ଭୁବନେଶ୍ବର : ଚଳିତ ମାସ ଶେଷ ସପ୍ତାହରେ ଏମ୍ସକୁ ଏକ୍ମୋ ମେସିନ ଆସିବା ନେଇ ଯେଉଁ ଆଶାର ସଂଚାର ହୋଇଥିଲା, ତାହା ମଉଳି ଯାଇଛି। ଏକ୍ମୋ ମେସିନ୍ କେବେ ଆସିବ ଏହାକୁ ନେଇ ମଧ୍ୟ ଏମ୍ସ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ଉତ୍ତର ରଖି ନାହାନ୍ତି। ଅନ୍ୟପକ୍ଷରେ ଷ୍ଟେରଏଲ୍ ଆଇସିୟୁର ବ୍ୟବସ୍ଥା ନରଖି କିଭଳି ଏଠାରେ ଏକ୍ମୋ ପାଇଁ ଯେଉଁ ଯୋଜନା କରାଯାଉଛି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।
କୋଭିଡ୍ ପ୍ରଭାବରେ ଅନେକ ଲୋକଙ୍କ ଫୁସ୍ଫୁସ୍ ସମସ୍ୟା ଜଟିଳ ହେଉଥିବାରୁ ଏବେ ସାରା ଦେଶରେ ଏକ୍ମୋ ଚିକିତ୍ସାର ଚାହିଦା ବଢ଼ିଛି। ଘରୋଇ ଡାକ୍ତରଖାନା ପାଇଁ ଏହା ବ୍ୟବସାୟର ଭଲ ମାଧ୍ୟମ ମଧ୍ୟ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘରୋଇ ଡାକ୍ତରଖାନାଗୁଡ଼ିକ ଏକ୍ମୋ କିଣି ଦେଇଛନ୍ତି। ତେଣୁ ବଜାରରେ ଏକମୋ ମେସିନଏବେ ଆଉ ମିଳୁନାହିଁ। ତେଣୁ ଜୁନ ପ୍ରଥମ ସପ୍ତାହରେ ଏକ୍ମୋ କିଣିବା ଲାଗି ଭୁବନେଶ୍ବର ଏମ୍ସ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ଆଉ ସମ୍ଭବ ନୁହେଁ।
ଅନ୍ୟପକ୍ଷରେ କେତେକ ବିଶେଷଜ୍ଞଙ୍କ ମତରେ, ଷ୍ଟେରଏଲ ଆଇସିୟୁ ବିନା ରୋଗୀଙ୍କ ଶରୀରରେ ଏକ୍ମୋ ଲଗାଇଲେ ଇନଫେକ୍ସନ ହେବାର ଆଶଙ୍କା ରହିଥାଏ। ଲକ୍ଷାଧିକ ଟଙ୍କା ଖର୍ଚ ପରେ ରୋଗୀଙ୍କ ମୃତ୍ୟୁ ହୋଇଯାଏ। ଷ୍ଟେରଏଲ ଆଇସିୟୁ ଅର୍ଥ ଏଠାରେ କୌଣସି ପ୍ରକାର ବ୍ୟାକ୍ଟିରିଆ ନଥିବ।
ଏଥିପାଇଁ ସ୍ବାବ୍ ନେଇ ନିୟମିତ ଟେଷ୍ଟ କରାଯାଏ। କୌଣସି ସ୍ଥିତିରେ ବ୍ୟାକ୍ଟେରିଆ ରହିଲେ ରୋଗୀଙ୍କ ମୃତ୍ୟୁ ହୋଇଯାଏ। ଷ୍ଟେରଏଲ ଆଇସିୟୁ ପାଇଁ ସ୍ବତନ୍ତ୍ର ଶଯ୍ୟା, ଭେଣ୍ଟିଲେଟର ମଧ୍ୟ ଆବଶ୍ୟକତା ରହିଛି। ଏକ୍ମୋ ଆଣିବା ପୂର୍ବରୁ ଏମ୍ସରେ ଷ୍ଟେରଏଲ ଆଇସିୟୁ ବ୍ୟବସ୍ଥା ନକଲେ ରୋଗୀଙ୍କ ପାଇଁ ବିଶେଷ ଲାଭଦାୟକ ହେବ ନାହିଁ ବୋଲି କୁହାଯାଉଛି। ସେହିଭଳି ଏକ୍ମୋ ପରିଚାଳନା ପାଇଁ ଏମ୍ସରେ ଏକ୍ମୋ ସର୍ଜନ(କାଡିଓଥୋରାସିକ ଭାସକୁଲାର ସର୍ଜନ), ଏକ୍ମୋ ଇଣ୍ଟେନସେଲିଷ୍ଟ(ନିଶ୍ଚେତକ ଡାକ୍ତର), ଏକ୍ମୋ ପରଫ୍ୟୁଜେନିଷ୍ଟ(ଏକମୋ ମେସିନ ସଂଯୋଗ କରୁଥିବା ବିଶେଷଜ୍ଞ), ଏକ୍ମୋ ସିଷ୍ଟର୍ସ, ବ୍ରଦର୍ସ(ଏକମୋ ପ୍ରଶିକ୍ଷଣପ୍ରାପ୍ତ ନର୍ସିଂ ଅଫିସର)ଙ୍କ ଆବଶ୍ୟକତା ରହିଛି। ପ୍ରତ୍ୟେକ ଡାକ୍ତରଖାନାରେ ୪ ପ୍ରକାର ବିଶେଷଜ୍ଞଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବାକୁ ପଡ଼ିବ।
ଏକ୍ମୋ ପରିଚାଳନା ପାଇଁ ସ୍ବତନ୍ତ୍ର ଏକ୍ମୋ ପାଠ୍ୟକ୍ରମ ମଧ୍ୟ ନାହିଁ। ବର୍ତ୍ତମାନ ଏମ୍ସ ଭୁବନେଶ୍ବରରେ ଥିବା ହୃଦରୋଗ ବିଶେଷଜ୍ଞ ଡାକ୍ତର ରୁଦ୍ରପ୍ରତାପ ମହାପାତ୍ର, ଡାକ୍ତର ସିଦ୍ଧାର୍ଥ ସାଠିଆ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କ୍ରିଷ୍ଣା, ନିଶ୍ଚେତକ ବିଭାଗ ଏଚଓଡି ଡା.ସତ୍ୟଜିତ ମିଶ୍ର ଏକ୍ମୋ ପ୍ରଶିକ୍ଷଣ ନେଇଛନ୍ତି। ମାତ୍ର ନର୍ସିଂ ଷ୍ଟାଫ୍ଙ୍କୁ ଏ ସଂକ୍ରାନ୍ତରେ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇ ନାହିଁ। କେବଳ ଏହି ୪ ଜଣ ଡାକ୍ତର ଏକ୍ମୋ ଚିକିତ୍ସା ପାଇଁ ଯଥେଷ୍ଟ ନୁହନ୍ତି। ଆହୁରି ଡାକ୍ତରଙ୍କୁ ଏକ୍ମୋ ପ୍ରଶିକ୍ଷଣ ଦିଆନଗଲେ ଏହି ମେସିନ୍ ଆସିଲେ ମଧ୍ୟ ବିଶେଷ କାମରେ ଆସିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।