ଜମିଜମା ବିବାଦରୁ ଜଘନ୍ୟ କାଣ୍ଡ : ସାନଭାଇ ପରିବାରକୁ ବାନ୍ଧି ପିଟିଲେ ବଡ଼ଭାଇ, ବୃଦ୍ଧ ବାପାଙ୍କ ମୁଣ୍ଡ ଫାଟିଲା, ସାନଭାଇ ଗୁରୁତର

ମହାକାଳପଡା : ସମ୍ପତ୍ତି ଲୋଭ ଆଗରେ ରକ୍ତ ସମ୍ପର୍କ ବଳି ପଡ଼ିଛି। ଜମିଜମା ବିବାଦରୁ ପୂରା ପରିବାର ଘଟାଇଛନ୍ତି ଜଘନ୍ୟ କାଣ୍ଡ। ସାନଭାଇ ଓ ଭାଇବୋହୂଙ୍କୁ ବାନ୍ଧି ବଡ଼ଭାଇ ଓ ତାଙ୍କ ପରିବାର ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ସାନଭାଇଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣ୍ଡଗୋଳ‌ରେ ବୃଦ୍ଧ ବାପାଙ୍କର ମୁଣ୍ଡ ମଧ୍ୟ ଫାଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡ଼ା ପଞ୍ଚାୟତ ରାମକଣି ଗ୍ରାମରେ ଘଟିଥିବା ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ, ରାମକଣି ଗ୍ରାମର ରାମଚନ୍ଦ୍ର ବେହେରା ନିଜ ବଡ଼ପୁଅ ବିଜୟଙ୍କୁ ପାରିବାରିକ ସମ୍ପତ୍ତିରୁ ଭାଗ ଦେଇଥିବା ବେଳେ ସାନପୁଅ ଅଜୟଙ୍କୁ କିଛି ଦେଇ ନ ଥିଲେ। ଫଳରେ ସାନ ପୁଅ ଅଜୟ ଗ୍ରାମ ସ୍କୁଲ ନିକଟରେ ଥିବା ଏକ ସରକାରୀ ଜମିରେ ଅସ୍ଥାୟୀ ନଡ଼ା ଛପର ଘର କରି ଦୀର୍ଘଦିନ ହେବ ରହି ଆସୁଥିଲେ। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଆଜି ସକାଳୁ ବିଜୟ ପୈତୃକ ଜମିରେ ଥିବା ଏକ ଅସମ୍ପୂର୍ଣ୍ଣ ଘରର କାମ ଆରମ୍ଭ କରିବା ବେଳେ ଅଜୟ ଏବଂ ତାଙ୍କ ପତ୍ନୀ ଏହାର ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିଜୟ, ତାଙ୍କ ପତ୍ନୀ ଟୁନିରାଣୀ, ପୁଅ ଜୟନ୍ତ, ଝିଅ ବୈଜୟନ୍ତୀ ମିଶି ଅଜୟ ଏବଂ ତାଙ୍କ ପତ୍ନୀଙ୍କୁ ଦଉଡ଼ିରେ ବାନ୍ଧି ପକାଇଥିଲେ ଏବଂ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମବାସୀ ବାରଣ କରିଥିଲେ ବି ବିଜୟଙ୍କ ପରିବାର କିଛି ଶୁଣି ନ ଥିଲେ।

ଖବରପାଇ ମହାକାଳପଡା ଥାନା ଅଧିକାରୀ ମନୋରଂଜନ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ରଶି ଖୋଲି ଉଭୟଙ୍କୁ ବନ୍ଧନ ମୁକ୍ତ କରିଥିଲେ। ଅଜୟଙ୍କ ପତ୍ନୀ ରଜନୀଙ୍କ ଏତଲା ଆଧାରରେ ପୁଲିସ ବିଜୟଙ୍କ ପତ୍ନୀ ଟୁନିରାଣୀ, ପୁଅ ଜୟନ୍ତ ଓ ଝିଅ ବୈଜୟନ୍ତୀଙ୍କୁ ଗିରଫ କରିଛି। ତେବେ, ମୁଖ୍ୟ ଅଭିଯୁକ୍ତ ବିଜୟ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଆହତ ଅଜୟଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନା ଓ ପରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗଣ୍ତଗୋଳ ବେଳେ ମୁଣ୍ଡ ଫାଟିଯିବାରୁ ସେମାନଙ୍କ ବାପା ରାମଚନ୍ଦ୍ର ମଧ୍ୟ ଥାନାରେ ଏକ ଏତଲା ଦେଇଛନ୍ତି। ପୁଲିସ ଉକ୍ତ ଏତଲା ଗ୍ରହଣ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର