ପୋଡ଼ି ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ

ଯାଜପୁର/ବାଲିକୁଦା : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରଇପୁର ପଞ୍ଚାୟତ ଅଧୀନ ପାଥପୁର ଗ୍ରାମର ଏକ ବୃଦ୍ଧ ଦମ୍ପତିଙ୍କର ଗତକାଲି ରାତିରେ ପୋଡ଼ି ହୋଇ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ପାଣ୍ତବ ମଲିକ(୭୪) ଓ ତାଙ୍କ ସ୍ତ୍ରୀ କେଶୀ ମଲିକ(୬୫)। ପକ୍ଷାଘାତ ରୋଗୀ ପାଣ୍ଡବଙ୍କ ପରିବାର ଅଭାବ ଅନଟନରେ ଦିନ କାଟୁଥିବା ବେଳେ ଦୁହେଁ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ‌କୌଣସି କାରଣରୁ ନିଆଁ ଲାଗି ସେମାନଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ସେମାନଙ୍କର ମୃତ୍ୟୁ ଅଭାବ ନା ଅବହେଳା ଯୋଗୁଁ ଘଟିଛି ସେ ନେଇ ସନ୍ଦେହ ପ୍ରକାଶ ପାଇଛି। ତେବେ ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି।

ପୁଲିସ ତଥ୍ୟ ମୁତାବକ ବୃଦ୍ଧ ପାଣ୍ଡବ ଓ ତାଙ୍କ ପତ୍ନୀ କେଶିଙ୍କର ତିନି ପୁଅ ମଧ୍ୟରୁ ଦୁଇ ପୁଅ ବାହାରେ ରହୁଥିବା ବେଳେ ତାଙ୍କର ମଝିଆ ପୁଅ ସୁଧାକର ମଲିକ ତାଙ୍କ ପାଖରେ ରହୁଥିଲେ। ବଡ଼ପୁଅ ସର୍ବେଶ୍ବର ଭୁବନେଶ୍ବରରେ ଏକ ଘରୋଇ କଂପାନିରେ କାମ କରି ରହୁଥିବା ବେଳେ ସାନପୁଅ ଗଦାଧର ଡୁବୁରିରେ ରହି କାମ କରନ୍ତି। ମଝିଆ ପୁଅ ସୁଧାକର ଦିନ ମଜୁରିଆ ଭାବେ କାମ କରନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ବାପାମା ଓ ନିଜ ପରିବାର ପ୍ରତିପୋଷଣ କରନ୍ତି। ବାପା ପାଣ୍ଡବ ୩ବର୍ଷ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଥିବା ବେଳେ ଗତ ୬ ମାସ ହେବ ବିଛଣାରେ ପଡ଼ି ଯାଇଥିଲେ ଏବଂ ସାମାନ୍ୟ ମାନସିକ ବିକାର ଦେଖାଯାଇଥିଲା। ମା’ କେଶୀ ତାଙ୍କର ସେବା ଶୁଶ୍ରୂଷା କରୁଥିଲେ। ସବୁଦିନ ପରି ଗତକାଲି ରାତିରେ ବାପାମା’ ଖାଇପିଇ ଶୋଇଥିଲେ। ରାତି ପାଖାପାଖି ଦୁଇଟା ବେଳେ ଘରୁ ଚିତ୍କାର ଶୁଣାଯାଇଥିଲା। ପାଖ ଘରେ ଶୋଇଥିବା ସୁଧ‌ାକର ଉଠି ଦେଖିଲା ବେ‌ଳକୁ ଘରୁ ଧୂଆଁ ବାହାରୁଥିବା ବେଳେ ଭିତରପଟୁ କବାଟ ବନ୍ଦ ରହିଥିଲା। ପରେ ପାଖପଡ଼ିଶା ଓ ସେ ମିଶି ଘରର ଦରଜା ଭାଙ୍ଗି ଭିତରକୁ ପଶିଥିଲେ। ସେତେବେଳକୁ ସବୁ ସରି ଯାଇଥିଲା। ବାପାମା’ ଜଳି ଯାଇଥିଲେ।

ସମ୍ବନ୍ଧିତ ଖବର