ଯାଜପୁର: ମଦ ପିଇ କଳହ ଭୟଙ୍କର ରୂପ ନେଇଛି। ସାନଭାଇର ତୀରମା‌ଡ଼ରେ ବଡ଼ଭାଇଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଧୀନ ଅଶୋକଝର ଗାଁରେ ଶନିବାର ଅପରାହ୍‌ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବଡ଼ଭାଇ ହେଲେ ଗୁଲୁ ପ୍ରଧାନ (୩୦)। ଅଭିଯୁକ୍ତ ସାନଭାଇ ଦୁର୍ଲଭ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Advertisment

ସୂଚନା ଅନୁସାରେ ଅଶୋକଝର ଗାଁରେ ଜୁଆଙ୍ଗ ଜନଜାତିର ଅନେକ ଲୋକ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଗୟା ପ୍ରଧାନଙ୍କ ପରିବାର ମଧ୍ୟ ଏହି ଗାଁରେ ରୁହନ୍ତି। ଗୟା ପ୍ରଧାନଙ୍କ ୪ ଜଣ ପୁଅ ଅଛନ୍ତି।। କିନ୍ତୁ ବଡ଼ଭାଇ ଗୁଲୁ ପ୍ରଧାନ ଓ ଦୁର୍ଲଭ ପ୍ରଧାନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। ମଦ ପିଇ ଦୁଇଭାଇଙ୍କ ମଧ୍ୟରେ ଲାଗିଥିବା କଳହ ଆଜି ଉଗ୍ର ରୂପ ନେଇଥିଲା। ଦୁର୍ଲଭ ମାତ୍ରାଧିକ ଉତ୍ତେଜିତ ହୋଇ ହିତାହିତ ଜ୍ଞାନ ଭୁଲି ଯାଇଥିଲା। ସେ ଗୁଲୁ ପ୍ରଧାନଙ୍କ ଉପରକୁ ତୀରମାଡ଼ କରିଥିଲେ। ତୀରମାଡ଼ ଆକ୍ରମଣର ଶିକାର ହେଲା ପରେ ଘଟଣାସ୍ଥଳରେ ହିଁ ବୁଲୁଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ଦୁର୍ଲଭ ପ୍ରଧାନ ଫେରାର ହୋଇଯାଇଛି।