ମଧୁମେହ ରୋଗୀ ହୋଇ ମଧ୍ୟ କରୋନା ସଂକ୍ରମିତ ସାନ ଭାଇର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଲେ ବଡ଼ ଭାଇ

ଜୟପୁର: କରେନାରେ ସଂକ୍ରମିତ ହୋଇ ଏହାର ଭୟଙ୍କର ରୂପ ଦେଖି ସାରିଲେଣି ଲୋକେ | କିଛି ଲୋକ କରୋନା ଭୂତାଣୁ ସହ ଲଢ଼ି ସଫଳ ହୋଇଛନ୍ତି ତ କିଛି ଜଣ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି | ଏହି ଭୂତାଣୁ ଲୋକମାନଙ୍କ ମାନବିକତାର ଅନେକ ପରୀକ୍ଷା ନେଇଥିବା ସହ ପରିବାର ସଦସ୍ୟଙ୍କୁ ପରସ୍ପରଠାରୁ ଅଲଗା କରିଛି, ଯାହାର ଅନେକ ଉଦାହରଣ ବିଗତ ଅତୀତରେ ଦେଖିବାକୁ ମିଳିଛି | ହେଲେ କରୋନା କାଳରେ ଜୟପୁରରେ ଘଟିଥିବା ଘଟଣା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି | ମଧୁମେହ ରୋଗୀ କରୋନା ସଂକ୍ରମିତ ହେଲେ ତାଙ୍କ ଜୀବନ ଯିବାର ଅଧିକ ଆଶଙ୍କା ରହିଥିବା କଥା ବିଭିନ୍ନ ଅଧ୍ୟୟନରୁ ଜଣା ପଡ଼ିଛି | ସବୁ ଜାଣି ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଭାଇକୁ ମୃତ୍ୟୁମୁଖରୁ ଫେରାଇ ଆଣିଛନ୍ତି କାଳୀ ପ୍ରସାଦ ପଟ୍ଟନାୟକ |

କାଳୀ ପ୍ରସାଦ ପଟ୍ଟନାୟକ ଜଣେ ମଧୁମେହ ରୋଗୀ ହୋଇଥିବା ବେଳେ ସାନ ଭାଇ ଗୌରୀ ପ୍ରସାଦ ପଟ୍ଟନାୟକ କରୋନା ଆକ୍ରାନ୍ତ ହୋଇଥିବା ଜାଣି ସେ ତୁରନ୍ତ ତାଙ୍କ ସେବା କରିବା ପାଇଁ ଆଗେଇ ଆସିଥିଲେ |

ସୂଚନା ମୁତାବକ, ସ୍ଥାନୀୟ ପାରାବେଢ଼ା ଅଞ୍ଚଳର ଗୌରୀ ପ୍ରସାଦ ପଟ୍ଟନାୟକ ଗତ ମାସ ୨୦ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ସେ ଘରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ଗତ ମାସ ୨୨ତାରିଖ ଦିନ ରାତିରେ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ୨୪ତାରିଖ ଦିନ ସେ ସୁସ୍ଥ ହେବା ବଦଳରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ସଂଧ୍ୟାରେ ତାଙ୍କ ଅକ୍ସିଜେନ ସ୍ତର ୭୭କୁ ଖସି ଆସିବା ସହ ଧିରେ ଧିରେ କମିବାକୁ ଲାଗିଥିଲା। ଏହି ସୂଚନା ପାଇବା ପରେ ତାଙ୍କ ବଡ ଭାଇ କାଳୀ ପ୍ରସାଦ ପଟ୍ଟନାୟକ କ’ଣ କରିବେ ଚିନ୍ତାରେ ପଡ଼ି ଯାଇଥିଲେ। ପରେ ତୁରନ୍ତ ସେ ଏକ ଘରୋଇ ଆମ୍ବୁଲାନସରେ ନିଜ ଭାଇକୁ ବିଶାଖାପାଟଣାକୁ ନେଇଥିଲେ। ବିଶାଖାପାଟଣାରେ ସେ କଥା ହୋଇଥିବା ଏକ ଘରୋଇ ନର୍ସିଂ ହୋମ ଶଯ୍ୟା ନଥିବା କହି ଭର୍ତ୍ତି କରିବାକୁ ମନା କରିଦେଇଥିଲେ। ଏ ମଧ୍ୟରେ ଗୌରୀଙ୍କ ଓକ୍ସିଜେନ୍ ସ୍ତର ୫୫କୁ ଖସି ଆସିଥିଲା।

ଏହି ସ୍ଥିତିରେ କ’ଣ କରିବେ, କେଉଁ ଡାକ୍ତରଖାନାକୁ ନେବେ ଚିନ୍ତାରେ ପଡ଼ି ଯାଇଥିଲେ କାଳୀ। ପରେ ଏକ ଘରୋଇ ନର୍ସିଂ ହୋମ ସହ ଯୋଗାଯୋଗ କରି ସେଠାରେ ସାନ ଭାଇ ଗୌରୀକୁ ଭର୍ତ୍ତି କରାଇଥିଲେ। । ୧୭ଦିନ କାଳ ସେଠାରେ ଚିକିତ୍ସିତ ହେବା ପରେ ଗୌରୀ ଗତ ୧୧ତାରିଖ ଦିନ ଘରକୁ ଫେରିଛନ୍ତି। ପ୍ରଥମ ସାତ ଦିନ କାଳ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସାଧାରଣଶଯ୍ୟାକୁ ଅଣାଯାଇ ନିରୀକ୍ଷଣରେ ରଖାଯାଇଥିଲା। ମଧୁମେହ ଥିଲେ ସଂକ୍ରମଣ ଶୀଘ୍ର ହୁଏ ଜାଣି ସୁଦ୍ଧା ଭାଇର ଜୀବନକୁ ବଂଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ କାଳୀ ପଟ୍ଟନାୟକ ।

ସମ୍ବନ୍ଧିତ ଖବର