ରାଉରକେଲା : ବନ୍ଧମୁଣ୍ଡା ଥାନା ଅଂଚଳରେ ସାମାନ୍ୟ ବଚସାରୁ ଆଜି ବଡ଼ ଭାଇ ନିଜର ସାନ ଭାଇକୁ ତଣ୍ଟି କାଟି ହତ୍ୟା କରିଛି। ସାନାଭାଇକୁ ଜାବୁଡ଼ି ଧରି କଟୁରୀରେ ବେକକୁ ଅତି ନିମର୍ମଭାବେ କାଟିଦେଲା ବଡ଼ଭାଇ। ଏହାପରେ ଖୋଦ୍‌ ବନ୍ଧମୁଣ୍ଡା ଥାନାକୁ ଆସି ଆତ୍ମସମର୍ପଣ କରିଛି ହତ୍ୟାକାରୀ। ଏହି ଲୋମହର୍ଷକାରୀ ହତ୍ୟାକଣ୍ଡ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Advertisment

ବନ୍ଧମୁଣ୍ଡା ଥାନା ଇଲାକାର ବୀରକାନି ଗାଁରେ ଆଜି ଜଣେ ବ୍ୟକ୍ତିଙ୍କ ଘରେ ନାମକରଣ ଉତ୍ସବ ଥିଲା। ଏଣୁ ଅପରାହ୍ନ ସମୟରେ ଭୋଜି ପାଇଁ ମାଂସ କଟା ଚାଲିଥିଲା। ଏହି ମାଂସ କାଟିବା ସମୟରେ ବୀରକାନିର କୋକା ଏକ୍କା (୫୩) ଓ ତା’ର ସାନ ଭାଇ ସୋମା ଏକ୍କା ମଧ୍ୟ ସାମିଲ ଥିଲେ। ଏହି ସମୟ ଧରି ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା। ଏଥିରେ ହଠାତ୍‌ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ବଡ଼ ସାନଭାଇ ସୋମାଙ୍କୁ ଜାବୁଡ଼ି ଧରି ମାଂସ କାଟିବା ପାଇଁ ବ୍ୟବହାର ହେଉଥିବା କଟୁରୀରେ ତା’ ବେକକୁ କାଟି ଦେଇଥିଲା। ସାନଭାଇକୁ ଏଭଳି ନିର୍ମମଭାବେ ହତ୍ୟା କଲାବେଳେ ସେଠାରେ ଉପସ୍ଥିତ ଲୋକ ହତବାକ୍‌ ହୋଇଯାଇଥିଲେ। ହତ୍ୟା କରିବାପରେ ଅଭିଯୁକ୍ତ ବଡ଼ଭାଇ ସିଧାସଳଖ ବନ୍ଧମୁଣ୍ଡା ଥାନାକୁ ଆସି ଆତ୍ମସମର୍ପଣ କରିଛି।