ଏକାମ୍ର କାନନ ଫାର୍ମ ଜମି ପ୍ରସଙ୍ଗ : କାହା ପାଇଁ ଏତେ ନାଟକ?

ଦୁଇ ଦିନରେ ଦୁଇଟା ଚିଠି ଲେଖିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଜମି ନେଲେ କ’ଣ କରିବେ ସ୍ପଷ୍ଟ କରୁନାହାନ୍ତି

ଭୁବନେଶ୍ୱର : ଏକାମ୍ର କାନନ ଫାର୍ମର ୨୦.୧୯୨ ଏକର ଜମି ନେଇ ରାଜ୍ୟ ସରକାର କ’ଣ କରିବେ କିଛି ସ୍ପଷ୍ଟ କରୁନାହାନ୍ତି। ଏହି ଜମିକୁ ନେଇ ପୂରା ପ୍ରଶାସନ ବାଉଳା ହୋଇଯାଇଛି। ପ୍ରଥମେ ପୂର୍ବଭଳି ଏହି ଜମି ଉଦ୍ୟାନ କୃଷି ବିଭାଗ ନିକଟରେ ରହିବ ବୋଲି ଯୁକ୍ତି ରଖିଥିଲେ। ୨୪ ଘଣ୍ଟା ପୂରିନି, ପୁଣି କହିଛନ୍ତି ଯେ ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ହେବ। ଦୁଇ ଦିନରେ ସାମ୍ନାକୁ ଆସିଥିବା ଏଭଳି ଦୁଇଟି ଚିଠି ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଥିବା ବେଳେ କାହା ଚାପରେ ସରକାରୀ ଅଧିକାରୀମାନେ ଏତେ ନାଟକ କରୁଛନ୍ତି ସେନେଇ ପ୍ରଶ୍ନ ଉଠିଲାଣି। ଏହା ପଛରେ କିଛି ଗୋଟାଏ ଷଡ଼୍‌ଯନ୍ତ୍ର ଥାଇପାରେ ବୋଲି ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି।

ଏକାମ୍ର କାନନ ଫାର୍ମ ଜମି ହଡ଼ପ ଯୋଜନା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏବଂ ବିଜେପି ଓ କଂଗ୍ରେସ ଏହାକୁ ବିରୋଧ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରଥମେ ମୁହଁ ଖୋଲିଥିଲେ। ନଭେମ୍ବର ୩ ତାରିଖରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟୀକରଣ ଦେଇ କୁହାଯାଇଥିଲା ଯେ, ଯେଉଁ ଜାଗା ସରକାରଙ୍କ ଅଧୀନକୁ ଫେରିଯିବ, ତାହାର ଏକାମ୍ର କାନନ ସହିତ କିଛି ସମ୍ପର୍କ ନାହିଁ। ଉଦ୍ୟାନ କୃଷି ବିଭାଗର ଜୟଦେବ ବିହାର ଓ ପାଇକ ନଗର ମୌଜାରେ କିଛି ଜମି ପାଞ୍ଚ ଦଶନ୍ଧି ହେଲା ଅବ୍ୟବହୃତ ଅବସ୍ଥାରେ ରହିଛି। ତାହାକୁ ଉଦ୍ୟାନ ବିଭାଗ ସରକାରଙ୍କୁ ଫେରାଇ ଦେବ। ସେହି ଜମିକୁ ଅଧିକ ଫଳପ୍ରଦ କାମରେ ବ୍ୟବହାର କରାଯିବ। ଏହାସହିତ କୁହାଯାଇଥିଲା ଯେ, ଏକାମ୍ର କାନନର କିଛି ଜମି ସାଧାରଣ ପ୍ରଶାସନ ବିଭାଗ ଫେରାଉ ନେଉଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଥିବା‌ ଖବର ତଥ୍ୟ ଭିତ୍ତିକ ନୁହେଁ। ଏକାମ୍ର କାନନର କୌଣସି ଅଂଶକୁ ସରକାର ଫେରାଇ ନେଉ ନାହାନ୍ତି।

ଏକାମ୍ର କାନନ ଭୁବନେଶ୍ବରର ଗର୍ବ ଏବଂ ରାଜ୍ୟ ସରକାର ତାହାର ଅଧିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ବାୟୋଟେକ୍ନୋଲୋଜି ଗବେଷଣା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏକାମ୍ର କାନନରେ ଥିବା ଆର୍‌ପିଆର୍‌ସିକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଏହି ଜାଗା ଅକ୍ଷୁର୍ଣ୍ଣ ରହିବ ଓ ତାହାର ରକ୍ଷଣାବେକ୍ଷଣ ଠିକ୍ ଭାବେ କରାଯିବ।

ଏକାମ୍ର କାନନ ଫାର୍ମ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ବିରୋଧ ଚାଲିଥିଲେ ହେଁ ମୁଖ୍ୟ ଶାସନ ସଚିବ ଏନେଇ କିଛି ସ୍ପଷ୍ଟ କଲେନି। ବରଂ ପ୍ରେସ୍‌ ବିବୃତ୍ତିରେ କହିଦେଲେ ଉଦ୍ୟାନ କୃଷି ବିଭାଗର ଜୟଦେବ ବିହାର ଓ ପାଇକ ନଗର ମୌଜାରେ ଥିବା ଜମି ୫ଦଶନ୍ଧି ହେଲା ବ୍ୟବହାର ହେଉନଥିବାରୁ ତାହା ସାଧାରଣ ପ୍ରଶାସନ ବିଭାଗକୁ ଫେରିଯିବ। ଯଦି ଏକାମ୍ର କାନନ ଫାର୍ମ ଜମି ସାଧାରଣ ପ୍ରଶାସନ ବିଭାଗ ନେବନି ତେବେ କାହିଁକି ତାହା ସ୍ପଷ୍ଟ କହିଲେନି।

