ନଭେମ୍ବର ଶେଷ ସୁଦ୍ଧା ସରିବ ଜମି ଅଧିଗ୍ରହଣ
ଲିଙ୍ଗରାଜ ମନ୍ଦିରକୁ ଇ-ଗାଡ଼ିରେ ଯିବେ ଶ୍ରଦ୍ଧାଳୁ
ଉତ୍ତର ଦ୍ୱାରରୁ ଦେଖିହେବ ମନ୍ଦିର, ବିନ୍ଦୁସାଗର
ଉନ୍ନୟନ କାମ ସମୀକ୍ଷା କଲେ ୫-ଟି ସଚିବ

Advertisment

ଭୁବନେଶ୍ୱର : ମହା ଶିବରାତ୍ରିରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଏକାମ୍ର କ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏବଂ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ଏଠାକୁ ଆସିବେ। ତେଣୁ ତାହା ପୂର୍ବରୁ ଏକାମ୍ର କ୍ଷେତ୍ର ଯୋଜନାର ସୌନ୍ଦର୍ଯ୍ୟୀକରଣ କାମ ଏବଂ ବହୁ ପ୍ରକଳ୍ପ ଶେଷ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୬ମାସରେ ପୂରା ପ୍ରକଳ୍ପ କାମ ଶେଷ କରିବାକୁ ଓବିସିସି ଓ ବିଏମ୍‌ସିକୁ ଟାର୍ଗେଟ୍ ଦିଆଯାଇଛି।

ଏକାମ୍ର କ୍ଷେତ୍ର ଯୋଜନାରେ କେତେ ଜମି ଅଧିଗ୍ରହଣ ହୋଇଛି, କେଉଁ କାମ କେତେ ହୋଇଛି, ମହା ଶିବରାତ୍ରି ପୂର୍ବରୁ କ’ଣ ହୋଇପାରିବ, ପୂରା ପ୍ରକଳ୍ପ ଶେଷ କରିବାକୁ କେତେ ଦିନ ଲାଗିବ ତାହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିୟାନ। ପୂର୍ତ୍ତ ସଚିବ କ୍ରିଷନ କୁମାର, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏବଂ ଏକାମ୍ର କ୍ଷେତ୍ର ଯୋଜନା ପ୍ରକଳ୍ପର ଲ୍ୟାଣ୍ଡ ଅଫିସର କମଲଜିତ୍‌ ଦାସଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ, ବିନ୍ଦୁସାଗର କୂଳ, ନିକଟରେ ଭଙ୍ଗା ହୋଇଥିବା ଗୋପାଳତୀର୍ଥ ମଠ ଆଦି ପରିଦର୍ଶନ କରିଥିଲେ। ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ କାମରୁ ବହୁ କାମ ମହାଶିବରାତ୍ରି ପୂର୍ବରୁ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଆଜି ଭୋର୍‌ରୁ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ।

ଭୋର୍‌ ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ଏବେ ସୁଦ୍ଧା ଏକାମ୍ର କ୍ଷେତ୍ର ଯୋଜନା ପାଇଁ ୮୦% ଜମି ଅଧିଗ୍ରହଣ ହୋଇଥିବା ବେଳେ ନଭେମ୍ବର ଶେଷ ସୁଦ୍ଧା ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ ପାଇଁ ୧୧୦ଟି ଘରୋଇ ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ଏବେ ସୁଦ୍ଧା ୯୮ଟି ଜମି ଅଧିଗ୍ରହଣ ହୋଇଛି। ତେଣୁ ବାକି ଜମି ଖୁବ୍‌ ଶୀଘ୍ର ଅଧିଗ୍ରହଣ କରିବାକୁ କୁହାଯାଇଛି।

ମହାଶିବରାତ୍ରି ପୂର୍ବରୁ ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ନିର୍ମାଣ ଶେଷ ହେବ। ଭିଡ଼ ନିୟନ୍ତ୍ରଣ ପାଇଁ ବିକଳ୍ପ ରାସ୍ତା ନିର୍ମାଣ କାମ କରିବାକୁ କୁହାଯାଇଛି। ଏହି ରାସ୍ତା ଦେଇ ଶ୍ରଦ୍ଧାଳୁମାନେ ବିନ୍ଦୁସାଗର କୂଳ‌ରେ ହେବାକୁ ଥିବା ପାଦଚଲା ରାସ୍ତାକୁ ଯାଇପାରିବେ। ବିନ୍ଦୁସାଗର କୂଳ‌କୁ କୌଣସି ପ୍ରକାରର ଯାନବାହନ ଛଡ଼ାଯିବନି। ଏହା କେବଳ ପଥଚାରୀଙ୍କ ପାଇଁ ରହିବ ବୋଲି ନିଷ୍ପତ୍ତି ହୋଇଛି।

