ସ୍ଥିର କରିବ।

ସମ୍ବନ୍ଧିତ ଖବର