ବୁଗୁଡ଼ା: ମଦ ବେପାର ଓ ପାରିବାରିକ ବିବାଦରୁ ସାନଭାଇକୁ ଫାର୍ସାରେ ହାଣି ନିର୍ମମ ଭାବେ ହତ୍ୟା କଲା ବଡ଼ଭାଇ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଭାମଶିଆଳି ପଞ୍ଚାୟତ ଶତ୍ରୁସୋଲ ଗ୍ରାମରେ ଆଜି ସନ୍ଧ୍ୟା‌ରେ ଏଭଳି ଏକ ଅଭାବନୀୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଉଛନ୍ତି, କାମରାଜୁ ନାୟକ (୩୫)। ସୂଚନାନୁସାରେ, କାମରାଜୁ ଓ ବଡ଼ଭାଇ ମନୋଜ ଦେଶୀ ମଦ ବେପାର ସହ ସଂପୃକ୍ତ ଥିଲେ। କିନ୍ତୁ ଏହାକୁ ନେଇ ଗତ କିଛିଦିନ ହେଲା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା।

Advertisment

ସେହିପରି କାମରାଜୁ ମଧ୍ୟ ତାଙ୍କ ଭାଉଜଙ୍କୁ ଗାଳିଗୁଲଜ କରୁଥିବାରୁ ଏଥିରେ ମନୋଜ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ଆଜି ଅପରାହ୍‌ଣ ୫ଟାରେ ଦୁଇଭାଇଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ମନୋଜ କ୍ରୋଧ ସମ୍ଭାଳି ନପାରି ଏକ ଫାର୍ସାରେ କାମରାଜୁଙ୍କ ବେକ ସମେତ ଶରୀରର ବିଭିନ୍ନ ଭାଗକୁ ନିର୍ମମ ଭାବେ ଚୋଟ ପକାଇଥିଲେ।

କାମରାଜୁଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ମନୋଜ ଫେରାର ହୋଇଯାଇଥିବା ଜଣାପଡ଼ିଛି। ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଥାନାଧିକାରୀ ଶ୍ରୀ ବେହେରା କହିଛନ୍ତି, କାମରାଜୁ ଅଧିକାଂଶ ସମୟରେ ମନୋଜଙ୍କୁ ମାରପିଟ୍ କରୁଥିଲେ। ଏହାସହ ତାଙ୍କ ଭାଉଜଙ୍କୁ ବି ଅସଦାଚରଣ କରିଥିଲେ। ତେବ‌େ ମଦ ବେପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟି ନଥିବା ସେ କହିଛନ୍ତି।