publive-image

ସେହିପରି ଲିଙ୍ଗରାଜ ମନ୍ଦିର ଅଞ୍ଚଳକୁ ପ୍ରଦୂଷଣମୁକ୍ତ ଅଞ୍ଚଳ କରିବା ସହ ମନ୍ଦିରର ସୁରକ୍ଷା ପାଇଁ ବସଷ୍ଟାଣ୍ଡରୁ ଶ୍ରଦ୍ଧାଳୁମାନେ ଇ-ଗାଡ଼ିରେ ଯାତାୟାତ କରିବେ। ଏଥିପାଇଁ ବସଷ୍ଟାଣ୍ଡ ଓ ମନ୍ଦିର ନିକଟରେ ପର୍ଯ୍ୟାପ୍ତ ବ୍ୟାଟେରି ଗାଡ଼ି ରଖାଯିବ। ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ନିକଟରେ ପ୍ରାୟ ୩ଏକର ଜମିରେ ବସଷ୍ଟାଣ୍ଡ ନିର୍ମାଣ ହେବ। ରବି ଟକିଜ୍‌ ଛକ ଦେଇ ବସ୍‌ଗୁଡ଼ିକ ଏଠାକୁ ଆସିବ। ଏଠାରୁ ଯାତ୍ରୀମାନେ ବ୍ୟାଟେରି ଗାଡ଼ିରେ ଦର୍ଶନ ପାଇଁ ଯିବେ। ମନ୍ଦିର ନିକଟରେ ଯାନବାହନ ଚଳାଚଳ ନକଲେ ମନ୍ଦିରକୁ ପ୍ରଦୂଷଣଜନିତ କ୍ଷତିରୁ ସୁରକ୍ଷା ଦିଆଯାଇପାରିବ ବୋଲି ଏହି ଯୋଜନା କରାଯାଇଛି।

ଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମାର୍କେଟରୁ ତାଳେଶ୍ବର ଛକ, ଲିଙ୍ଗରାଜ ମାର୍କେଟରୁ ବିନ୍ଦୁସାଗର ଏବଂ ଅନ୍ୟାନ୍ୟ ରାସ୍ତା ନିର୍ମାଣ ହେବ। ମନ୍ଦିର ସମ୍ମୁଖରେ ଇଷ୍ଟର୍ଣ୍ଣ ପ୍ଲାଜା, ବସ୍‌ ପାର୍କିଂ ନିକଟରେ ନର୍ଦନ ପ୍ଲାଜା ହେବ। ମନ୍ଦିର ଚାରିକଡ଼େ ଡ୍ରେନ୍‌ ନିର୍ମାଣ ହେବ। କୌଣସି ପରିସ୍ଥିତିରେ ବି ଯେପରି ମନ୍ଦିର ଭିତରକୁ ପାଣି ପଶିବନି କି ଉକ୍ତ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ରହିବନି ତାହାକୁ ନଜରରେ ରଖି ଡ୍ରେନ୍‌ ନିର୍ମାଣ ହେବ।

ଏବେ ସୁଦ୍ଧା ଗୋପିନାଥ ମଠ, ଶଙ୍କରାନନ୍ଦ ମଠ ଜମି ଅଧିଗ୍ରହଣ ହୋଇସାରିଥିବା ବେଳେ ବାକି ଜମି ଖୁବ୍‌ ଶୀଘ୍ର ଅଧିଗ୍ରହଣ ହେବ। ଏହାପରେ ଶ୍ରଦ୍ଧାଳୁମାନେ ମନ୍ଦିରର ଉତ୍ତର ପାର୍ଶ୍ବରେ ଛିଡ଼ା ହୋଇ ଏକସଙ୍ଗେ ମନ୍ଦିର ଏବଂ ବିନ୍ଦୁସାଗର ଦେଖିପାରିବେ। ଏହି ଅଞ୍ଚଳରେ ଶ୍ରଦ୍ଧାଳୁଙ୍କୁ ଏକ ଆଧ୍ୟାତ୍ମିକ ପରିବେଶ ଭେଟି ଦେବା ପାଇଁ ଯୋଜନା ହୋଇଛି। ମନ୍ଦିର ପରିସର ଏବଂ ଏକାମ୍ର କ୍ଷେତ୍ରରେ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ବ ଦିଆଯିବ।

ଆଜି ପରିଦର୍ଶନ ପରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ କ୍ଷେତ୍ର ପରିଦର୍ଶନ କରିବା ପରେ ପ୍ରଶାସନ ପକ୍ଷରୁ କମ୍‌ ସମୟରେ ବହୁ ଉନ୍ନତିମୂଳକ କାମ ହୋଇଥିବାରୁ ଏବଂ ଲୋକଙ୍କ ସହଯୋଗରେ ଜମି ଅଧିଗ୍ରହଣ ପ୍ରକ୍ରିୟା କରାଯାଉଥିବାରୁ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ମାସକ ମଧ୍ୟରେ ବାକି ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ଜମି ଅଧିଗ୍ରହଣ ସରିଲେ ସମସ୍ତ ସୌନ୍ଦର୍ଯ୍ୟୀକରଣ କାମ ହେବ। ଡିସେମ୍ବରରେ ଭଜନ ମଣ୍ଡପ, ରାସ୍ତା ଏବଂ ବିଭିନ୍ନ ନିର୍ମାଣ କାମ ପାଇଁ ଟେଣ୍ଡର ଆହ୍ବାନ ହେବ। ଆସନ୍ତା ୬ମାସ ମଧ୍ୟରେ ଆମେ ସବୁ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ଚୌଧରୀ କହିଛନ୍ତି।