ଏପଟେ ଆଜି ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଏକାମ୍ର କାନନର ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଯେ, ଏକାମ୍ର କାନନ ଫାର୍ମର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ନହେବା ପର୍ଯ୍ୟନ୍ତ ପୂର୍ବଭଳି କାମ ଚାଲିବ। ଅର୍ଥାତ୍‌ ସାଧାରଣ ପ୍ରଶାସନ ବିଭାଗକୁ ୨୦.୧୯୨ ଏକର ଜମି ହସ୍ତାନ୍ତର ହେବ। ଜମି ହସ୍ତାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ ପ୍ରତ୍ୟାହାର ହୋଇନି।

ଠିକ୍ ୨୪ ଘଣ୍ଟା ପୂର୍ବରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ୧୭.୧୧.୨୦୨୦‌ରେ ଏକାମ୍ର କାନନର ସହକାରୀ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ଯେ, ଏକାମ୍ର କାନନ ଫାର୍ମର ସମସ୍ତ ରକ୍ଷଣାବେକ୍ଷଣ ଯାହା ବନ୍ଦ ରହିଛି ତାହା ପୂର୍ବ ପରି ଚାଲିବ। ସମସ୍ତ କାମ ପୂର୍ବ ଭଳି ହେବ। ଜମି ହସ୍ତାନ୍ତର ସମ୍ବନ୍ଧୀୟ ଅଭିଯୋଗ ଓ ଜନସ୍ବାର୍ଥ ମାମଲାକୁ ଭିତ୍ତିକରି ବିଭାଗୀୟ ନିର୍ଦ୍ଦେଶକ ଏହି ନିଷ୍ପତ୍ତି ନେଇଥିଲେ। କିନ୍ତୁ ସାଧାରଣ ପ୍ରଶାସନ ବିଭାଗକୁ ଜମି ହସ୍ତାନ୍ତର ହେବ ବୋଲି ଲେଖିନଥିଲେ। ପୂର୍ବ ସ୍ଥିତି ଭଳି କାମ କରିବାକୁ କହିଥିଲେ।

ଏନେଇ ଉଦ୍ୟାନ କୃଷି ନିର୍ଦ୍ଦେଶକ କହିଛନ୍ତି ଯେ, ଏକାମ୍ର କାନନ ଫାର୍ମ ଜମି ହସ୍ତାନ୍ତର ନେଇ ୨୦୧୯ ମସିହାରୁ ଯୋଜନା ହୋଇଛି। ଏବେ କେବଳ କେତେ ଜମି ହସ୍ତାନ୍ତର ହେବ ସେନେଇ ଚିଠି କରାଯାଇଥିଲା। କିନ୍ତୁ ସାଧାରଣ ପ୍ରଶାସନ ବିଭାଗକୁ ଜମି ହସ୍ତାନ୍ତର ହୋଇନଥିବାରୁ ଆମେ ଫାର୍ମର ରକ୍ଷଣାବେକ୍ଷଣ କାମ ଜାରି ରଖିବାକୁ ଚାହୁଁଛୁ। ଏଠାରେ ବହୁ ଲୋକ କାମ କରୁଥିବାରୁ ଏବଂ ବହୁ ଗଛ ଥିବାରୁ ସେଗୁଡ଼ିକର ଯତ୍ନ ନେବା ଆବଶ୍ୟକ। ତେଣୁ କାମ ଜାରି ରଖିବାକୁ ଚିଠି ଲେଖିଛି। ରାଜ୍ୟ ସରକାର ଯେତେବେଳେ ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ କାର୍ଯ୍ୟକାରୀ କରିବୁ।

ସୂଚନାଯୋଗ୍ୟ ଯେ, ଏକାମ୍ର କାନନ ଫାର୍ମର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ନେଇ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିବା ପରଠାରୁ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି। ଯେତେବେଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି କିମ୍ବା ଜୋରଦାର ବିରୋଧ ହେଉଛି ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ଲେଖାଏଁ ଚିଠି ଲେଖି ଭ୍ରମ ସୃଷ୍ଟି କରାଯାଉଛି। ହେଲେ ସାଧାରଣ ପ୍ରଶାସନ ବିଭାଗ ଜମି ନେଇ ରାସ୍ତା କରିବ କି କୋଠା କରିବ କି କ୍ବାର୍ଟର୍ସ କରିବ ନା କାହାକୁ ଲିଜ୍‌ରେ ଦେବ ତାହା ସ୍ପ‌ଷ୍ଟ କରୁନି। କିନ୍ତୁ ସରକାରୀ ପ୍ରକ୍ରିୟା ଦେଖିଲେ ଏହା ଅନୁମାନ ହେଉଛି ଯେ, ରାଜ୍ୟ ସରକାର ଏହି ଜମିକୁ ଦେବା ପାଇଁ ଚାପରେ ଅଛନ୍ତି।

ସମ୍ବନ୍ଧିତ ଖବର